ମୟୂରଭଞ୍ଜ ଜିଲ୍ଲାରେ ଇଗ୍ନୋର ଉପସ୍ଥିତି ତଥା ପ୍ରସାର ଉପରେ ଏକ ବିସ୍ତୃତ ଆଲୋଚନା
ପ୍ରଫେସର ଉମା କଞ୍ଜିଲାଲ , ମାନନୀୟା କୁଳପତି, ଇଗ୍ନୋ, କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ମୟୂରଭଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରି ମୟୂରଭଞ୍ଜ ଜିଲ୍ଲାରେ ଇଗ୍ନୋର ଉପସ୍ଥିତି ତଥା ପ୍ରସାର ଉପରେ ଏକ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକରେ ଆଜୀବନ ଶିକ୍ଷା, ଡିଜିଟାଲ ସାକ୍ଷରତା, ଉଦ୍ୟୋଗ ବିକାଶ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ (SHG)ର ତାଲିମ ସହ ଜଡିତ ଜିଲ୍ଲା ସ୍ତରୀୟ ପଦକ୍ଷେପକୁ ସମର୍ଥନ କରିବାରେ ଇଗ୍ନୋର ସମ୍ଭାବନା ଉପରେ ଆଲୋକପାତ କରାଯାଇଥିଲା | ମିଳିତ ସଚେତନତା କାର୍ଯ୍ୟକ୍ରମ, ତାଲିମ କର୍ମଶାଳା ଏବଂ ସମ୍ପ୍ରଦାୟ ଭିତ୍ତିକ ଶିକ୍ଷାଗତ ହସ୍ତକ୍ଷେପ ପରିଚାଳନା କରିବାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା ଏବଂ ବିଚାର ବିମର୍ଶ କରାଯାଇଥିଲା |ପ୍ରକାଶ ଥାଉକି ମାନନୀୟା କୁଳପତି ଇଗ୍ନୋର ରାଇରାଙ୍ଗପୁର ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ଗତକାଲି ପରିଦର୍ଶନ କରିଥିଲେ | ତାଙ୍କ ସହିତ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ର ଆଶିଷ କୁମାର, ଇଗ୍ନୋ ସ୍ୱତନ୍ତ୍ର ପ୍ରୋଜେକ୍ଟ ୟୁନିଟ୍ ର ନିର୍ଦ୍ଦେଶିକା ପ୍ରଫେସର ନୟନତାରା ପାଢ଼ୀ, ଏବଂ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ରାଇରାଙ୍ଗପୁରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ମନୋଜ କୁମାର ଦାଶ ଉପସ୍ଥିତ ଥିଲେ | କୁଳପତିଙ୍କ ଗସ୍ତ ଶିକ୍ଷା ଏବଂ ଦକ୍ଷତା ମାଧ୍ୟମରେ ଆଞ୍ଚଳିକ ବିକାଶ ପାଇଁ ଇଗ୍ନୋର ପ୍ରତିବଦ୍ଧତାକୁ ସୂଚିତ କରେ ଏବଂ “ସମସ୍ତଙ୍କ ପାଇଁ ଶିକ୍ଷା” ଲକ୍ଷ୍ୟ ହାସଲ କରିବା ପାଇଁ ଜିଲ୍ଲା ତଥା ଉପ-ବିଭାଗୀୟ ପ୍ରଶାସନ ସହ ମିଳିତ ପ୍ରୟାସକୁ ଦୃଢ କରେ। ପାରସ୍ପରିକ କ୍ରିୟାଶୀଳ ବୈଷୟିକ କାର୍ଯ୍ୟକଳାପ, ଉନ୍ନତ ଶିକ୍ଷାର୍ଥୀ ସେବା ଏବଂ ନୂତନ ପ୍ରତିଷ୍ଠିତ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ର, ରାଇରଙ୍ଗପୁର ଅନ୍ତର୍ଗତ ଏହି ଅଞ୍ଚଳରେ ପ୍ରଭାବଶାଳୀ ଦକ୍ଷତା ବିକାଶ ପଦକ୍ଷେପ ପାଇଁ ବାଟ ଖୋଲିବ ବୋଲି ଆଶା କରାଯାଉଛି |
