ପୁରୀ ସହରରେ ବେଆଇନ ଏଲ୍‌ପିଜି (LPG) ସିଲିଣ୍ଡର

ପ୍ରେସ୍ ବିଜ୍ଞପ୍ତି

ପୁରୀ ସହରରେ ବେଆଇନ ଏଲ୍‌ପିଜି (LPG) ସିଲିଣ୍ଡର କଳାବଜାରୀ ବିରୋଧରେ ପୁରୀ ପୋଲିସର ବିଶେଷ ଅଭିଯାନରେ ୫୮ ସିଲିଣ୍ଡର ଜବତ।
ପୁରୀ ଜିଲ୍ଲାରେ ବେଆଇନ ଭାବେ ଏଲ୍‌ପିଜି ସିଲିଣ୍ଡର ମହଜୁଦ କରି କଳାବଜାରୀ ମାଧ୍ୟମରେ ବିକ୍ରୟ କରାଯାଉଥିବା ସମ୍ବନ୍ଧରେ ମିଳୁଥିବା ଗୋପନ ସୂଚନାକୁ ଆଧାର କରି ପୁରୀ ପୋଲିସ ଦ୍ୱାରା ସହର ବିଭିନ୍ନ ଥାନା ଅଞ୍ଚଳରେ ଏକ ବିଶେଷ ଯାଞ୍ଚ ଓ ଛାପାମାରି ଅଭିଯାନ ଚାଲାଯାଇଛି। ଏହି ଅଭିଯାନ ସମୟରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ମଜୁତ କରି କଳାବଜାରୀ କରୁଥିବା କିଛି ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଏହି ବିଶେଷ ଅଭିଯାନ ଅନୁସାରେ ପୁରୀ ସହର ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରୁ ବହୁ ସଂଖ୍ୟକ ଏଲ୍‌ପିଜି ସିଲିଣ୍ଡର ଜବତ କରାଯାଇଛି। ସମ୍ପୃକ୍ତ ଥାନାଗୁଡ଼ିକରୁ ଜବତ ସିଲିଣ୍ଡର


ସି ବିଚ୍ ଥାନା ଅଞ୍ଚଳରୁ ୧୬ଟି ବଡ଼ ଏଲ୍‌ପିଜି ସିଲିଣ୍ଡର (କମର୍ସିଆଲ ଓ ଡୋମେଷ୍ଟିକ) ଏବଂ ୮ଟି ଛୋଟ ୫ ଲିଟରର ସିଲିଣ୍ଡର ଜବତ କରାଯାଇଛି। ବାସେଳିସାହି ଥାନା ଅଞ୍ଚଳରୁ ୫ଟି ବଡ଼ ଏଲ୍‌ପିଜି ସିଲିଣ୍ଡର ଏବଂ ୨ଟି ୫ ଲିଟର ଛୋଟ ସିଲିଣ୍ଡର ଜବତ କରାଯାଇଛି। ଟାଉନ ଥାନା ଅଞ୍ଚଳରୁ ୬ଟି ବଡ଼ ଏଲ୍‌ପିଜି ସିଲିଣ୍ଡର ଏବଂ ୧୫ଟି ୫ ଲିଟରର ଛୋଟ ସିଲିଣ୍ଡର ଜବତ କରାଯାଇଛି। କୁମ୍ଭାରପଡା ଥାନା ଅଞ୍ଚଳରୁ ୫ଟି ବଡ଼ ଏଲ୍‌ପିଜି ସିଲିଣ୍ଡର ଏବଂ ୧ଟି ୫ ଲିଟରର ଛୋଟ ସିଲିଣ୍ଡର ଜବତ କରାଯାଇଛି। ଏହି ଅଭିଯାନ ସମୟରେ ସହର ବିଭିନ୍ନ ଥାନା ଅଞ୍ଚଳରୁ ବେଆଇନ ଭାବେ ଏଲ୍‌ପିଜି ସିଲିଣ୍ଡର ମଜୁତ କରି କଳାବଜାରୀ କରୁଥିବା ସନ୍ଦେହରେ ମୋଟ ୬ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ସମ୍ପୃକ୍ତ ଘଟଣାରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ତଦନ୍ତ ଜାରି ରହିଛି। ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏଲ୍‌ପିଜି ସିଲିଣ୍ଡରର ବେଆଇନ ମଜୁତ, କଳାବଜାରୀ କିମ୍ବା ଅନୁମତି ବିନା ବ୍ୟବସାୟ କରିବା ଗୁରୁତର ଅପରାଧ ଓ ଏହା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିଥାଏ। ଏପରି କାର୍ଯ୍ୟକଳାପ ବିରୋଧରେ ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ କଡା ଅଭିଯାନ ଜାରି ରଖିବ। ସାଧାରଣ ଲୋକଙ୍କୁ ମଧ୍ୟ ଅନୁରୋଧ କରାଯାଉଛି ଯେ ଯଦି କୌଣସି ସ୍ଥାନରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର କଳାବଜାରୀ କିମ୍ବା ଅନୁମତି ବିନା ମଜୁତ କରାଯାଉଥିବା ସମ୍ବନ୍ଧରେ ସୂଚନା ମିଳେ, ତେବେ ନିକଟସ୍ଥ ପୋଲିସ ଥାନା କିମ୍ବା ୧୧୨ରେ ପୁରୀ ପୋଲିସକୁ ଅବଗତ କରାନ୍ତୁ। ପୁରୀ ପୋଲିସ ଏପରି ଅଭିଯୋଗକୁ ଗୁରୁତ୍ୱ ସହ କାର୍ଯ୍ୟନୁଷ୍ଠାନ ନେବ।

Leave a Reply

Your email address will not be published. Required fields are marked *