ରାଜ୍ୟ ସ୍ତରୀୟ ଓଡିଶା ନାଟ୍ୟ ଦିବସ ପାଳନତ୍ସୋବ
ବ୍ରହ୍ମପୁର ୨୩/୦୧/୨୬ ; କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଙ୍ଘ” ପକ୍ଷରୁ ରାଜ୍ୟସ୍ତରୀୟ ଓଡିଶା ନାଟ୍ୟ ଦିବସ ମହୋତ୍ସବ ବ୍ରହ୍ମପୁର ସହରସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ପରିସରରେ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟକ ଭଗବାନ ପାତ୍ର ଓ ସାଥୀଙ୍କ ଦାସକାଠିଆ ଏବଂ ନଳବଣ୍ଟା, ନୃସିଂହନାଥ ନାଟ୍ୟ କଳା ସଂସଦ ପରିଡା ପାର୍ଟି ପ୍ରଯୋଜିତ ‘ପ୍ରହଲ୍ଲାଦ ନାଟକ’ ପରିବେଷିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଯାତ୍ରା କଳାକାର ମଞ୍ଚମୋହନ ରାଜେନ୍ଦ୍ର ପତି ମୂଖ୍ୟ ଅତିଥି, ନାଟ୍ୟବନ୍ଧୁ ଭରତ ଚନ୍ଦ୍ର ବେହେରା ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟକାର ଅଭୟ କୁମାର ଦାସ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ମୋ ଅନୁଷ୍ଠାନ ଅଧ୍ୟକ୍ଷା କୁଞ୍ଜଲତା ମାହୁଁନ୍ତ ପ୍ରମୁଖ ଯୋଗଦେଇ ଓଡିଶା ନାଟ୍ୟ ଦିବସ ଆମ କଳାକାର ମାନଙ୍କ ସ୍ୱାଭିମାନ ଓ ଅସ୍ମିତାର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାସଂଘ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର, ଖଇରା ସ୍ଥିତ ମୋ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ବଳଦେବ ସାହୁ, ମହେନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ ଏବଂ ଜି. କାମରାଜୁ ପାତ୍ରଙ୍କୁ ସମ୍ବର୍ଦ୍ଧିତ ସହ କମ୍ବଳ ବଣ୍ଟନ କରାଯାଇଥିଲା। ମହାସଂଘ ପକ୍ଷରୁ ପ୍ରହଲ୍ଲାଦ ନାଟକକର କଳାକାର ମାନଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆଗତ ସର୍ବଶ୍ରୀ ବିଶ୍ୱନାଥ ବାରିକ, ବି. ଭାସ୍କର ରାଓ, ରାଜାରାଓ ମୁଟୁକା ପ୍ରମୁଖ ଉପସ୍ଥିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସାରସ୍ୱତ ସାଧକ ନରେନ୍ଦ୍ର ପ୍ରସାଦ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l
