ମନୋବୃତ୍ତି
ମନୋବୃତ୍ତି
🖊️କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିରେ ମନୁଷ୍ୟ ଏକ ମନୋମୟ ପ୍ରାଣୀ
ସେ କରେ ଯା’ ଯା’ ପ୍ରାୟତଃ ଜାଣି ଜାଣି
ବେଳେ ବେଳେ କରିଥାଏ ଅଜ୍ଞାତରେ
ଅବା ରହିଥାଏ ଯଦି ସେ କିଛି’ର ବିବଶରେ
ମନର ଭାବରୁ ଆସେ ଅସରନ୍ତି ଭାବନା
ଚେତନ/ଅବଚେତନରେ କରେ ତା’ କଳ୍ପନା
ଲାଗଇ ତାକୁ ଯଦି ଭଲ ପାଇଥାଏ ଆନନ୍ଦ
ମନକୁ ମନ ତାର କରିଥାଏ ତାହା ପସନ୍ଦ
ଜାଗ୍ରତ ହୁଏ ଆଶା ତା’ ହୃଦୟେ ବାରବାର
ସେ ଆଶା ଇଚ୍ଛାରେ ହୁଅଇ ପୁଣି ରୂପାନ୍ତର
କରେ ଉଦ୍ୟମ ପ୍ରଚେଷ୍ଟାରେ ଅଭ୍ୟାସ
ପ୍ରତିଭା ଅନୁଯାୟୀ ହୋଇଥାଏ ବିକାଶ
ମନର ନିରନ୍ତର ଭାବନା ହିଁ ମନୋବୃତ୍ତି
ରହିଥାଏ ସୂକ୍ଷ୍ମ ମନ ମଧ୍ୟେ ହୁଏନା ଇତି
ମନୋବୃତ୍ତି ନେଇ କରେ ଚିନ୍ତା ଚିନ୍ତନ
ଅନୁଧ୍ୟାନରୁ ସେ କରଇ ମନନ ସ୍ମରଣ
କ୍ରମେ କ୍ରମେ ହୁଏ ତାହା ରୁଚିରେ ପରିଣତ
ହୁଏ କିଏ ଖେଳ ପ୍ରିୟ କରେ କସରତ
କାହାକୁ ଭଲ ଲାଗେ ନୃତ୍ୟ ଗୀତ ବାଦ୍ୟ
କାହାକୁ ଭଲ ଲାଗେ ନାନା ସୁମିଷ୍ଟ ଖାଦ୍ୟ
ହୋଇଥାନ୍ତି କେହି କେହି ପ୍ରକୃତି ପ୍ରେମୀ
ନିଜ ଆଶା ଇଚ୍ଛା ମନୋବୃତ୍ତିର ଅନୁଗାମୀ
ପାଇବାକୁ ନିଜର ଯଶ ସୁନାମ ପ୍ରଶଂସା
ଅର୍ଜିବାକୁ ଧନ ଜ୍ଞାନ ମାନ ରଖେ ପ୍ରତ୍ୟାଶା
ସୁପଥେ ଯାଇ କଷ୍ଟ ସହି ହୁଅଇ ପ୍ରତିଷ୍ଠିତ
ବଳିଷ୍ଠ ଚରିତ୍ର ଗଢ଼ି ହୋଇଥାଏ ମହତ
କଷ୍ଟକର ବେଶି ହେଲେ ଦିଏ ତାହା ଛାଡ଼ି
ଅବା ବିଫଳ ହେଲେ ବିମୁଖେ ଯାଏ ବିଗିଡ଼ି
ଚାଲିଥାଏ ସହଜ ସୁବିଧାର ବାଟ ଖୋଜି
ଆସକ୍ତିରେ ବିଭ୍ରମ ହୋଇ ଯାଏ ସେ ହଜି
ଭୁଲ୍ ବାଟରେ ଯାଉଥିଲେ ହୁଏ କଳଙ୍କିତ
ଭାବେ ନାହିଁ ଆଉ ଉଚିତ କି ଅନୁଚିତ
ମନୋବୃତ୍ତି ନେଇ କରଇ ଜୀବନ ନିର୍ବାହ
ଯା’ ଲାଗି ହସେ ଅବା ଝରାଏ ଆଖିରୁ ଲୁହ
ଯାହାର ମନୋବୃତ୍ତି ଯେତେ ସ୍ଵଚ୍ଛ ନିର୍ମଳ
ତଦନୁସାରେ ପାଇଥାଏ ସିଏ ଉତ୍ତମ ଫଳ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
