ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

ଭୁବନେଶ୍ୱର, 13 ଜାନୁଆରୀ:ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମାଚାର ପ୍ରଭାଗରେ ନବନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନୂତନ ଭାବେ ଦୂରଦର୍ଶନ କେନ୍ଦ୍ରରେ ଯୋଗ ଦେଇଥିବା ଚୁକ୍ତିଭିତ୍ତିକ କର୍ମଚାରୀ ଓ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ବୃତ୍ତିଗତ ମନୋଭାବ, କର୍ତ୍ତବ୍ୟ ପ୍ରତି ସମର୍ପଣ ଏବଂ କାର୍ଯ୍ୟସ୍ଥଳରେ ବ୍ୟକ୍ତିଗତ ପ୍ରଗତି ଆଦି ପ୍ରସଙ୍ଗରେ ମାର୍ଗଦର୍ଶନ କରିଥିଲେ।

ସେ ଯୋଗାଯୋଗର ବିଭିନ୍ନ ଉପାଦାନ ବିଷୟରେ ମତ ରଖିବା ସହିତ ଯୁବ ପେସାଦାରମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଏକାଗ୍ରତା, ଉତ୍ପାଦକତା ଏବଂ ଦକ୍ଷତାରେ ସୁଧାର ଆଣିବା ଲାଗି ତାଲିକା ପ୍ରସ୍ତୁତ କରି କାର୍ଯ୍ୟ କରିବାର ଅଭ୍ୟାସ ବିକଶିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ସମାଚାର ବିଭାଗ ମୁଖ୍ୟ ତଥା ଉପନିର୍ଦ୍ଦେଶକ ଡକ୍ଟର ଅଭିଷେକ ମିଶ୍ରା, ବାର୍ତ୍ତା ସମ୍ପାଦକ ସୁଦର୍ଶନ ସାହୁ, ପଦ୍ମଲୋଚନ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *