ଗୁରୁ ପିତା ମାତା ଗୁରୁ ବନ୍ଧୁ ସଖା
ଗୁରୁ ପିତା ମାତା ଗୁରୁ ବନ୍ଧୁ ସଖା
( ରାଗ — କଲ୍ୟାଣ ଆହାରୀ )
✍🏼କବିରତ୍ନ ନୂତନ କୁମାର ବେହେରା
ଗୁରୁ ପିତା ମାତା ଗୁରୁ ବନ୍ଧୁ ସଖା
ଜୀବନର ମାର୍ଗ ଦର୍ଶକ,
ସଦୟେ ସହାୟ ହୋଇଥାନ୍ତି ସଦା
ଅନ୍ଧାରେ ଦେଖାନ୍ତି ଆଲୋକ,
ସେ ଗୁରୁ
ଶିଷ୍ୟ ପାଇଁ ଭାଗ୍ୟ ବିଧାତା,
ଚିର ବନ୍ଦନୀୟ ଚିର ପୂଜ୍ୟନୀୟ
ସେ ବୁଦ୍ଧି ବିଦ୍ୟା ଜ୍ଞାନଦାତା/୧/
ସନ୍ତାନକୁ ଜନ୍ମ ଦେଇ ପିତା ମାତା
ଆଦରେ ପାଳିଥାନ୍ତି ଦୁହେଁ,
ଖାଦ୍ୟ ବସ୍ତ୍ର ଶିକ୍ଷା ଦୀକ୍ଷା ସବୁ ଦେଇ
ହସ ଫୁଟାନ୍ତି ତାର ମୁହେଁ,
ସେ ଗୁରୁ
ସାକ୍ଷାତେ ଦେବାଦେବୀ ସମ,
କରିଣ ଯତନ ଗଢ଼ନ୍ତି ରତନ
କରୁଣା ତାଙ୍କର ଅସୀମ/୨/
ଆଦିଗୁରୁ ହୋଇଥାନ୍ତି ପିତାମାତା
ଶିକ୍ଷା କ୍ଷେତ୍ରେ ଶିକ୍ଷକ ଗୁରୁ,
ବ୍ରହ୍ମଜ୍ଞାନ ଦୀକ୍ଷା ଦାନେ ଧର୍ମ ଗୁରୁ
ଲୋଡ଼ା ଯା’ ମିଳେ ତାଙ୍କ’ଠାରୁ,
ସେ ଗୁରୁ
ଅଙ୍ଗାରକୁ କରନ୍ତି ହୀରା,
ତାଙ୍କ ବିନା କେହି ପାଏ ନାହିଁ ତ୍ରାହି
ସଂସାରେ ଏ ସତସିଦ୍ଧ ପରା/୩/
ଗୁରୁ ମନ ଆତ୍ମା ଗୁରୁ ପରମାତ୍ମା
ତାଙ୍କ ଇଙ୍ଗିତେ ଚାଲେ ପ୍ରାଣ,
ସୂକ୍ଷ୍ମରୁ ନିଅନ୍ତି ସ୍ଥୂଳର ଆକାର
କରିବାକୁ ଯେ ପରିତ୍ରାଣ,
ସେ ଗୁରୁ
ତାଙ୍କ ଆଜ୍ଞା ଯେ ଶିରୋଧାର୍ଯ୍ୟ,
ମାନି ପାଏ ମାନ୍ୟ ଅମାନ୍ୟେ ନଗଣ୍ୟ
ଗୁରୁଙ୍କ ପାଇଁ ତ ଐଶ୍ୱର୍ଯ୍ୟ/୪/
ଗୁରୁ ପିତା ମାତା ଗୁରୁ ବନ୍ଧୁ ସଖା
ଜୀବନର ପ୍ରତି ମୁହୂର୍ତ୍ତେ,
ରହିଥାନ୍ତି ପାଶେ କରିବାକୁ ହିତ
ଜ୍ଞାନର ମାଧ୍ୟମେ ନିସର୍ତ୍ତେ,
ସେ ଗୁରୁ
ତାଙ୍କ ପୂଜ୍ୟପୂଜାରେ ଶିଷ୍ୟ,
ରଖିଥିଲେ ମନ ପାଇଥାଏ ଜ୍ଞାନ
ଧନ୍ୟ ହୁଅଇ ସେ ଅବଶ୍ୟ/୫/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
