୧୫ ଜାନୁଆରୀ, ସ୍ଵର୍ଣ୍ଣ ଧନୁଷ ଯାତ୍ରାକୁ ଭବ୍ୟ ସ୍ଵାଗତ କରିବ ଶ୍ରୀରାମ ମହାଯଜ୍ଞ ସମିତି

୧୫ ଜାନୁଆରୀ, ସ୍ଵର୍ଣ୍ଣ ଧନୁଷ ଯାତ୍ରାକୁ ଭବ୍ୟ ସ୍ଵାଗତ କରିବ ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ।ପବିତ୍ର ନଗରୀ ଅଯୋଧ୍ୟା ଅଭିମୁଖେ ବାହାରିଥିବା ସ୍ଵର୍ଣ୍ଣ ଧନୁଷ୍ ଯାତ୍ରା ରାଉରକେଲାର ହନୁମାନ ବାଟିକାରୁ ବାହାରି ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲା ପରିକ୍ରମା କରିବ। ଚଳିତ ମାସ ୧୫ ତାରିଖ ଗୁରୁବାର ଦିନ ସ୍ଵର୍ଣ୍ଣ ଧନୁଷ ଯାତ୍ରା ଭଦ୍ରକ ଆଗମନ ପରିପ୍ରେକ୍ଷୀରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଯାତ୍ରା ରାଣିତାଲରେ ପହଞ୍ଚିଲା ପରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଭଦ୍ରକ ସହରର ଡାହାଣୀ ଗଢିଆ ପର୍ଯ୍ୟନ୍ତ ଅଣାଯିବ। ସେଠୁ ଏକାଧିକ କୀର୍ତ୍ତନ ମଣ୍ଡଳୀ, ପାରମ୍ପରିକ ବାଦ୍ୟ ବାଦନ, ସାଧୁ ସନ୍ଥ, ଶତାଧିକ ମାତୃଶକ୍ତି, ଯୁବ ଛାତ୍ର ଏବଂ ବୁଦ୍ଧିଜୀବିଙ୍କ ଦ୍ଵାରା ଏକ ପଦଯାତ୍ରାରେ ଅଣାଯାଇ ଗାନ୍ଧିପଡ଼ିଆ ଯଜ୍ଞ ମଣ୍ଡପ ହୋଇ ପୁଣି କଚେରି ବଜାର ହୋଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବ। ସହରର ବିଭିନ୍ନ ଛକ ମାନଙ୍କରେ ମେଢ଼ କମିଟି ଓ ସାମାଜିକ ଆଧ୍ୟାତ୍ମିକ ସଙ୍ଗଠନ ପକ୍ଷରୁ ସ୍ଵାଗତ ବ୍ୟବସ୍ଥା ରହିବାର ଯୋଜନା କରାଯାଇଛି ବୋଲି ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ ପ୍ରକାଶ କରିଛନ୍ତି। ଏହି ପବିତ୍ର ଓ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ଭଦ୍ରକବାସୀ ସ୍ଵତଃ ପ୍ରବୃତ୍ତ ହଜାର ହଜାର ସଂଖ୍ୟାରେ ସାମିଲ ହେବାକୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆଗ୍ରହ କରାଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଶ୍ରୀରାମ ମହାଯଜ୍ଞ ସମିତିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢିଆରୀ, ଉପ ସଭାପତି ତ୍ରିଲୋଚନ ନାୟକ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ ଏବଂ ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ ଓ ଆଇନଜୀବୀ ତୁଷାର କାନ୍ତ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *