ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର, ଗଣିଆର ଦୁଃଖ ବାଇପାସ୍ ନିର୍ମାଣ
ଗଣିଆ – ଗଣିଆ ବ୍ଲକ ସଭା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ମଧୁମିତା ରଥ, ଉପଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ, ବିଡ଼ିଓ ଲବନେନ୍ଦୁ ମହାନ୍ତି,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁଙ୍କ ସମେତ ଶିକ୍ଷା , ସ୍ବାସ୍ଥ୍ୟ, ପାନୀୟ ଜଳ,ବନ ବିଭାଗ,କୃଷି,ପ୍ରାଣୀ ଚିକିତ୍ସା ବିଭାଗ,ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ । ଆଜି ୨୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ରାସନ କାର୍ଡ, ଭତ୍ତା , କଳାକାର ଭତ୍ତା , ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା , ପାନୀୟ ଜଳ, ଏନଆରଜିଏସ,ଷ୍ଟ୍ରିଟ୍ ଲାଇଟ୍ ସମ୍ପର୍କିତ ଅଭିଯୋଗ ହୋଇଥିଲା ବୋଲି ଜଣାପଡିଛି । ଗଣିଆର ଦୁଃଖ ବାଇପାସ୍ ନିର୍ମାଣ, ଏଥିପାଇଁ ଦୃଷ୍ଟି ଦେବାକୁ ସରପଞ୍ଚ ସଂଘ ତରଫରୁ ନିବେଦନ କରାଯାଇଥିଲା । ବାଇପାସ୍ ନିର୍ମାଣ କାର୍ଯ୍ୟ କେତେଦୂର ଯାଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଛାମୁଣ୍ଡିଆ ରାସ୍ତା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ସହକାରୀ ଯନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
