ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
( ରାଗ — ଚିନ୍ତାକାମୋଦୀ )
🔹କବିରତ୍ନ ନୂତନ କୁମାର ବେହେରା
ପଞ୍ଚମ ଦୁ’ଆର ଖୋଲିଦେ କାଳିଆ’
ଆକଟ କିଛି ନ ରହୁ’
ତୋ ଭକତ’ ଆସି ଦରଶନ କରୁ’
ବାଧା କିଛି ସେ ନ ସହୁ’,
ତା ମ’ନ ଖୁସି ହେଉ’,
କରୁ’ଣା କର ହେ ମହାବାହୁ’ /୧/
ଶ୍ରୀମନ୍ଦିରେ ଭିତରେ ରହିଛୁ ରେ ତୁ
ଭକତ ଆସନ୍ତି ବହୁ,
ଚାରି ଦ୍ଵାର ଖୋଲା ଥାଇ ହୁଏ ଭିଡ଼
ଯାଇ ପାରନ୍ତିନି ସବୁ,
ଫେରି ଆସନ୍ତି ସେହୁ
ତାଙ୍କ ଆଖିରୁ ଝରଇ ଲହୁ /୨/
ଦାରୁବ୍ରହ୍ମ ରୂପ ଦେଖି ତୋର ସର୍ବେ
ତୋତେ ସଦା ଅଳି କରୁ,
ବ୍ରହ୍ମକୁ ବିଚାରି ରଖେ ଯେ ଧର୍ମକୁ
ତାକୁ ହିଁ ତୁ ପୁଣ୍ୟ ଦେଉ,
ହେ ନାଥ ମହାପ୍ରଭୁ,
ତୋ ଦରଶନେ ମୋ ଦିନ ଯାଉ /୩/
ଶ୍ରୀମନ୍ଦିରର ସେ ଚାରି ଦ୍ଵାର ପରି
କରିଛୁ ରେ ଶରୀରକୁ,
ଆଖି କାନ ନାକ ମୁଖ ରହି ଚାରି
ଜୀବ ଚିହ୍ନୁନି ଜୀବକୁ,
କରେ ଛଳ ମନକୁ,
ମୋହର ବଶେ ଚାହେଁ ଲୋଭକୁ /୪/
ପଞ୍ଚମ ଦୁଆର ଖୋଲିଦେ କାଳିଆ
ଆଜ୍ଞାଚକ୍ରେ ଜ୍ଞାନ ଫିଟୁ,
ଅନ୍ତର୍ଯ୍ୟାମୀ ତୁ’ରେ ତୋ ବିନା କାହାକୁ
ଭରସା କରିବି ଆଉ,
ସଭିଙ୍କୁ ସାହା ହେଉ,
ମୁକୁଳାଅ ପ୍ରଭୁ ଅଜ୍ଞାନକୁ /୫/
ତୋ ଚାରି ଦୁଆର ପୂରୁବ ପଶ୍ଚିମ
ଉତ୍ତର ଓ ଦକ୍ଷିଣକୁ,
ଆଖି ଦେଖେ କାନ ଶୁଣେ ଯେତେ ସବୁ
ନାକ ପାଟି ଯେ ସ୍ୱାଦକୁ,
ଆତ୍ମା ଭେଟୁ ପରମଙ୍କୁ,
ରେ କାଳିଆ ସାହା ହୋଇଥିବୁ /୬/
ପଞ୍ଚମ ଦୁଆର ଖୋଲିଦେ କାଳିଆ
ଦେଖିବି ତୋ ସ୍ୱରୂପକୁ,
ମୁଁ ଭକତ ହୋଇ ଜପେ ତୋ ନାମକୁ
ମୋ ବିଶ୍ଵାସ ରଖିଥିବୁ,
ଦେଖି ଏ ଅନାଥକୁ,
ଖୋଲି ଦେ’ରେ ପଞ୍ଚମ ଦ୍ଵାରକୁ /୭/
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
