ରଥଯାତ୍ରା-୨୦୨୬ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୧୩.୦୧.୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଗାମୀ ୨୦୨୬ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏଥି ପାଇଁ ଆଗୁଆ ପ୍ରସ୍ତୁତି ନିମନ୍ତେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ ଥିଲା। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜିପି ଡଃ. ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ, ଶିଳ୍ପ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଗୃହ ନିର୍ମାଣ ଓ ନଗର ଊନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ଜାତୀୟ ରାଜପଥ କର୍ତ୍ତୃପକ୍ଷ,ଜିଲ୍ଲାପାଳ,ପୁରୀ, ଆରକ୍ଷୀ ଅଧିକ୍ଷକ ପୁରୀ ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ରଥ ଯାତ୍ରା ସହିତ ସଂପୃକ୍ତ ଅନ୍ୟ ବିଭିନ୍ନ ସଂସ୍ଥାର ବରିଷ୍ଠ କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ବିଶ୍ୱ ପ୍ରସିଦ୍ଧ ପୁରୀର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏ ବର୍ଷ ଜୁଲାଇ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ବିଭିନ୍ନ ପଞ୍ଜିକାରେ ତାରିଖ ରହିଛି । କିନ୍ତୁ ଏ ନେଇ ଶ୍ରୀମନ୍ଦିରର ପାରମ୍ପରିକ ନୀତି ଅନୁସାରେ ଛତିଶା ନିଯୋଗ କମିଟି, ମୁକ୍ତି ମଣ୍ଡପ ଏବଂ ଶ୍ରୀମନ୍ଦିରର ଅନ୍ୟ ବିଭିନ୍ନ କମିଟିର ନିଷ୍ପତ୍ତି କ୍ରମେ ରଥଯାତ୍ରା ପାଳିତ ହେବ ଓ ସେହି ଅନୁସାରେ ୯ ଦିନ ପରେ ବାହୁଡା ଓ ପରେ ପରେ ସୁନାବେଶ ଆଦି ନୀତି ଅନୁଷ୍ଠିତ ହେବ ବୋଲି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢୀ ସୂଚନା ଦେଇଥିଲେ । ଏହା ପୂର୍ବରୁ ଆଗାମୀ ଜାନୁଆରୀ ୨୩ ରେ ବସନ୍ତ ପଞ୍ଚମୀରେ ରଥ କାଠ ପୂଜନ ଉତ୍ସବ, ୨୭ ମାର୍ଚ୍ଚ ଶ୍ରୀରାମ ନବମୀରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ , ଅପ୍ରେଲ ୨୦ ରେ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣର ଅନୁକୂଳ ଏବଂ ୨୯ ଜୁନ୍ରେ ସ୍ନାନ ଯାତ୍ରା ପଡୁଥିବା ନେଇ ସେ ସୂଚନା ଦେଇଥିଲେ । ଆଜିଠାରୁ ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରଥଯାତ୍ରା ପାଇଁ ରଥ କାଠ ସଂଗ୍ରହ ଠାରୁ ଆରମ୍ଭ କରି ରଥ ନିର୍ମାଣ ଏବଂ ରଥ ଟଣା ପର୍ଯ୍ୟନ୍ତ ଏହି ଭିତରେ ବହୁ କାର୍ଯ୍ୟ ଓ ରୀତି ନୀତି ରହିଛି । ରଥଯାତ୍ରାରେ ପୁରୀରେ ପ୍ରତି ବର୍ଷ ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମ ହେଉଥିବାରୁ ଶୃଙ୍ଖଳିତ ରଥଯାତ୍ରା ନେଇ ବିଭିନ୍ନ ପ୍ରସ୍ତୁତି ପାଇଁ ସମନ୍ୱୟର ଆବଶ୍ୟକତା ରହିଛି । ରଥଯାତ୍ରା ଆହୁରି ୬ ମାସ ପରେ ଅନୁଷ୍ଠିତ ହେଉଥିବାରୁ ରଥଯାତ୍ରା ପରିଚାଳନାକୁ ତ୍ରୁଟି ଶୂନ୍ୟ କରିବା ଲକ୍ଷ୍ୟରେ ସମସ୍ତ କାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଏ ନେଇ ଆଗୁଆ ପ୍ରସ୍ତୁତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ, ପୁରୀ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଯୋଗଦେଇ ରଥଯାତ୍ରା ପରିପ୍ରେକ୍ଷୀରେ ପ୍ରସ୍ତୁତି, ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ ପରିପ୍ରେକ୍ଷୀରେ ଆବଶ୍ୟକ ପୁଲିସ ମୁତୟନ ସଂପର୍କରେ ସୂଚନା ଉପସ୍ଥାପନ କରିଥିଲେ । ବୈଠକରୁ ଜଣାପଡିଛି ଯେ ରଥ କୋଡ୍ ଅନୁସାରେ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ଥିବା ବେଳେ ଏବେ ୪୭ ଟି କାଠ ଉପଲବ୍ଧ ଅଛି ଏବଂ ଆଉ ୮୧୮ ଖଣ୍ଡ କାଠ ସଂଗ୍ରହ ହେବ । ଏଥି ପାଇଁ ଡିଏଫଓ, ନୟାଗଡଙ୍କୁ ଆବଶ୍ୟକ ଅସନ, ଧଉରା ଏବଂ ଡିଏଫଓ, ଖୋର୍ଦ୍ଧା କଞ୍ଚା କାଠ ଓ ବଲ୍ଲା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏଥି ପାଇଁ ଗତ ଜାନୁଆରୀ ୯ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ)ଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଠିକ ସମୟରେ ରଥ କାଠ ଯୋଗାଇବାକୁ ଅନୁରୋଧ କରାଯାଇଛି । ବିଶେଷ କରି ରଥ ଟଣା ସମୟରେ ରଥ ସମ୍ମୁଖରେ ଅଧିକ ଭିଡ ନିୟନ୍ତ୍ରଣକୁ ନେଇ ଆଲୋଚନା କରାଯାଇଥିଲା । ରଥ ଟଣା ସମୟରେ ଯେପରି ରଥ ପାଖାପାଖି ଅଂଚଳରେ ଅଧିକ ସଂଖ୍ୟକ ଭକ୍ତଙ୍କ ଭିଡ ନହେବ, ସେଥିପାଇଁ ଭକ୍ତ ତଥା ଜନସାଧାରଣଙ୍କ ସୂଚନା ନିମନ୍ତେ ବଡ ଦାଣ୍ଡରେ ଅଧିକ ସଂଖ୍ୟକ ଏଲଇଡି ଟିଭି ଲଗାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିୟମିତ ପ୍ରସ୍ତୁତି ଓ ଚଳିତ ରଥଯାତ୍ରା ପାଇଁ ଅଧିକ ପ୍ରସ୍ତୁତି ନେଇ ବିଭାଗର କମିଶନର ତଥା ଶାସନ ସଚିବ ସୂଚନା ଦେଇଥିଲେ । ବଡ ଦାଣ୍ଡ ପାର୍ଶ୍ୱ ଅଂଚଳର ସ୍ୱଚ୍ଛତା ରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନମାନେ ଉପଯୁକ୍ତ ବ୍ୟବସ୍ଥା କରି ନ କରି ମାଗଣା ରନ୍ଧା ଖାଦ୍ୟ ବିକ୍ରୟ କରିପାରିବେ ନାହିଁ । ଏଥି ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ ହେବ । ବଡ ଦାଣ୍ଡ ପାର୍ଶ୍ୱରେ ବିଶେଷଜ୍ଞ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନେଇ ଅଧିକ ସଂଖ୍ୟକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବା ନେଇ ଆଲୋଚନା କରାଯାଇଥିଲା । ଓ୍ୱାଟକୋ ତରଫରୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ତରଫରୁ ଆବଶ୍ୟକ ସହଯୋଗ କରାଯିବ । ଭକ୍ତ ତଥା ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବଡ ଦାଣ୍ଡ ପାର୍ଶ୍ୱରେ ଓ ନିକଟରେ ଯେଉଁ ସରକାରୀ କାର୍ଯ୍ୟାଳୟରେ ବା କୋଠାରେ ଯାଗା ସୁବିଧା ଅଛି ସେଠାରେ ସ୍ଥାୟୀ ଶୌଚାଳୟ ନିର୍ମାଣ ହେବ । ବୈଠକରେ ବାଙ୍କୀ ମୁହାଣ ସଫା ରଖିବା ଓ ପରିଚାଳନା ନେଇ ଆଲୋଚନା କରାଯାଇଥିଲା । ଟିପିସିଓଡିଏଲ ତରଫରୁ ରଥଯାତ୍ରା ସମୟରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା ପାର୍ଇ ସମସ୍ତ ପ୍ରସ୍ତୁତି ରହିଛି । ପୁରୀ ସହର ଭିତରେ ବିଭିନ୍ନ ରାସ୍ତାର ମରାମତି ଆବଶ୍ୟକ ଥିବାରୁ ଏପ୍ରିଲ ମାସ ସୁଦ୍ଧା ସାରିବାକୁ ପୂର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ସମୁଦ୍ର କୂଳରେ ବଡ ବଡ ମେଗା ଇଭେଣ୍ଟ ଆୟୋଜନ କରିବାରେ କଟକଣା ରହିବ । ଆମ୍ବୁଲାନ୍ସ ଗୁଡିକ ଯେପରି ଏପଟ ସେପଟ ଗତି ନ କରି ସୁବିଧାରେ ଯାତାୟତ କରିପାରିବେ, ସେଥି ପ୍ରତି ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବଡଦାଣ୍ଡ ପାର୍ଶ୍ୱରେ କେଉଁଠି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସୂଚନା କେନ୍ଦ୍ର, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ପ୍ରସ୍ଥାନ ବ୍ୟବସ୍ଥା ରହୁଛି, ସେ ସଂପର୍କରେ ଗ୍ଲୋ ସାଇନେଜ୍ ବ୍ୟବସ୍ଥା ଯଥେଷ୍ଟ ସଂଖ୍ୟକ କରିବାକୁ ପରାମର୍ଶ ଦିଆଯାଇଛି । ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ସହ ଅଧିକ ୩୦୦ ରୁ ୪୦୦ ଶୌଚାଳୟ ନିର୍ମାଣ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି । ପ୍ରତି ମାସରେ ରଥଯାତ୍ରା ସମୀକ୍ଷା ବୈଠକ ହେବ । ଆଗାମୀ ବୈଠକରେ ସଂପୃକ୍ତ ବିଭାଗମାନେ ସେମାନଙ୍କ କାର୍ଯ୍ୟ ଅଗ୍ରଗତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ମାସରେ ବର୍ଷା ସମ୍ଭାବନା ଥିବାରୁ ଡାକ୍ତରଖାନା ଛକରେ ଡ୍ରେନେଜ ସମସ୍ୟା ଉପୁଜିଲେ ଏଥି ପାଇଁ ଆଗୁଆ ପ୍ରସ୍ତୁତି ବ୍ୟବସ୍ଥା ରହିବ । ଚଳିତ ବର୍ଷ ଅଧିକ ସଂଖ୍ୟାରେ ପୁଲିସ ମୁତୟନ ପାଇଁ ପୁଲିସ ମହାନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ । ପୁଲିସ ଅଧିକାରୀ ଓ ଷ୍ଟାଫ ମାନଙ୍କ ରହଣି ପାଇଁ ଅଧିକ ଶୌଚାଳୟ ବ୍ୟବସ୍ଥା ଓ ଆନୁଷଙ୍ଗିକ ସୁବିଧା ପାଇଁ ପୁରୀ ଏସପି ଅନୁରୋଧ କରିଥିଲେ । ପୁରୀ ବଡଦାଣ୍ଡର ଅସୁରକ୍ଷିତ କୋଠା ଯାଞ୍ଚ କରି ଏହାକୁ ବ୍ୟବହାର ନକରିବାକୁ ବିଜ୍ଞପ୍ତି କରାଯିବ । ପୁରୀର ତାଳ ବଣିଆ ସମେତ ବିଭିନ୍ନ ସ୍ଥାନରେ ପାର୍କିଂସ୍ଥଳ ସହିତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଉତ୍ତରା ଛକରୁ ପୁରୀ ମଧ୍ୟରେ ୫୦୦ ଟି ପାର୍କିଂ ସ୍ଥଳ ଉପଯୁକ୍ତ ଆଲୋକ ବ୍ୟବସ୍ଥା କରିବାକୁ ଡଜିପି ପରାମର୍ଶ ଦେଇଛନ୍ତି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପାର୍କିଂ ସମେତ ବିଭିନ୍ନ ସୁବିଧା ପାଇଁ ଆଗୁଆ ସମନ୍ୱୟ ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ମଧ୍ୟରେ ଓବିସିସି ତରଫରୁ ଯେଉଁସବୁ ପ୍ରକଳ୍ପ ହାତକୁ ନିଆଯାଇଛି, ସେଗୁଡିକୁ ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘୋଷଯାତ୍ରା ପାଇଁ ସେସବୁ କାର୍ଯ୍ୟ ନିତାନ୍ତ ଆବଶ୍ୟକତା ଥିବାରୁ ଏ ସଂପର୍କରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଓବିସିସିଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବ ମଧ୍ୟ ଶ୍ରୀମନ୍ଦିର ନିକଟସ୍ଥ ଜେବିପିସି ଏବଂ ମଶାଣୀ ଚଣ୍ଡୀ ଠାରେ ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକୁ ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରତି ବର୍ଷ ରଥଯାତ୍ରା ପୂର୍ବରୁ ମାନ୍ୟବର ଆଇନମନ୍ତ୍ରୀ ଓ ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରଥଯାତ୍ରାର ୭ରୁ ୧୦ ଦିନ ପୂର୍ବରୁ ସମୀକ୍ଷା କରିଥାଆନ୍ତି । ଏ ବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆଗୁଆ ପ୍ରସ୍ତୁତି ନେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ବିଭିନ୍ନ ସମୟରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ ମାଜିଷ୍ଟେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥାଏ । ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସମୟରେ ଜିଲ୍ଲାରେ ରଥଯାତ୍ରା ପ୍ରସ୍ତୁତି ନେଇ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିଥାନ୍ତି । ଗତ ବର୍ଷର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏ ବର୍ଷ ଯେପରି ରଥଯାତ୍ରା ସମୟରେ କୌଣସି ତ୍ରୁଟି ନହୁଏ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ସହ ନିଜ ନିଜ ବିଭାଗୀୟ ଦାୟିତ୍ୱ ନିର୍ଭୁଲଭାବେ ପରିଚାଳନା କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ବର୍ଷ ଦୁଇ ଗୋଟି ଚାରମାଳ ପ୍ରସୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଫିକ୍ ଗହଳି ରହୁଥିବା ପୁରୀର ସିଦ୍ଧ ମହାବୀର ରୋଡ ଓଭରବ୍ରିଜ କାମ ନିର୍ମାଣାଧିନ ଥିବାରୁ ଏହାକୁ ଶୀଘ୍ର ସାରିବାକୁ ଭୁବନେଶ୍ୱର ଜାତୀୟ ରାଜପଥ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ରଥଯାତ୍ରା ସଂପର୍କିତ ଅନ୍ୟ ଏନଏଚ କାର୍ଯ୍ୟ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗ ତରଫରୁ ପୁରୀ ରେଳ ଷ୍ଟେସନ ନିକଟରେ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଟିକେଟ ବୁକିଂ କାଉଣ୍ଟର ରହିବା, ରେଳ ଚଳାଚଳ ସଂପର୍କିତ ଆଗୁଆ ବ୍ୟାପକ ସୂଚନା ବ୍ୟବସ୍ଥା ସହ ଅନ୍ଲାଇନ ବୁକିଂ ସିଷ୍ଟମରେ ଟିକେଟ ସଂରକ୍ଷଣକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
