ବୀଜମନ୍ତ୍ର ‘ଓଁ ‘ କାର
ବୀଜମନ୍ତ୍ର ‘ଓଁ ‘ କାର
( ରାଗ — କଳହଂସ କେଦାର)
🖊️କବିରତ୍ନ ନୂତନ କୁମାର ବେହେରା
ବୀଜ ମନ୍ତ୍ର ‘ ଓଁ ‘ ଆଦ୍ୟ ପ୍ରଣବ ଧ୍ବନି
ଅ ଉ ମ ତ୍ରି’ଧାରାର ଏ ଶବ୍ଦ ବ୍ରହ୍ମ ଯେ,
ମିଳନେ ଏକ ପୃଥକେ ଭିନ୍ନ ଭିନ୍ନ
ବ୍ରହ୍ମା ବିଷ୍ଣୁ ମହେଶ୍ଵର ତ୍ରି’ଙ୍କୁ ଘେନି ଯେ।
ଅ-ବିଷ୍ଣୁ ଉ-ଶିବ ମ-ବ୍ରହ୍ମା ତ୍ରି ଶକ୍ତି
ବୀଜମନ୍ତ୍ରେ ମଧ୍ୟେ ସ୍ଥିତି ଗତି ମୁକ୍ତି ଯେ,
ଅ-ସୂର୍ଯ୍ୟ ଉ-ଚନ୍ଦ୍ର ମ-ଅଗ୍ନିର ବୀଜ
ହୃଦେ ତିନି ଗୁଣ ସତ୍ତ୍ଵ ତମଃ ରଜ ଯେ ।
‘ ଓଁ ‘ କାରରୁ ସୃଷ୍ଟି ହୋଇଛି ବ୍ରହ୍ମାଣ୍ଡ
ରୂପରେଖ ଯା’ର ଅନାଦି ଅଖଣ୍ଡ ଯେ,
ସ୍ବରୂପେ ଜଗତ ଚେତନ ଓ ଜଡ଼
ଜୀବ ଜନ୍ମେ ଧରି ତାର ଏକ ଭାଣ୍ଡ ଯେ।
ସଚରାଚର ମହୀମଣ୍ଡଳେ ସାର
ଅବ୍ୟୟ ଅକ୍ଷୟ ଧ୍ବନି ଏ ‘ ଓଁ ‘ କାର ଯେ,
ନିରାକାର ଆଦି ଶକ୍ତି ଶବ୍ଦ ବ୍ରହ୍ମ
ସଞ୍ଚାରେ ଜୀବନ ସୃଷ୍ଟିରେ ପରମ ଯେ।
ବ୍ରହ୍ମା ଭାବରେ କରିଥାନ୍ତି ସର୍ଜନ
ବିଷ୍ଣୁ ରୂପରେ କରୁଛନ୍ତି ପାଳନ ଯେ,
ମହେଶ୍ବର ହୋଇ କରନ୍ତି ସଂହାର
ସବୁର ଆଧାର ଧାରଣେ ‘ ଓଁ ‘କାର ଯେ।
ଜନ୍ମରୁ ମରଣ ଯାଏଁ ଥାଇ ଘଟେ
ଉଦ୍ଧାରି ରଖିଥାନ୍ତି ସବୁ ସଂକଟେ ଯେ,
ପ୍ରାଣ ଶକ୍ତି ରୂପେ ଶରୀରରେ ରହି
ବିକାଶି ପ୍ରକାଶି କରୁଥାନ୍ତି ତ୍ରାହି ଯେ।
‘ ଓଁ ‘ କୁଣ୍ଡଳିନୀରୁ ହୁଅଇ ଝଙ୍କୃତ
ପ୍ରାଣର ସ୍ପନ୍ଦନେ ହୁଏ ନିନାଦିତ ଯେ,
ଶବ୍ଦ ବ୍ରହ୍ମ ଜୀବକୁ ରଖେ ଜୀବିତ
ହୋଇଲେ ଅନ୍ତର ମୃତରେ ଘୋଷିତ ଯେ।
ଶବ୍ଦ ବ୍ରହ୍ମ ସମଷ୍ଟିରେ ପରଂବ୍ରହ୍ମ
ସେଇ ଓଁ ପରମାତ୍ମା ଅନନ୍ତ ଅସୀମ ଯେ,
ବ୍ୟଷ୍ଟିରେ ଏକକ ଆତ୍ମା ରୂପେ ଜ୍ଞାତ
ଅଜର ଅମର ସୃଷ୍ଟିରେ ଶାଶ୍ଵତ ଯେ।
ଶବ୍ଦ ବ୍ରହ୍ମ ପରମାତ୍ମା ନାହିଁ ତାର ସୀମା
ଜୀବନ ବୃତ୍ତରେ କରେ ପରିକ୍ରମା ଯେ,
ପରମଙ୍କଠାରୁ ଆସେ ସୂକ୍ଷ୍ମ ଆତ୍ମା
ଶବ୍ଦ ବ୍ରହ୍ମ ରୂପେ ପ୍ରକାଶେ ମହିମା ଯେ।
ଏ ଶବ୍ଦ ବ୍ରହ୍ମ ତ୍ରି’ ମାତ୍ରାର ସାଧନ
ଯୋଗ ଧ୍ୟାନେ ପୃଷ୍ଟ ହୁଅଇ ଜୀବନ ଯେ,
ଗୁରୁ ବିନା ଭେଦେ ଆସେ ନାହିଁ ଜ୍ଞାନ
ଅଜ୍ଞାନେ ମଣିଷ ହୁଏ ହଇରାଣ ଯେ।
‘ ଓଁ ‘ କାରମୟ ସୃଷ୍ଟି ତତ୍ତ୍ଵର ଭବ
ଭାବ ଭାବନାରେ ହୁଏ ଅନୁଭବ ଯେ,
ସତ୍ୟ ଭକ୍ତି ନିଷ୍ଠା ତାର ଉପାସନା
ଧ୍ୟାନେ ତାର ଦୂର ହୁଅଇ ଯାତନା ଯେ।
‘ ଓଁ ‘ କାର ଜପି ପ୍ରଭୁ ପାଦେ ଶରଣ
ଶବ୍ଦବ୍ରହ୍ମରେ ଜୀବ କରେ ଜଣାଣ ଯେ,
ହୃଦେ ଥିଲେ ‘ ଓଁ ‘ କାରର ଜାଗରଣ
ସୁଦୟା କରନ୍ତି ପ୍ରଭୁ ଆର୍ତ୍ତତ୍ରାଣ ଯେ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
