ଅବ୍ୟବସ୍ଥାରେ କୋଣାର୍କ ବସଷ୍ଟାଣ୍ଡ

କୋଣାର୍କ,୧୩.୦୪- ବିଶ୍ୱ ପ୍ରସିଦ୍ଧ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛି। ଏହାର କଳା ଭାସ୍କର୍ଯ୍ୟକୁ ଦେଖିବା ପାଇଁ ରାଜ୍ୟ, ଭାରତର ଅନେକ ପ୍ରଦେଶ ତଥା ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକ ଦୈନିକ କୋଣାର୍କ ବୁଲି ଆସୁଛନ୍ତି। କୋଣାର୍କକୁ ଆସିବା ପାଇଁ ଏକମାତ୍ର ବିକଳ୍ପ ହେଲା ସଡ଼କ ପଥ। କୋଲକାତା ସହ ରାଜ୍ୟର ରାଜଧାନୀ ଭୁବନେଶ୍ଵର, କଟକ, ପୁରୀ, ଅସ୍ତରଙ୍ଗ, କାକଟପୁର, ପିପିଲି ଓ ନିମାପଡ଼ା ଠାରୁ କେବଳ ସଡ଼କ ପଥ ମାଧ୍ୟମରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଯାତାୟାତ କରନ୍ତି। କିନ୍ତୁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ, ପରିବହନ ଓ ଗମନାଗମନ ବିଭାଗ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସ୍ଥାନୀୟ ନେତା ମାନଙ୍କ ଉଦାସୀନତା ଓ ଅପାରଗ କାରଣରୁ ବିଶ୍ଵ ଐତିହ୍ୟ କୋଣାର୍କ ସହରରେ ଏକ ଉନ୍ନତମାନର ବସଷ୍ଟାଣ୍ଡ ନାହିଁ। କୋଣାର୍କ ବସଷ୍ଟାଣ୍ଡ ଅନେକ ଅବ୍ୟବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। କିଛି ବର୍ଷ ପୂର୍ବେ ବସ ରହଣୀ ପାଇଁ ଏକ ବିଶାଳ ଛାତ ପଡ଼ିଥିଲେ ମଧ୍ୟ ତାହା ସମ୍ପୂର୍ଣ ହୋଈ ପାରିଲା ନାହିଁ। ବସ ରହଣୀ ପାଇଁ ଯାଗା ନଥିବାରୁ ରାସ୍ତା ଉପରେ ପ୍ରାୟ ବସ ରହୁଛନ୍ତି। ଏହାଦ୍ବାରା ଦୁର୍ଘଟଣା ଆଶଙ୍କା ରହୁଛି। ଅସାଧୁ ବ୍ୟବସାୟୀ ମାନେ ଧୀରେ ଧୀରେ ଆଗକୁ ଆଗକୁ ମାଡ଼ି ଜବରଦଖଲ କଲେଣି ବସଷ୍ଟାଣ୍ଡ ପରିସର। ବସଷ୍ଟାଣ୍ଡ ପରିସର ଉପରେ ଆସ୍ଥାନ ଜମାଉଛନ୍ତି ନିଜ ବ୍ୟବସାୟର। ଯାହା ଫଳରେ ବସ ରହଣୀ ଓ ଯାତ୍ରୀ ମାନଙ୍କ ପାଇଁ ସଙ୍କୁଚିତ ହୋଇଛି ସ୍ଥାନ।

ଏଥି ସହିତ ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ବିଶ୍ରାମ ଓ ପ୍ରତୀକ୍ଷା ପାଇଁ ବିଶ୍ରାମକକ୍ଷ ନାହିଁ। ଯାହା ଦ୍ଵାରା ଖରା, ବର୍ଷା ଓ ଶୀତରେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ଦେଶ ବିଦେଶର ପର୍ଯ୍ୟଟକ। ସାରା ଦେଶକୁ ଏକ ନିନ୍ଦନୀୟ ବାର୍ତ୍ତା ଯାଉଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବସଷ୍ଟାଣ୍ଡ ପ୍ରବେଶ ଓ ପ୍ରସ୍ଥାନ ଦ୍ଵାର ମଧ୍ଯ ସଂକୀର୍ଣ୍ଣ କାରଣରୁ ସରକାରୀ ଆମ-ବସ ସହ ବଡ ବଡ ପର୍ଯ୍ୟଟକ ଓ ଘରୋଇ ବସ ଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସଷ୍ଟାଣ୍ଡ ନିକଟରେ ଏକ ଶୌଚାଳୟ ଥିଲେ ମଧ୍ୟ ଏତେ ଅତ୍ୟାଧୁନିକ ନୁହେଁ। ଯାହା ଆବଶ୍ୟକତା ପୂରଣ କରି ପାରୁନାହିଁ। ନିକଟରେ ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ମୁଣ୍ଡେ ମିଳୁନାହିଁ। ଏପରି ଅନେକ ଅବ୍ୟବସ୍ଥା ଘେରରେ କୋଣାର୍କ ବସଷ୍ଟାଣ୍ଡ ପଡି ରହିଛି। ଏଥିପ୍ରତି ଦୃଷ୍ଟି ଦେଇ ବିଶ୍ଵ ଐତିହ୍ୟ କୋଣାର୍କ ପରି ସହରରେ ତୁରନ୍ତ ନୂତନ ଭାବେ ଅତ୍ୟାଧୁନିକ ସେବା ଥିବା ବସଷ୍ଟାଣ୍ଡ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ସାମାଜିକକର୍ମୀ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ।

Leave a Reply

Your email address will not be published. Required fields are marked *