ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

ବ୍ରହ୍ମପୁର, ୦୬/୦୪: ବ୍ରହ୍ମପୁର ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ନିୟନ୍ତ୍ରଣ ସହ ସାଧାରଣ ଲୋକଙ୍କ ସୁରକ୍ଷା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ବନ୍ଧ୍ୟାକରଣ ଅଭିଯାନ ଜୋରଦାର ଭାବେ ଜାରି ରହିଛି। ମେୟର ସଂଘମିତ୍ରା ଦଳେଇଙ୍କ ତତ୍ତ୍ୱାବଧାନରେ ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାର୍ଚ୍ଚ ୩୧ ଯାଏଁ ୭୪ ଦିନରେ ଲକ୍ଷଣୀୟ ସଫଳତା ହାସଲ କରିଛି।


ଉପଲବ୍ଧ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ଶେଷ ସୁଦ୍ଧା ସହରରେ ମୋଟ ୭୩୭ଟି ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସହ ଟିକାକରଣ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଛି। ଜାନୁଆରୀରେ ୨୬୭ଟି, ଫେବୃଆରୀରେ ୪୭୦ଟି ଏବଂ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୫୧୪ଟି କୁକୁରଙ୍କ ଅସ୍ତ୍ରୋପଚାର କରାଯାଇଛି। ଏଥିରୁ ୭୪୧ଟି ପୁରୁଷ ଓ ୫୧୦ଟି ମହିଳା କୁକୁର ଥିବା ଜଣାପଡ଼ିଛି।
ବନ୍ଧ୍ୟାକରଣ ପରେ କୁକୁରମାନଙ୍କୁ ୩ରୁ ୪ ଦିନ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରେ ସେମାନଙ୍କୁ ପୁନର୍ବାର ସେମାନଙ୍କ ଅଞ୍ଚଳରେ ଛାଡ଼ାଯାଇଛି ।
ଅଭିଯାନ ପୂର୍ବରୁ କରାଯାଇଥିବା ସର୍ଭେ ଅନୁଯାୟୀ ସହରରେ ପ୍ରାୟ ୫ ହଜାର ୩ ଶହରୁ ଉର୍ଦ୍ଧ ବୁଲା କୁକୁର ରହିଥିବା ଜଣାପଡିଥିଲା । ସମସ୍ତଙ୍କ ବନ୍ଧ୍ୟାକରଣ ପାଇଁ ଏକ ବର୍ଷର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ, ମାତ୍ର ଅଢ଼େଇ ମାସରେ ଶତକଡ଼ା ୨୩.୪ ପ୍ରତିଶତରୁ ଅଧିକ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇପାରିଛି। ଏହି ଧାରା ଜାରି ରହିଲେ ନିର୍ଦ୍ଧାରିତ ସମୟ ସୀମାରେ ସମସ୍ତ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସମ୍ଭବ ବୋଲି ‘ଅଶ୍ରା’ ସଂସ୍ଥାର ପ୍ରକଳ୍ପ ସଂଯୋଜକ ଅମିତ ଚୋଗଲେ ଆଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସହରବାସୀଙ୍କ ସହଯୋଗ ଅତ୍ୟାବଶ୍ୟକ ବୋଲି ବିଇଏମ୍‌ସି କମିଶନର ସୁଶ୍ରୀ ଏସ୍. ଶସ୍ୟ ରେଡ୍ଡୀ ନିବେଦନ କରିଛନ୍ତି। ସମସ୍ତ କୁକୁରଙ୍କ ବନ୍ଧ୍ୟାକରଣ ଶେଷ ହେବା ପରେ ପୁନଃ ସର୍ଭେ କରାଯିବ। ବର୍ତ୍ତମାନ ଗର୍ଭବତୀ, ଅସୁସ୍ଥ କିମ୍ବା ନବଜାତ ଛୁଆ ଥିବା କୁକୁରମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ସମ୍ମିଳିତ କରାଯିବ।
ଯାଞ୍ଚ ସମୟରେ କମିଟିର ଅଧ୍ୟକ୍ଷ ଓ ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସଙ୍କ ସହ ଉପଖଣ୍ଡ ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅରବିନ୍ଦ ବେହେରା, ଡ଼. ସତ୍ୟନାରାୟଣ କର, ରାଜ୍ୟ ପଶୁ କଳ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *