ଶ୍ରୀରାମ ନବମୀ

ଶ୍ରୀରାମ ନବମୀ
          ( ରାଗ — ବଙ୍ଗଳାଶ୍ରୀ )

    🖊କବିରତ୍ନ ନୂତନ କୁମାର ବେହେରା

ଚୈତ୍ର ଶୁକ୍ଳ ତିଥି       ଶ୍ରୀରାମଙ୍କୁ ପୂଜି
             ପାଳୁ ଶ୍ରୀରାମ ନବମୀ,
ଆଶିଷେ ତାଙ୍କର      ଶାନ୍ତି ସୁଖ ଚାହୁଁ
          ଏ ଧରାଧାମେ ଜନମି।
ତାଙ୍କର ମହିମା         ସ୍ତୁତିଗାନ କରି
           ବୁଝୁ ଜୀବନର ମର୍ମ,
ଫଳାଫଳ ଯେତେ   ପାପ ପୂଣ୍ୟ ନେଇ
            ମିଳିଥାଏ କଲେ କର୍ମ।
ତ୍ରେତୟା ଯୁଗରେ    ଅଯୋଧ୍ୟା ନଗରେ
            ଆସିଥିଲେ ଅବତରୀ,
ଜନନୀ କୌଶଲ୍ୟା      ପିତା ଦଶରଥ
           କୋଳକୁ ମଣ୍ଡନ କରି।
ଦିବ୍ୟ ସୁସୁନ୍ଦର      ସୌମ୍ୟକାନ୍ତ ରୂପ
             ନାମ ତାଙ୍କର ଶ୍ରୀରାମ,
ବସୁଧାର କ୍ଳେଶ        କରିବାକୁ ଦୂର
            ଆସିଥିଲେ ଧରାଧାମ।
ତିନି ମାତାଙ୍କର      ହୋଇ ଅତି ପ୍ରିୟ
          ହେଲେ ଗୁଣଗ୍ରାହୀ ପୁତ୍ର,
ଭାଇ ଭାଇ ମଧ୍ୟେ       ନିବିଡ଼ ସମ୍ପର୍କ
          ରଖିଥିଲେ ଯେ ପବିତ୍ର।
ଭରତ ଲକ୍ଷ୍ମଣ         ଶତ୍ରୁଘ୍ନ ସହିତେ
           ଚାରି ଭାଇ ମହାମାନ୍ୟ,
ଅବନିର ଭାର         କରିଣ ଲାଘବ
          ସଂସାରକୁ କଲେ ଧନ୍ୟ।
ପିତୃସତ୍ୟ ମାନି       ବନବାସେ ଚଳି
          କାଟିଲେ ଚଉଦ ବର୍ଷ,
ପୁତ୍ରର କର୍ତ୍ତବ୍ୟ        ସାଧନାର ବ୍ରତ
           ପାଳି ରଖିଲେ ଆଦର୍ଶ।
ସୀତାଙ୍କ ହରଣେ     ପତ୍ନୀଙ୍କ ବିଚ୍ଛେଦେ
           ଭୋଗିଲେ କଷ୍ଟ ଯନ୍ତ୍ରଣା,
ରାବଣ ନିଧନେ         ଦୁର୍ଗତି ଘୁଞ୍ଚାଇ
           ପ୍ରଦାନ କଲେ କରୁଣା।
ଅଯୋଧ୍ୟା ପୁରର         ପ୍ରଭୁ ଅଧିପତି
          ଶ୍ରଦ୍ଧାରେ ପାଳିଲେ ପ୍ରଜା,
ସୁଶାସନ ନୀତି         ଜନ ହିତକାରୀ
          ଭାବେ ହେଲେ ଶ୍ରେଷ୍ଠ ରାଜା।
ନିଷ୍କଳଙ୍କ ଗୁଣେ        ମର୍ଯ୍ୟାଦା ପୁରୁଷ  
            ରଖିଲେ ଅକ୍ଷୟ କୀର୍ତ୍ତି,  
ଅମ୍ଳାନ ଚରିତ୍ର         ଭବେ ଅଦ୍ଵିତୀୟ  
             ଶାନ୍ତାକାର ଭାବମୂର୍ତ୍ତି।
ରାମ ରାଇଜର        ଅନନ୍ୟ ଐତିହ୍ୟ
            ରାମାୟଣ କଥାବସ୍ତୁ,
ଜନ ମାନସରୁ        କରେ ପାପ କ୍ଷୟ  
             ଆଶିଷ ଦିଏ ତଥାସ୍ତୁ।
             
    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *