ବିଶିଷ୍ଟ ପ୍ରାକୃତିକ ଚାଷ ବିଶାରଦ, ଲେଖକ ଓ ଗବେଷକ ନଟବର ଷଡ଼ଙ୍ଗୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ବିଶିଷ୍ଟ ପ୍ରାକୃତିକ ଚାଷ ବିଶାରଦ, ଲେଖକ ଓ ଗବେଷକ ନଟବର ଷଡ଼ଙ୍ଗୀଙ୍କ ଶ୍ରଦ୍ଧାଞ୍ଜଳି ସଭା lଓଡିଶାର ବିଶିଷ୍ଠ ପ୍ରାକୃତିକ ଚାଷ ବିଶାରଦ, ପ୍ରଗତିଶୀଳ ଚିନ୍ତକ, ଲେଖକ ତଥା ଗବେଷକ ନଟବର ଷଡଙ୍ଗୀଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ସ୍ଥାନୀୟ କୋର୍ଟପେଟା ସ୍ଥିତ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଣାଶୁଣା ଲେଖିକା ଡଃ ବିଧୁପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସହରର ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଯୋଗ ଦେଇଥିଲେ । ପ୍ରଥମେ ସଭା ଆରମ୍ଭରେ ନଟବର ବାବୁଙ୍କ ଫୋଟୋରେ ପୁଷ୍ପାର୍ପଣ କରିଥିଲେ ।ନଟବର ବାବୁ ଉଭୟ କୣଷି ଓ କୣଷକଙ୍କ ପାଇଁ ସମର୍ପିତ ଜଣେ ମହାନ ବ୍ୟକ୍ତିତ୍ଵ ଥିଲେ । ସେ ଜୀବନର ଶେଷ ପର୍ଯ୍ୟନ୍ତ କେବଳ ପ୍ରକୃତି ଓ ପ୍ରାକୃତିକ ଚାଷକୁ ଭଲ ପାଉ ନଥିଲେ ବରଂ ରାସାୟନିକ ସାର ଓ କୀଟନାଶକରୁ ଚାଷକୁ ମୁକ୍ତ କରି ପ୍ରାକୃତିକ ଚାଷକୁ ବଞ୍ଚାଇବାର କାମରେ ଲାଗିଥିଲେ । ସେ ନିଜ ଉଦ୍ୟମରେ ଦେଶୀ ଧାନର ୭୦୦ରୁ ଉର୍ଦ୍ଧ୍ୱ ବିହନ ପ୍ରଜାତିକୁ ସଂଗ୍ରହ କରି ତା’ର ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିଲେ । ଜଣେ ଆଗ ଧାଡିର ଯୋଦ୍ଧା ଭାବେ ସେ କୃଷି କ୍ଷେତ୍ରରେ ସାମ୍ରାଜ୍ୟବାଦୀ କମ୍ପାନୀମାନଙ୍କ ବର୍ଦ୍ଧିତ ପ୍ରଭାବକୁ ନିଜର ସରଳ ଭାଷାରେ ଲେଖା ଓ କାର୍ଯ୍ୟ ମାଧ୍ୟମରେ ବିରୋଧ କରିବା ସହ ତା’ର ବିକଳ୍ପ ଭାବେ ପ୍ରାକୃତିକ ଚାଷକୁ ଲୋକପ୍ରିୟ କରିବାରେ ମଧ୍ୟ ଲାଗିଥିଲେ ।

ରାସାୟନିକ ସାର, କୀଟନାଶକ ଓ ଅଧିକ ଖର୍ଚ୍ଚ ଆଧାରିତ ତଥାକଥିତ ଆଧୁନିକ ଚାଷକୁ ମଣିଷର ସ୍ଵାସ୍ଥ୍ୟ ଓ ପ୍ରକୣତି ପାଇଁ କ୍ଷତିକାରକ ବୋଲି ସେ ବିଭିନ୍ନ ସମ୍ଵାଦପତ୍ରରେ ନିୟମିତ ଭାବେ ଲେଖୁଥିଲେ । ‘କେତେ ବିଷ ପିଇଲେ ଆମେ ଚେତିବା’, ‘ମାଛ’, ‘ଆମ୍ଵ’ ପରି ପ୍ରାକୣତିକ କୣଷି ଉପରେ ତାଙ୍କ ଦ୍ଵାରା ଲିଖିତ ଅନେକ ପୁସ୍ତକ ଓଡିଶାର ସାହିତ୍ୟ ଜଗତଙ୍କୁ ତାଙ୍କର ଗୁରୁତ୍ୱପୂର୍ଣ ଅବଦାନ ବୋଲି ବକ୍ତାମାନେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସୁଧୀର ରାଉତ, ପ୍ରଫୁଲ୍ଲ ସାମନ୍ତରା, ଭାଲଚନ୍ଦ୍ର ଷଡ଼ଙ୍ଗୀ, ରବି ରଥ, ଡଃ ବିଧୂପ୍ରଭା ରଥ, ସୀମାଞ୍ଚଳ ନାହାକ, ଶ୍ୟାମ ସୁନ୍ଦର ଖାଡଙ୍ଗା, କେ. ନାନ୍ଦେଶୁ ସେନାପତି, ଅଶୋକ ଦଳାଇ, ରବି ରଥ, ଆଦିତ୍ୟ ରଥ, ବିଘ୍ନେଶ୍ଵର ସାହୁ, ଲୋକନାଥ ପରିଡା, ପ୍ରତାପ ନାୟକ, ସଞ୍ଜୀବ ରେଡ୍ଡୀ, ଅଳକନାଥ ମିଶ୍ର, ପି. ପାର୍ବତୀ ପ୍ରମୁଖ ଯୋଗ ଦେଇଥିଲେ ।
