ଅବଶୋଷର ଅବଶେଷ

           ଅବଶୋଷର ଅବଶେଷ

   🖋️କବିରତ୍ନ ନୂତନ କୁମାର ବେହେରା

ପାର୍ଥିବ କାମନାର ଅବଦମିତ ଇଚ୍ଛା
ଅନିୟନ୍ତ୍ରିତ ଇନ୍ଦ୍ରିୟ ସବୁର ଉଚ୍ଛୃଙ୍ଖଳା
ମନକୁ କେବେ ରଖି ପାରେ ନାହିଁ ସ୍ଥିର କରି
ବହୁ ପ୍ରଚେଷ୍ଟା ଉଦ୍ୟମରେ ପାଏ ଯଦି
କିଛି ବି ସଫଳତା ହୁଏନା ତୃପ୍ତ କି ଶାନ୍ତ
ଅସନ୍ତୋଷ ହୋଇ କରେ ଖାଲି ଅନୁଶୋଚନା
ନିଜକୁ ଖୁସି ନ ରଖି ଅନ୍ୟକୁ କରେ ଈର୍ଷା
ହୃଦୟରେ ଭରି ରଖିଥାଏ ଅବଶୋଷ
ଏ କ୍ରମରେ ଆଗକୁ ଆଗକୁ ବଢ଼େ ଯେତେ
ନିଜ ଭିତରୁ ହରାଉଥାଏ ତାର ଆତ୍ମବିଶ୍ଵାସ
ଆନ୍ଦୋଳିତ ହୁଏ ତାର ସ୍ଥୂଳ ବିଚାରଧାରା
ଅନ୍ୟ ସାଥେ ନିଜକୁ କରି ଚାଲେ ତୁଳନା
ଦେଖିଲେ କାହାକୁ ତା’ଠୁ ନିମ୍ନ ସ୍ତରର
କରେ ଗର୍ବ ଦେଖାଏ ତା’ ଆଗେ ଅହଂକାର
ଥିଲେ କେହି ତା’ଠୁ ଭଲରେ ସୁଖ ଶାନ୍ତିରେ
ଆଣେ ମନରେ ତାର ହୀନ ମାନ୍ୟତା
ଭାବେ ବହୁତ ତା’ ପରି ହେବାକୁ ଯଥା ଶିଘ୍ର
ଶ୍ରମ ସାଧନାର ଫଳ ତ ମିଳେନା ରାତାରାତି
ଆପଣେଇ ନିଏ ସେ ଦୁର୍ନୀତିର ପଥ
କରେ କୁଟ କପଟ ଛନ୍ଦ ମନ୍ଦର ଷଡ଼ଯନ୍ତ୍ର
ନିଜକୁ ଭାବି ଚାଲାକ୍ ଚତୁର ବୁଦ୍ଧିମାନ
ତା’ ବଳରେ ଜିତିବାକୁ ଚାହେଁ ସବୁ କିଛି
ବୁଝେନା ନିଜର ଦକ୍ଷତା ସାମର୍ଥ୍ୟ କେତେ
ହୁଏ ଯେବେ ବିଫଳ କରେ ଅବଶୋଷ
ହୁଏନା ଅଳ୍ପରେ ସନ୍ତୁଷ୍ଟ କି ପାଏନା ଆନନ୍ଦ
ବଢି ବଢି ଚାଲେ ତା’ କାମନାର ଲିପ୍ସା ଇପ୍ସା
ମାନସିକ ଉତ୍ତେଜନାରେ ହୁଏ ଭାରାକ୍ରାନ୍ତ
କରି ରୁକ୍ଷ ବ୍ୟବହାର ହୁଏ ଅନ୍ୟର ଅପ୍ରିୟ
ଅତି ସବୁଠାରେ ଯେ ବର୍ଜନୀୟ ଯାଏ ଭୁଲି
ସବୁ ବେଳେ ମନରେ ରଖି ଅବଶୋଷ
ଭୋଗ କରେ ନାନା ଦୁଃଖ ଆଣି ବିଷାଦ
ଶେଷକୁ ନିରୁପାୟରେ ହୁଏ ସେ ହତାଶ
ରହେ କେବଳ ଅବଶୋଷର ଅବଶେଷ।

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
         ନବସୃଜନ ଇ-ପତ୍ରିକା,
  କୋହି ,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *