ଆଗାମୀ କାଲିର ଭବିଷ୍ୟତ

ଆଗାମୀ କାଲିର ଭବିଷ୍ୟତ

  🖊️ କବିରତ୍ନ ନୂତନ କୁମାର ବେହେରା

ଆଗାମୀ କାଲିର ଭବିଷ୍ୟତ ଯେ ଏକ ଲକ୍ଷ୍ୟ
ନିହିତ ତହିଁ ବହୁ ସକରାତ୍ମକ ଭାବନାର ସମ୍ଭାବନା
ଆଖିକୁ ଦେଖାଉଥାଏ ସ୍ବପ୍ନ ପରେ ଖାଲି ସ୍ବପ୍ନ
ମନରେ ସାଇତି ରଖିଥାଏ ଅବଦମିତ ଇଚ୍ଛାଶକ୍ତି
ହୃଦୟରେ ସଞ୍ଚାର କରେ ଆଶା ଦିଅଇ ଆଶ୍ଵାସନା
ସୁନ୍ଦର ଓଠରେ ଫୁଟାଇବାକୁ ହସର ଫୁଲ
ମୁହଁରୁ ଝରାଇବାକୁ ମଧୁବୋଳା ଭାଷା
ନିଜକୁ ପ୍ରସ୍ତୁତ କରେ ସୁଯୋଗ୍ୟ ସୁଦକ୍ଷ କରି
ତାକୁ ସ୍ଵାଗତ କରେ ଆଗାମୀ କାଲିର ଭବିଷ୍ୟତ
ଅହରହ ଦିଏ ପ୍ରେରଣା ଯୋଗାଏ ଇନ୍ଧନ
କଳ୍ପିତ ଜୀବନ ଗଢ଼ିବାକୁ ସାଧକ ନିଏ ସଂକଳ୍ପ
ଆସନ୍ତା କାଲିକୁ ଅବା ଦେଖିଛି କିଏ
ସେ ଆଗାମୀ କାଲିର ଭବିଷ୍ୟତ ଯେ ଅଦୃଷ୍ଟ
ଅମାବାସ୍ୟାର ଘନ ଅନ୍ଧକାର ରଜନୀ ସମ
ଅବଚେତନ ମନରେ ଆଣିଦିଏ ଆଶାର ଆସକ୍ତି
ସ୍ବପ୍ନରେ ବିଭୋର ହୋଇ ରହେ ଯିଏ ମଜି
ତା’ ସଞ୍ଚିତ ଆକାଂକ୍ଷାର ଆକାର ହୁଏନା ସାକାର
ପ୍ରତୀକ୍ଷାରେ ଧୈର୍ଯ୍ୟ ଧରି ରହିଥିଲେ ସହିଷ୍ଣୁ
ଅନ୍ଧକାରର ବୁକୁ ଚିରି ଆସିଥାଏ ଉଜ୍ଜ୍ୱଳ ଆଲୋକ
ପାହେ ରଜନୀ ପୁଣି ହୁଏ ନବ ସୂର୍ଯ୍ୟୋଦୟ
ଶୁଭରେ ଆଗାମୀ କାଲିକୁ ଯିଏ କରେ ସ୍ଵାଗତ
ଜନ ସମାବେଶରେ ପାଇଥାଏ ସିଏ ସମ୍ଵର୍ଦ୍ଧନା
ସମସ୍ୟା ଭିତରେ କରି ସମୀକ୍ଷାରେ ତର୍ଜମା
ଆଗକୁ ବଢିବା ପାଇଁ ପୁନଃ ପୁନଃ ରହେ ଚେଷ୍ଟିତ
ବପନ କରିଥିବା ଇଚ୍ଛାର ବୀଜ ମାଟି ଗର୍ଭରୁ
ଅଙ୍କୁରିତ ହୋଇ ଚାରା ଗଛରେ ହୁଏ ରୂପାନ୍ତର
ଶାଖା ପ୍ରଶାଖା ମେଲି ବିସ୍ତାର କରେ କାୟା
ସବୁଜ ପତ୍ରର ପଲ୍ଲବିତରେ ହୁଏ ନିଘଞ୍ଚ
ବାସଭରା ଫୁଲ ସହିତ ଦିଏ ସୁମିଷ୍ଟ ପକ୍ଵ ଫଳ
ପଥକ୍ଳାନ୍ତିର ଉପସମରେ ଦିଅଇ ଶୀତଳ ଛାୟା
ପ୍ରତିଟି ଆଶାକୁ ଅନୁସରଣ କରେ ଜୀବନ
ନିମ୍ନଗା ପରି ଅବାରିତ ରହିଥାଏ ତାର ଧାବନ
ସାମ୍ନାକୁ ଆସିଲେ ମଧ୍ୟ ବହୁ ବାଧାର ପ୍ରତିବନ୍ଧକ
ଦୁର୍ବାର ଗତିରେ ଅତିକ୍ରମ କରେ ଏଡ଼ି ପ୍ରତିବନ୍ଧକ
ସେ ଇପ୍ସିତ ଆଗାମୀ କାଲିର ଭବିଷ୍ୟତକୁ
କରିବା ପାଇଁ ଆଶାନୁରୂପକ ସୁଖପ୍ରଦ ଶାନ୍ତିଦାୟକ
ଖୋଜିବାକୁ ହୋଇଥାଏ ସୁବର୍ଣ୍ଣ ସୁଯୋଗ
ଯା’ର କ୍ରମଧାରା ପ୍ରକୃତିର ନିୟମରେ ଥାଏ ବନ୍ଧା
ସେ ସୁଯୋଗର ବିନିଯୋଗ କରିବାକୁ ପ୍ରଯତ୍ନରେ
ରହିବାକୁ ହୁଏ ସଦା ଅଧ୍ୟବବସାୟୀ ପରିଶ୍ରମୀ
ନିରବଚ୍ଛିନ୍ନ ଚଳାଇ ରଖିଥିଲେ ତାର କ୍ରିୟା ପ୍ରକ୍ରିୟା
ଉଜ୍ଜ୍ଵଳ ହୁଅଇ ଆସନ୍ତା କାଲିର ଭବିଷ୍ୟତ
ନଚେତ୍ ସନ୍ଦିଗ୍ଧର ଏକ ବହଳ କୁଜ୍ଝଟିକା ଭିତରେ
ଆଗାମୀ କାଲିର ଭବିଷ୍ୟତ ହୁଏ ନିମଜ୍ଜିତ।

      କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *