ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା-୨୦୨୬ ସମୀକ୍ଷା ବୈଠକର

ଭୁବନେଶ୍ୱର ତା- ୨୫.୦୪.୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଗାମୀ ଜୁଲାଇ ମାସରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତିର କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଗାମୀ ପ୍ରସ୍ତୁତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପବିତ୍ର ମୋହନ ସାମଲ, ଅତିରିକ୍ତ ଆରକ୍ଷୀ ନିର୍ଦ୍ଦେଶକ(ଆଧୁନିକୀକରଣ ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ, ପୁରୀ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପୁରୀ ଶ୍ରୀ ପ୍ରତୀକ ସିଂ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ରଥଯାତ୍ରାରେ ରଥଟଣା କିପରି ଶୃଙ୍ଖଳିତ ଭାବେ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥ କର୍ଡନ ଭିତରକୁ ପାସ୍ ଧାରୀଙ୍କ ପ୍ରବେଶ ଅଧିକ ରହୁଥିବାରୁ ରଥ ଟଣାରେ ଅସୁବିଧା ଉପୁଜୁଛି । ଏଥିପାଇଁ ଏଥର କର୍ଡନ ପାସ୍ ସଂଖ୍ୟା ବହୁ ସଂଖ୍ୟାରେ କମାଇବା ପାଇଁ ଆଲୋଚନା କରାଯାଇଥିଲା । ବୈଠକରେ ରଥ ନିର୍ମାଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ପାଢୀ ସୂଚନା ଦେଇଥିଲେ । ଅପ୍ରେଲ ୨୦ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୁକୂଳ ଆରମ୍ଭ ହୋଇଛି । ରଥ ନିର୍ମାଣ ଅଗ୍ରଗତି ତଦାରଖ କରିବା ପାଇଁ ଏକ ବୈଷୟିକ କମିଟି ରହିଛି । ଏହି କାର୍ଯ୍ୟ ନିୟମିତ ଅନୁଧ୍ୟାନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ୫୭୬ ଟି ସଂଗ୍ରହ ସରିଛି ଓ ଆବଶ୍ୟକ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଥିଲେ । ରଥ ଦଉଡି ଯେପରି ମଜବୁତ୍ ରୁହେ, ସେଥିପ୍ରତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓବିସିସି ପକ୍ଷରୁ ନିର୍ମାଣାଧିନ ଜଗନ୍ନାଥ ବଲ୍ଲବ ତୀର୍ଥଯାତ୍ରୀ କେନ୍ଦ୍ର, ଆଚାର୍ଯ୍ୟ ହରିହର ଛକର ପୁନଃ ବିକାଶ , ଦିଗବାରେଣୀ ଠାରେ ବହୁତଳ ପାର୍କିଂ ବ୍ୟବସ୍ଥା , ଯାତ୍ରିକା ପାର୍କିଂ-୧ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସରିବା ନେଇ ପ୍ରସ୍ତୁତି ଅଗ୍ରଗତି ଘଟିଛି । ସେ ସଂପର୍କରେ ଜିଲ୍ଲାପାଳ , ପୁରୀ ବିସ୍ତୃତ ସୂଚନା ଦେଇଥିଲେ । ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ୫୦ ଟି ହାଇମାଷ୍ଟ ଲାଇଟ୍ ଲାଗିବ, ଫଳରେ ଏହା ବଡ଼ଦାଣ୍ଡକୁ ଅଧିକ ଆଲୋକିତ କରିବ । ପୁରୀ ସମୁଦ୍ରକୂଳରେ ୬ ଟି ବାୟୋ-ଶୌଚାଳୟ ବ୍ଲକ ସ୍ଥାପନ ହେବ, ଯେଉଁଥିରେ ୧୮ ଟି ଏକକ ଶୌଚାଳୟ ସୁବିଧା ମିଳିବ । ଏଥି ସହିତ ପୁଲିସ୍ ଶିବିର ସ୍ଥଳ, ପାର୍କିଂ ଅଂଚଳ ଏବଂ ଜନସାଧାରଣଙ୍କ ପାଇଁ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା । ଅଧିକ ବର୍ଷା ହେଲେ ପୁରୀ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ଯୋଜନା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ୨୩ ଟି ସ୍ଥାନ ଚିହ୍ନଟ ହୋଇଛି, ଯେଉଁଠାରୁ ଉଚ୍ଚ କ୍ଷମତା ବିଶିଷ୍ଟ ପମ୍ପ ସେଟ୍ ଦ୍ୱାରା ଜଳ ନିଷ୍କାସନ ହୋଇପାରିବ । ରଥଟଣାକୁ ସୁଗମ କରିବା ପାଇଁ ବଡଦାଣ୍ଡରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ଓ ମଇ ମାସ ସୁଦ୍ଧା ଶେଷ ହେବ । ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୧ ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜରୁରୀ କାଳୀନ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ୮ ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ବ୍ୟବସ୍ଥା କରାଯାଉଛି , ଯଦ୍ୱାରା ପୁରୀ ମୁଖ୍ୟ ଚିକିତ୍ସାଳୟ ଏବଂ ଟିବି ଓ ଆଇଡିଏସ୍ ଡାକ୍ତରଖାନା ଉପରେ ନିର୍ଭରଶୀଳତା ଚାପ କମିବ । ମାଟିଆପଡା ଠାରେ ପୁରୀ-କୋଣାର୍କ ରୋଡ୍ ଓଭର ବ୍ରିଜ୍ କାମ ଶେଷ ପର୍ଯ୍ୟାୟରେ ପହଁଚିଛି ଓ ଆବଶ୍ୟକ ଜରୁରୀ କାର୍ଯ୍ୟ ଶେଷ ପରେ ରଥଯାତ୍ରା ପୂର୍ବରୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ଏହା ଦ୍ୱାରା ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ଯାତାୟତରେ ସୁବିଧା ହେବ । ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା, ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି ଓ ଜରୁରୀକାଳୀନ ବ୍ୟବସ୍ଥା, ପୁରୀ ସହର ଭିତର ଓ ସଂଲଗ୍ନ ରାସ୍ତା ମରାମତି, ସ୍ୱାସ୍ଥ୍ୟ, ପରିମଳ, ନିୟନ୍ତ୍ରଣ କକ୍ଷ ପରିଚାଳନା, ଯଥେଷ୍ଟ ସଂଖ୍ୟକ ପୁଲିସ୍ ମୁତୟନ, ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ୮ ଟି ଅଧିକ ରେଳ ଟିକେଟ୍ କାଉଁଟର କରାଯିବା ନେଇ ସୁଚନା ଦିଆଯାଇଛି । ବଡ ଦାଣ୍ଡ କଡ଼ରେ ରଥଯାତ୍ରା ସମୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ଫଳରେ ରଥ ଟଣା ସମୟରେ ଅସୁବିଧା ସୃଷ୍ଟି ହେଉଛି । ଏହା ମଧ୍ୟ ବଡଦାଣ୍ଡକୁ ଅପରିସ୍କାର କରିବାର ଅନ୍ୟତମ କାରଣ ହେଉଛି । ଏହାକୁ ଦୃଷ୍ଟିରେ ରଖି ଏଥର ବଡ଼ଦାଣ୍ଡ ପାଖାପାଖି କେତେକ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପିତ ହୋଇଛି, ଯଦ୍ୱାରା ସେଠାରେ ମାଗଣା ରନ୍ଧାଖାଦ୍ୟ ବଣ୍ଚଟ ସହିତ ଏହି ସମସ୍ୟା ଦୂର କରାଯାଇପାରିବ ।

Leave a Reply

Your email address will not be published. Required fields are marked *