ବୈତରଣୀ
ବୈତରଣୀ
✍🏼କବିରତ୍ନ ନୂତନ କୁମାର ବେହେରା
ପ୍ରାଚୀନ ଐତିହ୍ୟ କଲେ ଅନୁଧ୍ୟାନ
ମିଳିଥାଏ ବହୁ ଜ୍ଞାନ,
ପବିତ୍ର ଧାର୍ମିକ ପୀଠସ୍ଥଳେ ମନ
ଏକ ଚିତ୍ତେ ରହେ ମଗ୍ନ।
ଜନନୀ ବସୁଧା କୋଳେ ଅଛି ଧରି
ପ୍ରକୃତିର ନାନା ରୂପ,
ନଦ ନଦୀ ବନ ଗିରି ଜଳ ସ୍ଥଳ
ବଳ ଦିଅନ୍ତି ଅମାପ।
ଓଡ଼ିଶା ମାଟିରେ ବୈତରଣୀ ନଦୀ
ପୁଣ୍ୟତୋୟା ଗଙ୍ଗା ସମ,
ଗୋନାସିକାଠାରୁ ବାହାରି ବହୁଛି
ପାଳୁଅଛି ତା’ ଧରମ।
କେନ୍ଦୁଝର ଜିଲ୍ଲା ଅନତି ଦୂରରେ
ଗୋନାସିକା ଗିରିଶୃଙ୍ଗ,
ଏ ସ୍ଥାନରୁ ଝରି ବହେ ବୈତରଣୀ
ଧ୍ୟାନ ତା’ ହୁଏନା ଭଙ୍ଗ।
କିମ୍ବଦନ୍ତୀ କହେ ସ୍ଵୟଂ ବ୍ରହ୍ମା ଆସି
କରୁଥିଲେ ମହାଯଜ୍ଞ,
ସେ ଅଶ୍ଵାଶମେଧ ଯଜ୍ଞେ ଗଙ୍ଗା ଜଳ
ପ୍ରୟୋଜନ ହେଲା ଆଗ।
ଗଙ୍ଗା ମାତାଙ୍କୁ ସେ ଡ଼ାକିବାରୁ ତତ୍ର
ଆସିବାକୁ କଲେ ମନା,
ରଜସ୍ୱଳା ହେତୁ ପାରିଲେନି ଆସି
ଦେଲେ ତାଙ୍କୁ ଆଶ୍ଵସନା।
କହିଲେ ବ୍ରହ୍ମକୁ ହେ ସୃଷ୍ଟି କରତା
ଡାକନ୍ତୁ ଭଗ୍ନୀକୁ ମୋର,
ତହୁଁ ବ୍ରହ୍ମା ଡ଼ାକେ ବୈତରଣୀ ଆସି
ଦାନ କଲେ ଶୁଦ୍ଧ ନୀର ।
ମନୋରମ ଶିରୀ ପ୍ରକୃତିରେ ଭରି
ହୋଇଲେ ସେ ଚିରସ୍ରୋତା,
ଶିବଙ୍କ ମନ୍ଦିର ତହିଁ ଗଢ଼ି ଏକ
ବ୍ରହ୍ମା ହେଲେ ପ୍ରତିଷ୍ଠାତା।
ଶହ ଶହ ଭକ୍ତ ଆସନ୍ତି ଦୈନିକ
କରିବାକୁ ଆରାଧନା,
ଶିବ କୃପା ଲଭି ରହୁନ୍ତି ଆନନ୍ଦେ
ଘୁଞ୍ଚିଯାଏ ବିଡ଼ମ୍ବନା।
ଏକ ଶହ ଆଠ ଶିବଙ୍କ ମନ୍ଦିର
ପ୍ରତିଷ୍ଠା ହୋଇଛି କୂଳେ,
ପୁଣ୍ୟତୋୟା ଗଙ୍ଗା ଓଡ଼ିଶା ପ୍ରଦେଶେ
ପୂଜନ୍ତି ତାଙ୍କୁ ସକଳେ।
ରାଜ୍ୟର ବିକାଶେ ପ୍ରକୃତିର ଦାନ
ଚିରସ୍ରୋତା ବୈତରଣୀ,
ଜଳ ଦାନ କରି ପାଳନ୍ତି ସୃଷ୍ଟିକୁ
ହସଇ ଧରିତ୍ରୀ ରାଣୀ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।
