ଭିତ୍ତିଭୂମି ବିକାଶ କାର୍ଯ୍ୟକାରିତା ସଂପର୍କିତ ୫ମ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୧.୦୧.୨୦୨୬ ରାଜ୍ୟରେ ରାସ୍ତା, ସେତୁ,ରେଳ ପ୍ରକଳ୍ପ, ପାନୀୟ ଜଳ, ଜଳସଂପଦ ଆଦି ବିଭିନ୍ନ କ୍ଷେତ୍ରରେ ବୃହତ ଭିତ୍ତିଭୂମି ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଏଥି ପାଇଁ ବିଭିନ୍ନ ସମୟରେ ଜଙ୍ଗଲ ତଥା ପରିବେଶ ମଂଜୁରୀ, ରାଜ୍ୟ ସରକାରଙ୍କ ତରଫରୁ ଜମି ଯୋଗାଇଦେବା , ଜମି ଅଧିଗ୍ରହଣ, ବିଦ୍ୟୁତ୍ ଶକ୍ତି ଯୋଗାଣ ଆଦିରେ ରହୁଥିବା ସମସ୍ୟା ଯୋଗୁଁ ପ୍ରକଳ୍ପ ଶେଷ ହେବାରେ ବିଳମ୍ବ ଘଟୁଛି । ଏଥି ପାଇଁ ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାରେ କି କି ସମସ୍ୟା ରହୁଛି ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଆଜି ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଆଜି ରାଜ୍ୟର କେତେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି । ବିଭିନ୍ନ ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ସମୟସୀମା ମଧ୍ୟରେ ସାରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରତି ମାସରେ ତଥା ବିଭିନ୍ନ ସମୟରେ ପ୍ରଗତି ବୈଠକରେ ସମୀକ୍ଷା କରୁଛନ୍ତି । ଏଣୁ ରାଜ୍ୟର ସଂପୃକ୍ତ ବିଭାଗମାନେ ନିଜ ନିଜ ସ୍ତରରେ ବିଭିନ୍ନ ସମୟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ସଂପର୍କିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସର ୩ୟ ଶନିବାର ଏହି ବୈଠକ ଅନୁ‌ଷ୍ଠିତ ହେବାକୁ ଥିବାବେଳେ ଏଥର ଅନିର୍ବାର୍ଯ୍ୟ କାରଣରୁ ଏହି ୧୭ ତାରିଖ ଶନିବାରରେ ହୋଇପାରିନଥିଲା । ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ନିୟମିତ ସମୀକ୍ଷା କରାଗଲେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରିବାରେ ସହଜ ହେବ । ଆଜିର ଅନୁଷ୍ଠିତ ବୈଠକରେ ଭଦ୍ରକ ଜିଲ୍ଲା ଧାମରା ନିବେଶ ଅଂଚଳରେ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଜମି ସୁବ୍ୟବସ୍ଥା ପାଇଁ ଇଡକୋ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା । ସେହିପରି ପାରାଦ୍ୱୀପରେ ଆଇଓସିଲ ଦ୍ୱାରା ନିର୍ମାଣଧିନ ପିଡିପିସି କେମିକାଲସ୍‌ କମ୍ପଲେକ୍ସ ପାଇଁ ଆବଶ୍ୟକ ଅବଶିଷ୍ଟ ଜମି ସୁବିଧା, ବିଦ୍ୟୁତ ଶକ୍ତି, ଜଳଯୋଗାଣ ବ୍ୟବସ୍ଥା, ପାରାଦ୍ୱୀପ ଓ କେନ୍ଦ୍ରାପଡାରେ ପେଟ୍ରୋକେମିକାଲ୍ସ ଶିଳ୍ପ ପାଇଁ ଜମି ଏବଂ ପରିବେଶ ମଂଜୁରୀ ଏବଂ ଜଳଯୋଗାଣ ସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା ।

ସେହିପରି ହିଣ୍ଡାଲକୋ-ଆଦିତ୍ୟ ଆଲୁମିନିଅମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଆଲୋଚନା ହେଇଥିଲା । ବୈଠକରେ ଅନ୍ୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ସାରିବା ନେଇ ସମୀକ୍ଷା କରାଯାଇଥିଲା । ଭିତ୍ତିଭୂମି କାର୍ଯ୍ୟ ଯେପରି ଶିଘ୍ର ଓ ସହଜରେ ହେବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆନୁସଂଗିକ କ୍ଷେତ୍ରରେ ବିକାଶ ସହଜ ଓ ତ୍ୱରାନ୍ୱିତ ହେବ । ଏଥି ପାଇଁ କେଉଁ କେଉଁ କ୍ଷେତ୍ରରେ ସଂସ୍ଥାଗତ ବିକାଶର ଆବଶ୍ୟକତା ରହୁଛି, ତାହାକୁ ସମୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଏମଏସଏମଇ ବିଭାଗ ଏବଂ ଅନ୍ୟ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *