ହେ ମଧୁବାବୁ ! ଜନ୍ମ ହୁଅ ଆଉ ଥରେ

    ହେ ମଧୁବାବୁ ! ଜନ୍ମ ହୁଅ ଆଉ ଥରେ

   ✍️କବିରତ୍ନ ନୂତନ କୁମାର ବେହେରା

ଆହେ ମଧୁବାବୁ        ପ୍ରଜ୍ଞ ବିଜ୍ଞ ସାଧୁ
            ଉତ୍କଳର ଯୋଗ୍ୟତମ,
ତ୍ୟାଗ ଆଦର୍ଶରେ    ଅନନ୍ୟ ସେବାରେ   
            ଅମ୍ଳାନ ତବ ସୁନାମ।
ଶ୍ରେଷ୍ଠ ସ୍ବାଭିମାନୀ       ଜାତି କର୍ଣ୍ଣଧାର
              ଓଡି଼ଆଙ୍କ ଚିର ପୂଜ୍ୟ,
ସାଧନା ସିଦ୍ଧିର         ଦେଇ ମହାମନ୍ତ୍ର
             ଗଢି଼ଲ ସ୍ବତନ୍ତ୍ର ରାଜ୍ୟ।
ସତ୍ୟଭାମା ପୁରେ       ଶୁଭ ଅବସରେ
             ହୋଇଥିଲ ଆବିର୍ଭାବ
ପିତାମାତା କୋଳ        କରିଣ ଉଜ୍ଜ୍ଵଳ
             ଅର୍ଜିଲ ଯଶ ଗୌରବ।
ରଘୁନାଥ ପିତା       ପାର୍ବତୀ ଯେ ମାତା
           କଲ ତାଙ୍କୁ ଧନ୍ୟ ଧନ୍ଯ,
ଉତ୍କଳ ଭୁବନେ         ତୁମ ସ୍ଵାଭିମାନେ
            ରଖିଲ ଜାତିର ମାନ୍ୟ।
କରି ଏକଜୁଟ           ଓଡି଼ଆଙ୍କୁ ବାଟ
            ଦେଖାଇଲ ନିଷ୍ଠା ପଣେ,
ଜାତି ନନ୍ଦିଘୋଷ       ପ୍ରୀତିରେ ସ୍ଵଦେଶ
            ମତାଇଲ ଜାଗରଣେ।
ସ୍ବତନ୍ତ୍ର ଉତ୍କଳ         ପ୍ରତିଷ୍ଠାରେ ମେଳ
            କରିଥିଲ ଜାତି ଭାଇ,
ନ୍ୟାର୍ଯ୍ୟ ଅଧିକାର         ପ୍ରତିବାଦ ସ୍ବର
           ସଭିଁଙ୍କୁ ଦେଲ ବୁଝାଇ।
ଜାତିର ନେତୃତ୍ୟ      ନେଇ ଯେ କୃତିତ୍ଵ
           ଦେଖାଇଲ ସାରା ବିଶ୍ଵେ,
ଭାବ ଭାଷା ଆଶା       ପୂର୍ଣ୍ଣରେ ଓଡିଶା
            ଟେକ ରଖିଲ ବିକାଶେ।
ଉତ୍କଳ ଟେନେରୀ       ଶିଳ୍ପ କାରିଗରୀ
           କ୍ଷେତ୍ରେ କଲ ଶ୍ରୀବୃଦ୍ଧି,
ଓକିଲାତି କରି          ନିରୀହ ଉଦ୍ଧାରି
           ସଂଗ୍ରାମେ ପାଇଲ ସିଦ୍ଧି।
ସ୍ଵାଧୀନ ଭାରତ       ଆନ୍ଦୋଳନେ ରତ
             ବ୍ରିଟିଶେ କଲ ପରାସ୍ତ,
ତବ ତ୍ଯାଗ ପାଇଁ       ଧନ୍ୟ ମାତୃଭୂଇଁ
            ପାଇଲା ତା’ ପରିଚୟ,
ସାରା ଓଡି଼ଶାର         ଉଚ୍ଚ କରି ଶିର
             ଆଣିଲ ନବ ବିଜୟ।
ମଧୁବାବୁ ନାମ          ମଧୁମୟ ସମ
            ଜାତି ପ୍ରାଣର ସ୍ପନ୍ଦନ,
ଉତ୍କଳ ଗୌରବ        ସ୍ଵାଭିମାନ ଭାବ
             ଅକ୍ଷୁର୍ଣ୍ଣ ତବ ସମ୍ମାନ।
ଉତ୍କଳ ଦିବସେ         ଅଳି ତବ ପାଶେ
             ପ୍ରଣମେ ତୁମରି ଠାରେ,
ସେ ସୂକ୍ଷ୍ମଲୋକରୁ        ସୁଧାଧାରା ଝରୁ
            ଜନ୍ମ ହୁଅ ଆଉ ଥରେ।
         
   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପୁସ୍ତକ,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *