ମନ କି ବାତ’ର ୧୩୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

‘ମନ କି ବାତ’ର ୧୩୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ l ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ଆଉ ଗୋଟିଏ ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଡ଼ିହୋଇ ମୋତେ ଖୁସି ଅନୁଭବ ହେଉଛି । ଏହା ଭିତରେ ନିର୍ବାଚନ ପାଇଁ ଗସ୍ତ ଚାଲିଛି, କିନ୍ତୁ ଆପଣମାନଙ୍କ ଚିଠି ଓ ବାର୍ତ୍ତାଗୁଡ଼ିକ ମାଧ୍ୟମରେ ଆମେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ଗୁଡ଼ିକ ସମ୍ପର୍କରେ ପରସ୍ପର ସହ ନିଜର ଖୁସି ମଧ୍ୟ ବାଣ୍ଟୁଛୁ । ଏଥର ‘ମନ୍ କି ବାତ୍’ର ଆରମ୍ଭ ଦେଶର ଏହିଭଳି ଗୋଟିଏ ବହୁତ ବଡ଼ ଉପଲବ୍ଧିରୁ କରିବା ।ବନ୍ଧୁଗଣ, ଭାରତ ବିଜ୍ଞାନକୁ ସର୍ବଦା ଦେଶର ପ୍ରଗତି ସହ ଯୋଡ଼ି ଦେଖିଛି । ଏହି ଚିନ୍ତାଧାରା ସହ ଆମ ବୈଜ୍ଞାନିକମାନେ ବେସାମରିକ ପରମାଣୁ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି । ସେମାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ରାଷ୍ଟ୍ରନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହାଦ୍ୱାରା ଆମର ଶିଳ୍ପ ବିକାଶ, ଶକ୍ତିକ୍ଷେତ୍ର, ସ୍ୱାସ୍ଥ୍ୟକ୍ଷେତ୍ରକୁ ବହୁତ ଲାଭ ହୋଇଛି । ଚାଷବାସଠାରୁ ଆରମ୍ଭ କରି ଆଧୁନିକ ଉଦ୍ଭାବକମାନଙ୍କୁ ମଧ୍ୟ ଭାରତର ବେସାମରିକ ପରମାଣୁ କାର୍ଯ୍ୟକ୍ରମର ବହୁତ ସାହାଯ୍ୟ କରିଛି । ବନ୍ଧୁଗଣ, ମାତ୍ର କିଛିଦିନ ପୂର୍ବେ ଆମର ପରମାଣୁ ବୈଜ୍ଞାନିକ ଗୋଟିଏ ବହୁତ ବଡ଼ ଉପଲବଧି ସହିତ ଭାରତର ଗୌରବ ବୃଦ୍ଧି କରିଛନ୍ତି । ତାମିଲନାଡୁର କଳ୍ପକ୍କମରେ ଫାଷ୍ଟ ବ୍ରେଡର ରିଆକ୍ଟର ସଙ୍କଟ ହାସଲ କରିସାରିଛି । ପ୍ରକୃତରେ, ଗୁରୁତରତା ହେଉଛି ସେହି ସ୍ଥିତି, ଯେଉଁଥିରେ ରିଆକ୍ଟର ପ୍ରଥମ ଥର ଆତ୍ମନିର୍ଭରଶୀଳ ନ୍ୟୁକ୍ଲିୟର ଶୃଙ୍ଖଳ ପ୍ରତିକ୍ରିୟାରେ ସଫଳତା ହାସଲ କରିଥାଏ । ଏହି ଅବସ୍ଥାର ଅର୍ଥ ହେଉଛି, ରିଆକ୍ଟର କାର୍ଯ୍ୟ ପର୍ଯ୍ୟାୟରେ ପହଞ୍ଚିବା । ଭାରତର ପରମାଣୁ ଶକ୍ତି ଯାତ୍ରାରେ ଏହା ଏକ ଐତିହାସିକ ମାଇଲଖୁଣ୍ଟ । ଆଉ ବଡ଼ କଥା ମଧ୍ୟ ହେଲା ଯେ, ପରମାଣୁ ରିଆକ୍ଟରଟି ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।ବନ୍ଧୁଗଣ, ଏହାକୁ ବ୍ରୀଡର୍ ରିଆକ୍ଟର୍ କାହିଁକି କୁହାଯାଏ ? ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି। ଏହା ଏଭଳି ଗୋଟିଏ ପ୍ରଣାଳୀ ଯାହା ଶକ୍ତି ଉତ୍ପାଦନ ସହ ଭବିଷ୍ୟତ ପାଇଁ ନୂଆ ଇନ୍ଧନ ମଧ୍ୟ ସ୍ୱୟଂ ପ୍ରସ୍ତୁତ କରିଥାଏ । ବନ୍ଧୁଗଣ, ମୋର ମାର୍ଚ୍ଚ ୨୦୨୪ର ସେହି ସମୟ ମଧ୍ୟ ମନେଅଛି, ଯେତେବେଳେ ମୁଁ କଳ୍ପକ୍କମରେ ରିଆକ୍ଟର କୋର ଲୋଡିଂର ସାକ୍ଷୀ ହୋଇଥିଲି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଭାରତର ପରମାଣୁ କାର୍ଯ୍ୟକ୍ରମରେ ନିଜର ଅମୂଲ୍ୟ ଯୋଗଦାନ ଦେଇଛନ୍ତି । ଦେଶବାସୀଙ୍କ ଜୀବନକୁ ଉନ୍ନତ ଏବଂ ସରଳ କରିବାରେ ସେମାନଙ୍କର ଏହି ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଏଥିରୁ ବିକଶିତ ଭାରତର ଆମ ସଂକଳ୍ପକୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ ।ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ମୁଁ ଏଭଳି ଗୋଟିଏ ଶକ୍ତି ବିଷୟରେ କହିବାକୁ ଚାହୁଁଛି, ଯାହା ଅଦୃଶ୍ୟ, କିନ୍ତୁ ଯାହା ବିନା ଆମ ଜୀବନ ଗୋଟିଏ ମୁହୂର୍ତ୍ତ ମଧ୍ୟ ଚଳିପାରିବ ନାହିଁ । ଏହି ଶକ୍ତି ଭାରତକୁ ଆଗେଇ ନେଉଛି । ଏହା ହେଉଛି ଆମର ପବନ ଶକ୍ତି । ଆମ ପ୍ରାଚୀନ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ, “ବାୟୂର୍ବା ଇତି ବ୍ୟଷ୍ଟିଃ, ବାୟୂରବୈ ସମଷ୍ଟିଃ”ଅର୍ଥାତ୍, ବାୟୁ କେବଳ ଗୋଟିଏ ତତ୍ତ୍ୱ ନୁହେଁ, ଏହା ଜୀବନର ଶକ୍ତି, ଏହା ସମଷ୍ଟିର ଶକ୍ତି ।ବନ୍ଧୁଗଣ, ଆଜି ଏହି ପବନ ଶକ୍ତି ଭାରତର ବିକାଶର ନୂଆ କାହାଣୀ ଲେଖି ଚାଲିଛି । ନିକଟରେ ଭାରତ ପବନ ଶକ୍ତି ଅର୍ଥାତ୍ Wind Energyରେ ବଡ଼ ଉପଲବଧି ହାସଲ କରିଛି । ଏବେ ଭାରତର ପବନ ଶକ୍ତି ଉତ୍ପାଦନ କ୍ଷମତା ୫୬ ଗିଗାୱାଟ୍ରୁ ଅଧିକ ହୋଇସାରିଛି । କେବଳ ମାତ୍ର ଗତ ଏକବର୍ଷରେ ଏଥିରେ ପ୍ରାୟ ୬ ଗିଗାୱାଟ୍ ନୂତନ କ୍ଷମତା ଯୋଡ଼ିହୋଇଛି । ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ବନ୍ଧୁଗଣ, ଆଜି ଭାରତ ପବନ ଶକ୍ତି କ୍ଷମତାରେ ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଏହା ଆମ ଇଞ୍ଜିନିୟର ଏବଂ ଯୁବବର୍ଗଙ୍କର ପରିଶ୍ରମ । ଏହା ଦେଶର ସାମୂହିକ ଇଚ୍ଛାଶକ୍ତିର ମଧ୍ୟ ପ୍ରତୀକ ।ବନ୍ଧୁଗଣ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ଏହିପରି ଦେଶର ଅନେକ ରାଜ୍ୟ ଏହି କ୍ଷେତ୍ରରେ ନିଜର ସଫଳତା ପ୍ରଦର୍ଶନ କରିଛନ୍ତି । ଗୁଜରାଟର କଚ୍ଛ୍, ପାଟନ୍, ବନାସକାଁଠା ଭଳି ଅଞ୍ଚଳ ଯେଉଁଠି ଆଗରୁ କେବଳ ମରୁଭୂମି ଦେଖାଯାଉଥିଲା, ଆଜି ସେଠାରେ ବଡ଼ ବଡ଼ ନବୀକରଣୀୟ ଶକ୍ତି ପାର୍କ ତିଆରି ହେଉଛି । ଏହାର ଲାଭ ଯୁବବର୍ଗଙ୍କୁ ମିଳୁଛି । ନୂଆ ସୁଯୋଗ ସୃଷ୍ଟି ହେଉଛି । ନୂଆ ନୂଆ କୌଶଳ ବିକଶିତ ହେଉଛି, ରୋଜଗାରର ନୂଆ ବାଟ ଫିଟୁଛି ।ବନ୍ଧୁଗଣ, ଭାରତର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି । ଏହା କେବଳ ପରିବେଶ କଥା ନୁହେଁ ଏହା ଆମ ଭବିଷ୍ୟତର ସୁରକ୍ଷା । ଏଥିରେ ଆମ ସମସ୍ତଙ୍କ ଭୂମିକା ରହିଛି । ଆମକୁ ବିଜୁଳି ସଞ୍ଚୟ କରିବାକୁ ହେବ, ଆମକୁ ସ୍ୱଚ୍ଛଶକ୍ତି ଆପଣାଇବାକୁ ହେବ । ଦେଶରେ ପ୍ରତ୍ୟେକ ସ୍ତରରେ ଏଭଳି ପ୍ରଚେଷ୍ଟାର ଆବଶ୍ୟକତା ରହିଛି । କାରଣ ଏଥିରୁ ହିଁ ବଡ଼ ପରିବର୍ତ୍ତନ ହେବ ।ବନ୍ଧୁଗଣ, ମଇ ମାସ ଗୋଟିଏ ପବିତ୍ର ଅବସରରୁ ଆରମ୍ଭ ହେବାକୁ ଯାଉଛି । କିଛିଦିନ ପରେ ଆମେ ବୁଦ୍ଧପୂର୍ଣ୍ଣିମା ପାଳନ କରିବା । ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଅଗ୍ରୀମ ଶୁଭେଚ୍ଛା ଜଣାଉଛି । ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ । ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ, ଶାନ୍ତି ଆମରି ଭିତରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି ଯେ, ସ୍ୱୟଂ ଉପରେ ବିଜୟ ସବୁଠାରୁ ବଡ଼ ବିଜୟ । ଆଜି ବିଶ୍ୱ ଯେଉଁଭଳି ଉତ୍ତେଜନା ଏବଂ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଏଭଳି ସମୟରେ ବୁଦ୍ଧଙ୍କ ଚିନ୍ତାଧାରା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।ବନ୍ଧୁଗଣ, ଦକ୍ଷିଣ ଆମେରିକାର ଚିଲି’ର ଗୋଟିଏ ସଂସ୍ଥା ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗେଇ ନେଉଛି । ଲଦାଖରେ ଜନ୍ମଗ୍ରହଣ କରିଥିବା ଡ୍ରବପୋନ୍ ଓତଜର୍ ରିନପୋଚେଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ଚାଲିଛି । ଏହି ସଂସ୍ଥା ଧ୍ୟାନ ଏବଂ କରୁଣାକୁ ଲୋକଙ୍କ ଜୀବନ ସହିତ ଯୋଡ଼ୁଛି । କୋଚିଗୁଆଜ ଘାଟିରେ ନିର୍ମିତ ସ୍ତୂପ ଲୋକଙ୍କୁ ଶାନ୍ତିର ଅନୁଭୂତି ପ୍ରଦାନ କରୁଛି । ପ୍ରକୃତରେ ଏହା ଦେଖି ଗର୍ବ ଅନୁଭବ ହେଉଛି । ଭାରତର ପ୍ରାଚୀନ ଧାରା ବିଶ୍ୱ ଦରବାରକୁ ପହଞ୍ଚୁଛି । ଦୂରଦୂରାନ୍ତର ଲୋକେ ମଧ୍ୟ ଏହା ସହିତ ଯୋଡ଼ି ହେଉଛନ୍ତି।ବନ୍ଧୁଗଣ, ବୌଦ୍ଧ ପରମ୍ପରା ଆମକୁ ପ୍ରକୃତି ସହ ଯୋଡ଼ିହେବା ମଧ୍ୟ ଶିଖାଉଛି । ଗୋଟିଏ ବୃକ୍ଷ ତଳେ ହିଁ ଭଗବାନ ବୁଦ୍ଧଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା । ପ୍ରକୃତି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ଦେଶରେ ଏହିଭଳି ପ୍ରଚେଷ୍ଟା ମଧ୍ୟ ଚାଲିଛି । କର୍ଣ୍ଣାଟକର କର୍ମା ମଠ ଏହାର ଗୋଟିଏ ଉତ୍ତମ ଉଦାହରଣ । ଏହି ମଠ ଗୋଟିଏ ଜୀବନ୍ତ ବନାଞ୍ଚଳ, ଯାହା ୧୦୦ ଏକର ଭୂମିରେ ପରିବ୍ୟାପ୍ତ । ଏହି ଜଙ୍ଗଲରେ ୭୦୦ରୁ ଅଧିକ ଦେଶୀ ବୃକ୍ଷଗୁଡ଼ିକୁ ସଂରକ୍ଷିତ କରାଯାଇଛି । ବନ୍ଧୁଗଣ, ବୁଦ୍ଧଙ୍କ ବାର୍ତ୍ତା କେବଳ ଅତୀତ ନୁହେଁ, ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ । ବୁଦ୍ଧପୂର୍ଣ୍ଣିମାର ଏହି ଅବସର ଆମକୁ ପ୍ରେରଣା ଦେଉଛି ଯେ ଆମେ ନିଜ ଜୀବନରେ ଶାନ୍ତି ବୃଦ୍ଧି କରିବା, ଦୟାଭାବ ଆପଣାଇବା ଏବଂ ସନ୍ତୁଳନ ରକ୍ଷାକରି ଆଗକୁ ବଢ଼ିବା ।ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତେ ଜାଣନ୍ତି ଯେ, ଆମ ଦେଶରେ ଏବେ ଜାନୁଆରୀ ୨୩, ଅର୍ଥାତ୍ ନେତାଜୀ ସୁଭାଷଙ୍କ ଜୟନ୍ତୀଠାରୁ ଆରମ୍ଭ କରି ଜାନୁଆରୀ ୩୦ ଅର୍ଥାତ୍ ଗାନ୍ଧିଜୀଙ୍କ ପୁଣ୍ୟତିଥି ପର୍ଯ୍ୟନ୍ତ ଗଣତନ୍ତ୍ର ମହୋତ୍ସବ ପାଳନ କରାଯାଉଛି । ଏହି ମହୋତ୍ସବର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା – ବିଟିଂ ରିଟ୍ରିଟ୍ । ଆଜି ମୁଁ ଆପଣମାନଙ୍କ ସହିତ ବିଟିଂ ରିଟ୍ରିଟ୍ ସମ୍ପର୍କରେ ଆଲୋଚନା କରୁଛି କାରଣ ଏହା ପଛରେ ଗୋଟିଏ ବିଶେଷ କାରଣ ରହିଛି ।ବନ୍ଧୁଗଣ, ଆପଣମାନେ ଦେଖିଥିବେ ଏହି ଉତ୍ସବ ଭିନ୍ନ-ଭିନ୍ନ ଦଳମାନଙ୍କର ବିବିଧ ସଙ୍ଗୀତ ପରମ୍ପରାକୁ ଦର୍ଶାଇଥାଏ । ବିଗତ କିଛିବର୍ଷ ଧରି ଏଥିରେ ଭାରତୀୟ ସଙ୍ଗୀତକୁ ବିଶେଷ ଭାବେ ଅନ୍ତର୍ଭୁକ୍ତ କରାଯାଉଛି ଏବଂ ଏହା ଦେଶର ଜନସାଧାରଣଙ୍କୁ ମଧ୍ୟ ବହୁତ ଭଲ ଲାଗୁଛି । ଚଳିତ ବର୍ଷର ବିଟିଂ ରିଟ୍ରିଟ୍ ଉତ୍ସବ ମଧ୍ୟ ଖୁବ୍ ସ୍ମରଣୀୟ ଥିଲା । ବାୟୁସେନା, ସ୍ଥଳସେନା, ନୌସେନା ଏବଂ ସି.ଏ.ପି.ଏଫ୍sର ବ୍ୟାଣ୍ଡଗୁଡ଼ିକ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ।ବନ୍ଧୁଗଣ, ଚିତ୍ତାକର୍ଷକ ସଙ୍ଗୀତ ସହ ମନମୁଗ୍ଧକର ଗଠନଗୁଡ଼ିକର ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ବାୟୁସେନା ବ୍ୟାଣ୍ଡ ଦଳ ସିନ୍ଦୂର ଫର୍ମେସନ ପ୍ରଦର୍ଶିତ କରିଥିଲେ । ନୌସେନା ଦଳ ମତ୍ସ୍ୟଯନ୍ତ୍ର ଫର୍ମେସନ କରିଥିଲେ ଏବଂ ଆର୍ମି ବ୍ୟାଣ୍ଡର ପ୍ରଦର୍ଶନରେ ବନ୍ଦେ-ମାତରମର ୧୫୦ ବର୍ଷ ଏବଂ କ୍ରିକେଟରେ ଭାରତର ସଫଳତାକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।ବନ୍ଧୁଗଣ, ବିଟିଂ ରିଟ୍ରିଟ୍ ସରିଯିବା ପରେ, ସମସ୍ତ ପରିଶ୍ରମ, ସମସ୍ତ ଉପଲବଧି ଧୀରେ ଧୀରେ ଉଭେଇଯାଏ । କିନ୍ତୁ ଏବେ ଏହାକୁ ନେଇ ଖୁବ୍ ସୁନ୍ଦର ପ୍ରଚେଷ୍ଟା କରାଯାଇଛି । ବିଟିଂ ରିଟ୍ରିଟ୍ ସଙ୍ଗୀତ ପ୍ରଥମଥର ଲାଗି ୱେଭ୍ସ ଓଟିଟିରେ ମଧ୍ୟ ଉପଲବ୍ଧ । ଆଗାମୀ ସମୟରେ ଏହା ଅନ୍ୟାନ୍ୟ ପ୍ଲାଟଫର୍ମଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ- ଆପଣମାନେ ଏହାକୁ ନିଶ୍ଚୟ ଶୁଣନ୍ତୁ । ଆପଣ ଆମ ସଶସ୍ତ୍ର ବାହିନୀ ଓ ତାଙ୍କ ପରମ୍ପରାକୁ ନେଇ ଖୁବ୍ ଗର୍ବ ଅନୁଭବ କରିବେ ।ବନ୍ଧୁଗଣ, ବିଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥାଏ । ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ସହ କିଛି ଉଦାହରଣ ବାଣ୍ଟିବାକୁ ଚାହୁଁଛି । ଏହାକୁ ଶୁଣି ଆପଣମାନଙ୍କ ମନ ଖୁସି ହୋଇଯିବ । ସର୍ବପ୍ରଥମେ, କଚ୍ଛର ରଣ ଅଞ୍ଚଳ ବିଷୟରେ ଜାଣିବା । ବର୍ଷାଋତୁ ସରିବା ମାତ୍ରେ ଏଠିକାର ଭୂମି ଜୀବନ୍ତ ହୋଇଉଠେ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାର ଫ୍ଲାମିଙ୍ଗୋ ଏଠାକୁ ଆସନ୍ତି । ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଉଠେ । ସେଥିପାଇଁ ଏହି ଅଞ୍ଚଳକୁ ‘ଫ୍ଲେମିଙ୍ଗୋ ସିଟି’ କୁହାଯାଏ । ଏ ପକ୍ଷୀ ଏଇଠି ବସା ବାନ୍ଧନ୍ତି ଓ ଏହିଠାରେ ହିଁ ଛୁଆମାନଙ୍କୁ ବଡ଼ କରନ୍ତି । କଚ୍ଛର ଲୋକମାନେ ଏମାନଙ୍କୁ ‘ଲାଖାଜୀଙ୍କ ବରଯାତ୍ରୀ’ ବୋଲି କହନ୍ତି । ବର୍ତ୍ତମାନ ଲାଖାଜୀଙ୍କର ଏହି ବରଯାତ୍ରୀ କଚ୍ଛର ପରିବେଶ ସୁରକ୍ଷା ଦିଗରେ ଏକ ସୁନ୍ଦର ପ୍ରତୀକ ରୂପେ ବିବେଚିତ ହେଉଛନ୍ତି ।