ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ବ୍ରହ୍ମପୁର, ତା. ୨୩.୦୧.୨୦୨୬ :ସ୍ଥାନୀୟ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ସାଲିସବିହୀନ ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଗଭୀର ଶ୍ରଦ୍ଧା ଓ ସମ୍ମାନ ସହ ପାଳିତ ହୋଇଯାଇଛି।ଏହି ଅବସରରେ ମଞ୍ଚ ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ସମାଜସେବୀ କୁନି କୁମାରୀ ଦେବୀ ଏବଂ ‘ଆର୍ଯ୍ୟଭଟ୍ଟ’ର ପ୍ରତିଷ୍ଠାତା ଓ ପରିବେଶବିତ୍ ସୁଧୀର ରାଉତ ବ୍ରହ୍ମପୁର ପୁରୁଣା ଟାଉନ୍‌ହଲ୍‌ ରୋଡ୍‌ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଳ୍ୟାର୍ପଣ କରିଥିଲେ।ପରେ ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ପ୍ରତିମୂର୍ତ୍ତି ସ୍ଥଳରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବହୁ ସଦସ୍ୟ ଅଂଶଗ୍ରହଣ କରି ନେତାଜୀଙ୍କ ଜୀବନ, ଆଦର୍ଶ ଓ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ।ବକ୍ତାମାନେ କହିଥିଲେ ଯେ, ନେତାଜୀ ଏକ ଶୋଷଣମୁକ୍ତ ଭାରତବର୍ଷ ପ୍ରତିଷ୍ଠା ପାଇଁ ସାରା ଜୀବନ ଅହରହ ସଂଗ୍ରାମ କରିଥିଲେ। ସାମ୍ପ୍ରଦାୟିକତା, ଜାତିପ୍ରଥା ଓ ସାମ୍ରାଜ୍ୟବାଦୀ ଶକ୍ତି ବିରୋଧରେ ତାଙ୍କର ଲଢ଼େଇର ଆଜିବି ସମାନ ଆବଶ୍ୟକତା ରହିଛି। ଆଜି ଦେଶରେ ଦେଶୀୟ ପୁଞ୍ଜିପତିମାନେ ସାଧାରଣ ଜନଗଣଙ୍କୁ ଶୋଷଣ କରୁଥିବା ବେଳେ ପୁଞ୍ଜିବାଦ ଓ ଜାତିବାଦ ଦେଶ ପାଇଁ ଏକ ବଡ଼ ସଙ୍କଟ ରୂପେ ଦୃଶ୍ୟମାନ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରାମ ଓ ଆଦର୍ଶ ଆଜିବି ଦେଶ ପାଇଁ ସମାନ ଗୁରୁତ୍ୱବାହୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ନେତାଜୀଙ୍କ ସ୍ୱପ୍ନର ଭାରତ ଗଢ଼ିବା ପାଇଁ ତାଙ୍କ ଜୀବନରୁ ଶିକ୍ଷା ନେଇ ସମସ୍ତ ପ୍ରକାର ଶୋଷଣ ଓ ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସଭାରେ ମତବ୍ୟକ୍ତ ହୋଇଥିଲା।ଏହି ସଭାରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ‘ବିକାଶ’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଗୁଣନିଧି ବେହେରା, ମଞ୍ଚର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ନାଥ ପଣ୍ଡା, ସାଂଗଠନିକ ସମ୍ପାଦକ ମନୋଜ କୁମାର ତରାଇ, ଶିକ୍ଷକ ସଂଗଠନ ନେତା ଅଶୋକ କୁମାର ଦଳାଇ, ବିରେନ୍ କୁମାର ବେହେରା, ସମାଜସେବୀ ହୃଷିକେଶ ପାତ୍ର, ଯୁବ ରାଜନୈତିକ କର୍ମୀ ଆଦିତ୍ୟ ନାରାୟଣ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *