ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳାର ଉଦ୍ଯାପନୀ ଉତ୍ସବ
ଭଦ୍ରକ; ୧୨/୦୧/୨୦୨୬; ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦ୍ଯାପନୀ ଉତ୍ସବ ଆଜି ଭଦ୍ରକ ସ୍ଥିତ ନେହେରୁ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାଣ୍ଡାରୀପୋଖରୀ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଗ୍ରାମୀଣ ଅର୍ଥନୀତିର ମୁଖ୍ୟ ସ୍ରୋତଧାରା ବୋଲି ଉଲ୍ଲେଖ କରିଥିଲେ। ସେ ଯୁବକ-ଯୁବତୀମାନଙ୍କୁ ଚାକିରି ପଛରେ ନ ଧାଇଁ ମାଛ ଓ ପଶୁପାଳନକୁ ଜୀବିକାର ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ।ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଦେଶୀ ଗାଈ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଯୋଗଦେଇ ଉନ୍ନତ ଓ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଓ ପଶୁପାଳନ କରିବା ପାଇଁ ଚାଷୀମାନଙ୍କୁ ପ୍ରେରିତ କରିଥିଲେ।

ମେଳାରେ ବୈଜ୍ଞାନିକ ତଥା ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଡ଼. ଅମିତାଭ ପଣ୍ଡା ଓ ଡ଼. ଭବାନୀ ପ୍ରସାଦ ମହାପାତ୍ର ଉପସ୍ଥିତ ରହି ଚାଷୀମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ।ଏହି ମେଳାରେ ଆଜି ୫୦୦ରୁ ଅଧିକ ଚାଷୀ ଯୋଗଦେଇ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ନୂତନ ଜ୍ଞାନ ଓ କୌଶଳ ଅର୍ଜନ କରିଥିଲେ। ମେଳା ଅବସରରେ ସର୍ବଶ୍ରେଷ୍ଠ ୪ ଜଣ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପଶୁଚିକିତ୍ସାଧିକାରୀ ଡ଼. ବିଜୟ କେତନ ପଟ୍ଟନାୟକ, ଡ଼. ଜ୍ୟୋତି ରଞ୍ଜନ ମିଶ୍ର, ଡ଼. ଅରୁଣ କୁମାର ମଲ୍ଲିକ, ଉପଖଣ୍ଡ ପଶୁଚିକିତ୍ସାଧିକାରୀ ଡ଼. ସୁନୀଲ କୁମାର ଭୁୟାଁ ଓ ତିହିଡ଼ି ବ୍ଲକ ପଶୁଚିକିତ୍ସାଧିକାରୀ ଡ଼. ନିରାକାର ଜେନା ପରିଚାଳନା କରିଥିଲେ।ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଧିକାରୀ ଡ଼. ହୃଷୀକେଶ ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ମାଛ ଅଧିକାରୀ ଶ୍ରୀ ଅମର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
