ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ରଙ୍କ ପରଲୋକ

କାକଟପୁର- ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବିପ୍ଲବୀ ରାଜନେତା, କୃଷକ ଆନ୍ଦୋଳନର ଅଗ୍ରଦୂତ, ପ୍ରବୀଣ ସାରସ୍ୱତ ସାଧକ ତଥା ସାମ୍ୟବାଦୀ ଚେତନାର ବରେଣ୍ୟ ପ୍ରତିଭା ସୋମନାଥ ପାତ୍ର ଆଉ ନାହାନ୍ତି | ଗୁରୁବାର ୧୦୩ ବର୍ଷ ବୟସରେ କନିଷ୍ଠ ପୁତ୍ର ନଗେନ୍ଦ୍ର ପାତ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି | ଏହି ଖବର ପ୍ରଚାରିତ ହେବା ପରେ ବହୁ ରାଜନେତା, ବୁଦ୍ଧିଜୀବୀ ଓ ଶୁଭେଛୁ ତାଙ୍କର ଶେଷ ଦର୍ଶନ କରିଛନ୍ତି | ।ସ୍ବର୍ଗତ ପାତ୍ରଙ୍କ ଜନ୍ମ ୧୯୨୪ ଏପ୍ରିଲ ୧୨ ତାରିଖରେ କାକଟପୁର ବ୍ଲକ ବାଜପୁର ଗ୍ରାମରେ ଏକ ସାଧାରଣ ପରିବାରରେ ହୋଇଥିଲା | ତାଙ୍କ ବାପାଙ୍କ ନାମ ଧନୀ ପାତ୍ର ଓ ମାଙ୍କ ନାମ ଚାନ୍ଦ ଦେଇ | ସେ ଯୁବାବସ୍ଥାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ବାର କାରାବରଣ କରିଥିଲେ | ତାଙ୍କର ୪୦ରୁ ଅଧିକ ପୁସ୍ତକ ପ୍ରକାଶ ପାଇଁ ପାଠକୀୟ ଆଦୃତି ଲାଭ କରିଛି | ସେ ମଧ୍ୟ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ସ୍ତମ୍ଭ ଲେଖୁଥଲେ | ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର ଗଗନ ପାତ୍ର ଓ ନଗେନ୍ଦ୍ର ପାତ୍ର ଏବଂ ଝିଅ ନନ୍ଦିନୀ, ଜ୍ୱାଇଁ ଜ୍ଞାନେନ୍ଦ୍ର ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ | ପୂର୍ବରୁ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା | କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, କୃଷକ ସଭାର ଜାତୀୟ ଉପସଭାପତି ଆଶିଷ କୁମାର କାନୁନଗୋ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ପୂର୍ବତନ ବିଧାୟକ ବାଇଧର ମଲିକ, ରବି ମଲିକ, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣେଇଥିଲେ |

Leave a Reply

Your email address will not be published. Required fields are marked *