ରାଜଧାନୀରେ ଜମିବ ମକର ମାହୋଲ : ଶିଶିର ମେଳାରେ ଗୁଡ଼ି ଉତ୍ସବ

ଭୁବନେଶ୍ୱର,୧୩/୦୧/୨୦୨୬: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା, ଆନନ୍ଦ ଓ ଉତ୍ସବର ମାହୋଲକୁ ନୂଆ ପିଢ଼ି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ ଓ ସୁଭଦ୍ରା ଶକ୍ତି ପକ୍ଷରୁ ‘ଶିଶିର ସରସ-୨୦୨୬’ ମେଳା ପରିସରରେ ବୁଧବାର ଏକ ବିଶେଷ ‘କାଇଟ୍‌ ଶୋ’ର ଆୟୋଜନ କରାଯିବ। ଏହି ‘କାଇଟ୍‌ ଶୋ’ ସନ୍ଧ୍ୟା ୪ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ, ଯେଉଁଠାରେ ପାରମ୍ପରିକ ଓ ଆଧୁନିକ ଡିଜାଇନର ବିଭିନ୍ନ ପ୍ରକାର ଗୁଡ଼ିରେ ଆକାଶ ରଙ୍ଗୀନ ହେବ। ଏହା ସହ ପଶୁପକ୍ଷୀ ଆକୃତିର ବେଲୁନ୍‌ ଗୁଡ଼ି ବିଶେଷକରି ପିଲାମାନଙ୍କ ମନ ମୋହିବ। ଚଳିତ ବର୍ଷ ସମସ୍ତ ପରିଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ମାଞ୍ଜା ବ୍ୟବହାର କରାଯିବ ନାହିଁ, ଯାହା ମେଳାକୁ ଏକ ସୁରକ୍ଷିତ ଉତ୍ସବର ରୂପ ଦେବ। ଏହା ସହ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଗୁଡ଼ି ତିଆରି କଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ବିଶେଷ କର୍ମଶାଳା ମଧ୍ୟ ଆୟୋଜିତ ହେବ, ଯେଉଁଠାରେ ଶିଶୁ ଓ ଯୁବପିଢ଼ି ପାରମ୍ପରିକ ଓ ସୃଜନାତ୍ମକ ଗୁଡ଼ି ତିଆରିର ପ୍ରାୟୋଗିକ ଜ୍ଞାନ ଅର୍ଜନ କରି, ନିଜେ ତିଆରି କରିଥିବା ଗୁଡ଼ି ଉଡ଼ାଇ ମକର ପର୍ବର ଆନନ୍ଦ ଉଠାଇବେ। ଏମାନଙ୍କ ମଧ୍ୟରୁ ଦକ୍ଷ ଗୁଡ଼ି ଉଡାଳିଙ୍କୁ ନେଇ ଗୁରୁବାର ଦିନ ଏକ ପ୍ରତିଯୋଗିତା ଆୟୋଜିତ ହେବ। ଓଡ଼ିଶା ସରକାର ସବୁ ସମୟରେ ରାଜ୍ୟର ସାଂସ୍କୃତିକ ପରମ୍ପରାର ସୁରକ୍ଷା ଓ ପ୍ରଚାର-ପ୍ରସାର ପାଇଁ ପ୍ରୟାସରତ ଥିବା ବେଳେ, ଓରମାସର ଏହି ଉଦ୍ୟମକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସ୍ୱାଗତ କରିଛନ୍ତି। ରାଜଧାନୀବାସୀଙ୍କୁ ମେଳାରେ ଯୋଗଦେଇ ମକର ସଂକ୍ରାନ୍ତିକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବାକୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ, ମେଳାରେ ଭିଡ଼ ଜମିଲେ

ଗ୍ରାମୀଣ ଉତ୍ପାଦର ବିକ୍ରୟ ବୃଦ୍ଧି ପାଇବା ସହ ମକର ପର୍ବର ଖୁସି ଗାଁ-ଗାଁକୁ ପହଞ୍ଚିବ।ଉଲ୍ଲେଖନୀୟ ଯେ, ‘ମିନି ଇଣ୍ଡିଆ ଫେୟାର’ ଭାବେ ପରିଚିତ ଏହି ମେଳାରେ କେବଳ ଓଡ଼ିଆ ସଂସ୍କୃତି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଆପଣାଇବାର ପ୍ରୟାସ କରାଯାଉଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଆସାମର ବିହୁ ଲୋକନୃତ୍ୟ ମେଳା ପରିସରରେ ପରିବେଷଣ ହେବ।ଅପରପକ୍ଷେ, ମେଳା ପରିସରରେ ଫୁଡ୍‌ ଷ୍ଟଲ୍‌, ହସ୍ତଶିଳ୍ପ ଓ ହସ୍ତତନ୍ତ ଷ୍ଟଲ୍‌ଗୁଡ଼ିକରେ ଲୋକଗହଳି ସହ, ଲାଇଭ୍‌ କାଉଣ୍ଟର ପରିସରରେ ସମ୍ବଲପୁରୀ ଗହଣା, ଲାଖ ଚୁଡ଼ି ଓ ସବାଇ ଘାସରେ ପସନ୍ଦର ଜିନିଷ ତିଆରି କରିବା ପାଇଁ ଯୁବପିଢ଼ିଙ୍କ ଭିଡ଼ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ, ମେଳାର ପ୍ରଥମ ତିନି ଦିନରେ ବିକ୍ରୟ ରାଶି ୩.୬ କୋଟି ଟଙ୍କା ପାର ହୋଇଥିବା ବେଳେ, ଆଗାମୀ ଦିନଗୁଡ଼ିକରେ ଏହା ଆହୁରି ବଢ଼ିବାର ଆଶା କରାଯାଉଛି।ଆଦିତ୍ୟ ନାରାୟଣ ସାମଲଲୋକସଂପର୍କ ଅଧିକାରୀ – ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ

Leave a Reply

Your email address will not be published. Required fields are marked *