ଜୀବ ଓ ପରମ
     ( ରାଗ — କଲ୍ୟାଣ ଆହାରୀ )

 ✍🏼କବିରତ୍ନ ନୂତନ କୁମାର ବେହେରା

ସୃଷ୍ଟିର ସିଦ୍ଧାନ୍ତ ଅପରିବର୍ତ୍ତିତ
   ସତ୍ୟ ଶାଶ୍ଵତ ଚିରନ୍ତନ,
ବିଧିର ବିଧାନରେ ପରିଚାଲିତ
   ହୁଅଇ ଜୀବଙ୍କ ଜୀବନ,
           ଜଗତେ,
   ସମ୍ବଳ ଯୋଗାଏ ପ୍ରକୃତି,
ମନର ବିଚାରେ କରିଥାନ୍ତି କର୍ମ
  ଇନ୍ଦ୍ରିୟେ ପାଆନ୍ତି ଶକତି।୧।

ଆତ୍ମା ପରମାତ୍ମା ଜୀବ ଓ ପରମ
    ଅତୁଟ ସଂପର୍କରେ ବନ୍ଧା,
ସୂର୍ଯ୍ୟ ଓ ରଶ୍ମି ସମ ଏକ ଅଭିନ୍ନ
     ଅଦୃଶ୍ୟର ସୂତ୍ରେ ଛନ୍ଦା,
              ଜଗତେ,
    ସ୍ଥୂଳ ସୂକ୍ଷ୍ମର ରୂପେ ବ୍ୟାପ୍ତ,
ନୀତି ନିୟମରେ ଭାବ ବିନିମୟ
ହୁଏନା କେବେ ତା’ ସମାପ୍ତ।୨।

ପୂର୍ଣ୍ଣ ସମର୍ପଣେ ଜୀବର କଲ୍ୟାଣ
    ହୋଇଥାଏ ତାର ଜୀବନେ,
ଆତ୍ମଜ୍ଞାନେ ଯିଏ ରହେ ନିରପେକ୍ଷ
    ଏକାଗ୍ରତା ଆଣଇ ମନେ,
               ଜଗତେ,
      ହୁଏ ଶୃଙ୍ଖଳିତ ମାର୍ଜିତ,
ଜାଣି ତତ୍ତ୍ଵଭାବ କରେ ବିନିଯୋଗ
   ସାଧନା ତାର ଯେ ମହତ।୩।

ବ୍ୟତିକ୍ରମ ହେଲେ ଆସେ ପ୍ରତିକୂଳ
     ଆତ୍ମା ମନକୁ କରେ ପ୍ରଶ୍ନ,
ସତରେ ତୁମେ କ’ଣ ଈଶ୍ଵର ଭକ୍ତ
   ତେବେ କିଆଁ ଆସଇ ବିଘ୍ନ ?
             ଜଗତେ,
    ସତ୍ୟ ବଳେ ଈଶ୍ଵର ପ୍ରାପ୍ତି,
ନ୍ୟାୟ ଆଚରଣ ଦିବ୍ୟ ଆରାଧନା
      ଆଣି ଦେଇଥାଏ ତୃପ୍ତି।୪।

ଅର୍ଥ ପରମାର୍ଥ ବୁଝି ଭବେ ପ୍ରାଣୀ
     ରହିଥାଏ ସେ ଅନାସକ୍ତ,
ନିଜ ସ୍ଵାର୍ଥେ ବ୍ୟସ୍ତ ହୋଇ ଥିଲେ ବଶ
     ସେ କି ହୁଏ ଈଶ୍ବର ଭକ୍ତି ?
               ଜଗତେ,
       ସମୂହ ହିତ ପାଇଁ କର୍ମ,
କରେ ଯେ ଅନର୍ଥ ତା’ ଜୀବନ ବ୍ୟର୍ଥ
      ତତ୍ତ୍ଵଭାବ ବୁଝାଏ ଧର୍ମ।୫।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *