ରାଜ୍ୟସ୍ତରୀୟ ବାସ୍କେଟବଲ୍ ପ୍ରତିଯୋଗିତା
ରାଜ୍ୟସ୍ତରୀୟ ବାସ୍କେଟବଲ୍ ପ୍ରତିଯୋଗିତା ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ
ଯାଜପୁର, ୧୨/୦୩/୨୬: ଜିଲ୍ଲା ପ୍ରଶାସନ କ୍ରୀଡ଼ା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଜୁନିଅର ବାଳକ ଓ ବାଳିକା ବାସ୍କେଟବଲ୍ ପ୍ରତିଯୋଗିତା ୨୦୨୬ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ପ୍ରେସ ମିଟରେ ଯୋଗ ଦେଇ ବାସ୍କେଟବଲ୍ ପ୍ରତିଯୋଗିତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ମାର୍ଚ୍ଚ ୧୩ ତାରିଖରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬ ଟି ପୁରୁଷ ଦଳ ଏବଂ ୪ ଟି ମହିଳା ଦଳ ଅଂଶଗ୍ରହଣ କରିବେ। ୧୩ ତାରିଖ ସନ୍ଧ୍ୟାରେ ଉଦଘାଟନୀ ମ୍ୟାଚ୍ ଏବଂ ୧୫ ତାରିଖ ସନ୍ଧ୍ୟାରେ ଫାଇନାଲ ମ୍ୟାଚ୍ ଖେଳାଯିବ। ବ୍ରହ୍ମପୁର, ପୁରୀ, କଟକ, ଭୁବନେଶ୍ୱର, ଭଦ୍ରକରୁ ଆସିଥିବା ଟିମ୍ ଏହି କ୍ରୀଡ଼ାରେ ଭାଗ ନେବେ। ପ୍ରଶାସନ ପକ୍ଷରୁ ଇଣ୍ଡୋର ଷ୍ଟାଡିୟମଠାରେ ଖେଳାଳୀମାନଙ୍କ ରହଣି ଏବଂ ଖାଦ୍ୟପେୟ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଖେଳାଳୀମାନଙ୍କ ଗମନାଗମନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିଭଳି ହକି ଷ୍ଟାଡିୟମ କମ୍ପ୍ଲେକ୍ସରେ ପ୍ରତିଯୋଗିତାରେ ନିୟୋଜିତ ଅଧିକାରୀ ଏବଂ ଅଫିସିଆଲଙ୍କ ରହଣି ପାଇଁ ଆୟୋଜନ କରାଯାଇଛି। ମୋଟ ୧୨୦ ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ ଉପସ୍ଥିତ ଥିଲେ।
