ସବୁ ରଙ୍ଗ ଧୋଇଗଲା ପରେ

  ସବୁ ରଙ୍ଗ ଧୋଇଗଲା ପରେ
( ରାଗ — ବଙ୍ଗଳା ଶ୍ରୀ )

    🖋️କବିରତ୍ନ ନୂତନ କୁମାର ବେହେରା

ବିରାଜି ବସନ୍ତ           କରଇ ଆସକ୍ତ
           ଯୌବନ ସାଜେ ଫଗୁଣ,
ଶରୀରର ବୃକ୍ଷେ       ଲତା ଡାଳ ପତ୍ରେ
             କଢ଼ ହୁଅଇ ସପନ।
ଭାବର ମଳୟେ      ଆଶାର ବଳୟେ
          ପ୍ରେମ ଫୁଲ ହୋଇ ଫୁଟେ,
ଭାଷାର ମହକେ     ପ୍ରାଣ ଯେ ପୁଲକେ
            କାମନାର ସୁଅ ଛୁଟେ।
ମନ ପ୍ରଜାପତି       ଖୋଜି ଫୁଲ ପ୍ରୀତି
         ଉଡ଼ି ବୁଲେ ଡେଣା ମେଲି,
ଦେଖି ରୂପ ରଙ୍ଗ      ଧ୍ୟାନ କରେ ଭଙ୍ଗ
           ଭାବନାରେ ସେ ଚହଲି।
ପ୍ରେମର ସେ ଫୁଲ     ପାଇ ତାକୁ ଭଲ
           କରେ ସାଥୀ ଆପଣାର,
ପ୍ରୀତି ରଙ୍ଗ ବୋଳି   ହୋଲି ଖେଳି ଖେଳି
          ତୋଳେ ଜୀବନର ସ୍ଵର।
ସରସ ସୁନ୍ଦର         ଜୀବନ ମଧୁର
         ହୋଇଥାଏ ପ୍ରୀତି ରଙ୍ଗେ,
ନାନା ରଙ୍ଗ ବୋଳି ହୁଏ ସେ ଭଳି କି ଭଳି
          ଭାବ ରଖି ତାର ସଙ୍ଗେ।
କାମିନୀ କାଞ୍ଚନ       ମୋହରେ ଜୀବନ
          ରଙ୍ଗେଇ ହୁଏ ରଙ୍ଗୀନ,
ପବିତ୍ର ସଂପର୍କ         ମନ ରଖେ ଏକ
             ପୂରଣ କରେ ସପନ।
ବୟସ ସାୟାହ୍ନ        ଗଡ଼ି ଅପରାହ୍ନ
             ଘନେଇ ଆସଇ ଯେବେ,
ସବୁ ରଙ୍ଗ ତାର        ଦିଶେ ଅସୁନ୍ଦର
             ଫିକା ପଡ଼ଇ ଅଭାବେ।
ଧୋଇଗଲା ପରେ     ଦୁ଼ଃଖର ଜଳରେ
             ରଙ୍ଗ ହୁଏ ତା ବେରଙ୍ଗ,
ହୃଦୟ ସାଗରେ      ଭଟ୍ଟା ପଡ଼ି ବାରେ
           ନାଚେ ନା ଆଉ ତରଙ୍ଗ।
ଜୀବନର ହୋଲି       ଓଳିକର ଖାଲି
            ଆସିଛି ସେ ଯିବ ଚାଲି,
ରଙ୍ଗମୟ କରି      ଭବ ହେଲେ ପାରି
             ସ୍ମୃତି ତା’ ହୁଏନା ଭୁଲି।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *