ରନ୍ଧନ ଗ୍ୟାସ ଓ ଇନ୍ଧନ ଯୋଗାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ରାଜ୍ୟ ସଂକଟ ପରିଚାଳନା ଗ୍ରୁପ୍ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୬ ମାର୍ଚ୍ଚ, ରାଜ୍ୟରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଆଦି ଇନ୍ଧନ ଯୋଗାଣ ନେଇ ରାଜ୍ୟର ସ୍ଥିତି ଏବଂ ଆଗାମୀ ପ୍ରସ୍ତୁତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂକଟ ପରିଚାଳନା ଗ୍ରୁପ୍ ( ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ଚ ଗ୍ରୁପ) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ସ୍ଥିତିର ନିରନ୍ତର ତଦାରଖ, ସମୀକ୍ଷା ସହ ଆଗାମୀ ପଦକ୍ଷେପ ସଂପର୍କରେ ଗୁରୁତ୍ୱାରୋପ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ଏଲପିଜି, ପେଟ୍ରୋଲ ଓ ଡିଜେଲ ଭଳି ଆବଶ୍ୟକ ଇନ୍ଧନର ଯୋଗାଣ ବର୍ତ୍ତମାନର ସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ସାଂପ୍ରତିକ ପରିସ୍ଥିତିରେ ସତର୍କତାର ସହିତ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ପାଇପ୍ଡ ନ୍ୟାଚୁରାଲ ଗ୍ୟାସ (ପିଏନଜି) ବ୍ୟବହାର ବୃଦ୍ଧି କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକୁ କମର୍ସିଆଲ ରନ୍ଧନ ଗ୍ୟାସ ଯୋଗାଣ ହାର ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା । ହୋଟେଲ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକୁ ପିଏନଜି ବ୍ୟବହାରକୁ ବହୁଳ ମାତ୍ରାରେ ଅନୁସରଣ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ଯେଉଁ ହୋଟେଲ ମାନଙ୍କରେ ପିଏନଜି ଓ ଏଲପିଜି ଉଭୟ ବ୍ୟବସ୍ଥା ରହିଛି, ସେମାନଙ୍କୁ ପୂର୍ଣ୍ଣମାତ୍ରାରେ ପିଏନଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଖାଦ୍ୟ ଯୋଗାଣ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ , ଘରୋଇ ଉପଭୋକ୍ତାଙ୍କ ପାଇଁ ଏଲପିଜି ଯୋଗାଣରେ ସମସ୍ୟା ନାହିଁ । ଅନିୟମିତ ଯୋଗାଣ ଓ କଳାବଜାରିକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିଲା ଏବଂ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଓ ପ୍ରବର୍ତ୍ତନ(ଚଢଉ) ଜାରି ରହିଥିବା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ବିଭିନ୍ନ ସଂସ୍ଥା ଓ ଏମଏସଏମଇ କ୍ଷେତ୍ରକୁ ଇନ୍ଧନ ଯୋଗାଣ ସଂପର୍କରେ ଆଲୋଚନା କରାଯାଇଥିଲା । ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ଇଭି ଯାନ ଓ ଏଥିପାଇଁ ରାଜ୍ୟରେ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବାକୁ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥିତିର ନିରନ୍ତର ତଦାରଖ ଓ ସମୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ସଂପର୍କରେ ଆଲୋଚନା କରାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ଦୂର କରିବା ପାଇଁ ସମୟ ଅନୁସାରେ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା ସଂପର୍କରେ ପୁଲିସ୍ ମହାନିର୍ଦ୍ଦେଶ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସ୍ଥିତିକୁ ଅନୁଧ୍ୟାନ କରି ପ୍ରତି ୨-୩ ଦିନରେ ଏହି ରାଜ୍ୟସ୍ତରୀୟ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ବୈଠକ ଅନୁଷ୍ଠିତ ହେବ ଏବଂ ଏ ସଂପର୍କିତ ଜିଲ୍ଲା ସ୍ତରୀୟ ବୈଠକ ମଧ୍ୟ ନିୟମିତ କରାଯିବା ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
