ବିଦାୟକାଳୀନ ସମ୍ବର୍ଦ୍ଧନା ସଭା “କସ୍ତୁରୀ” ,

ଗଣିଆ – ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢିବା ପାଇଁ ପ୍ରଥମ ପସନ୍ଦ ପାଲଟିଥିବା ଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟର ଦ୍ବିତୀୟ ବର୍ଷର ବିଦ୍ୟାର୍ଥୀ ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା “କସ୍ତୁରୀ” ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ନୂତନ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂରାତନ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା,ମହାବିଦ୍ୟାଳୟର ସମ୍ପାଦକ ଏଲଡାଡ କାଇଁଣ୍ଡସେଥ, ପରିଚାଳନା କମିଟିର ମୁଖ୍ୟ କବିନ ଚନ୍ଦ୍ର ସାମନ୍ତରାୟ,ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ଏଏସଆଇ ଶାହା ଆଲାମ ଖାଁ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦାୟୀ ଛାତ୍ର ଛାତ୍ରୀ ମାନେ ବିଗତ ଦିନର ସ୍ମୃତି ମନେ ପକାଇବା ସହିତ ଭଲ ପାଠ ପଢି ମହାବିଦ୍ୟାଳୟର ନାଁ ରଖିବାକୁ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ସବୁବେଳେ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଅତିଥି ମାନେ ପରାମର୍ଶ ଦେବା ସହିତ ଫେସବୁକ, ଇନଷ୍ଟାଗ୍ରାମ ଠାରୁ ଦୂରରେ ରହିବାକୁ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାରୁ ପୂର୍ବତନ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା କୃତଜ୍ଞତା ଜ୍ଞାପନ କରିଥିଲେ । ଶିକ୍ଷାର ମାଧ୍ୟମ ମୋବାଇଲ ବଦଳରେ ବହି ହେଉ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ଏକ ସ୍ବତନ୍ତ୍ର ନାଁ “କସ୍ତୁରୀ” ଦିଆଯିବା ସମ୍ପର୍କରେ ମତ ଦେଇ ଅଧ୍ୟକ୍ଷ ଜଣାଇଥିଲେ ଯେ ସଂସ୍କୃତିର ମଧୁର ଝଲକ ହେଉଛି କସ୍ତୁରୀ ଯାହା ବିଦାୟୀ ବନ୍ଧୁଙ୍କ ପୁନରାଗମନର ବାର୍ତ୍ତାବହ ବୋଲି ସେ ପ୍ରକାଶ କରିଥିଲେ । ଏପରିକି ପ୍ରକୃତ ଶିକ୍ଷା ସହିତ ଉତ୍ତମ ସଂସ୍କୃତି ଆମର ଲକ୍ଷ୍ୟ ବୋଲି ଉପାଧ୍ୟକ୍ଷ ମତପୋଷଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ତରଫରୁ ଏକ ଶିକ୍ଷଣୀୟ ସାମାଜିକ ନାଟକ ସପନର ସମାଧି ମଞ୍ଚସ୍ଥ ହୋଇଥିଲା ଯାହା ଅତ୍ୟନ୍ତ ମନୋମୁଗ୍ଧକର ଥିଲା ।

Leave a Reply

Your email address will not be published. Required fields are marked *