ବନ୍ଧୁଗଣ, ଅନ୍ୟ ଏକ ପ୍ରସଙ୍ଗ ମଣିଷ ଓ ବନ୍ୟପ୍ରାଣୀଙ୍କ ପାରସ୍ପରିକ ସହଯୋଗ ଉପରେ ଆଧାରିତ । ଏ ପ୍ରସଙ୍ଗଟି ହେଉଛି ଉତ୍ତରପ୍ରଦେଶର । ସେଠାକାର ପାର୍ବତ୍ୟାଞ୍ଚଳରେ ଫସଲ ଅମଳ ସମୟରେ ହାତୀପଲ ଗାଁ ଆଡ଼କୁ ମାଡ଼ିଆସନ୍ତି, ଯଦ୍ଦ୍ୱାରା ସଂଘର୍ଷର ଆଶଙ୍କା ଦେଖାଦିଏ । କିନ୍ତୁ, ଏବେ ୟୁପିରେ ମଧ୍ୟ ‘ଗଜମିତ୍ର’ ଭଳି ପ୍ରୟାସ ଆରମ୍ଭ ହୋଇଛି । ଗାଁର ଲୋକମାନେ ହିଁ ଟିମ୍ ତିଆରି କରି ହାତୀମାନଙ୍କ ଉପରେ ଦୃଷ୍ଟି ରଖୁଛନ୍ତି । ବେଳ ଥାଉ ଥାଉ ସେମାନେ ଲୋକମାନଙ୍କୁ ସତର୍କ କରୁଛନ୍ତି। ଏହାଦ୍ୱାରା ହାତୀ-ମନୁଷ୍ୟ ସଂଘର୍ଷ କମୁଛି ଓ ଲୋକମାନଙ୍କର ଭରସା ବଢ଼ୁଛି ।ବନ୍ଧୁଗଣ, ମଧ୍ୟଭାରତରୁ ବି ଏକ ଭଲ ଖବର ଆସିଛି । ଛତିଶଗଡ଼ରେ ପୁଣିଥରେ କୃଷ୍ଣସାର ମୃଗ ଦେଖାଗଲେଣି । ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା, କିନ୍ତୁ ନିୟମିତ ପ୍ରଚେଷ୍ଟା କରାଗଲା, ସଂରକ୍ଷଣ ବଢ଼ାଗଲା ଯଦ୍ଦ୍ୱାରା ଆଜି ଏମାନେ ପୁଣିଥରେ ଖୋଲାପଡ଼ିଆରେ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ହେଉଛି ଆମ ଲୁପ୍ତ ପ୍ରାୟ ଐତିହ୍ୟର ପୁନରାଗମନ । ଏପରି ଆଶା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଅର୍ଥାତ୍ ଗୋଡ଼ାବଣ ପକ୍ଷୀ ସଂରକ୍ଷଣରେ ମଧ୍ୟ ଦେଖିବାକୁ ମିଳୁଛି । ଏ ପକ୍ଷୀ ଆମ ମରୁଭୂମି ଅଞ୍ଚଳର ପରିଚୟ ଥିଲେ । କିନ୍ତୁ ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏ ପକ୍ଷୀ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂରକ୍ଷଣ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଛି । ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି । ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ନୂତନ ଜୀବନର ଆରମ୍ଭ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।ବନ୍ଧୁଗଣ, ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି । ଆମେ ପରସ୍ପରର ବନ୍ଧୁ । ଯେତେବେଳେ ଆମେ ପ୍ରକୃତିକୁ ବୁଝୁ, ତା’ର ସମ୍ମାନ କରୁ ଓ ତା’ସହିତ ସମତାଳରେ ଚାଲୁ, ସେତେବେଳେ ପରିବର୍ତ୍ତନ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ । ଆଜି ଏପରି ପରିବର୍ତ୍ତନ ଦେଶର କୋଣ-ଅନୁକୋଣରୁ ନୂଆ ଆଶା ନେଇ ସାମ୍ନାକୁ ଆସିବାରେ ଲାଗିଛି ।ମୋର ପ୍ରିୟ ଦେଶବାସୀଗଣ, ଉତ୍ତରପୂର୍ବ ହେଉଛି ଆମ ସମସ୍ତଙ୍କ ପାଇଁ ଅଷ୍ଟଲକ୍ଷ୍ମୀ । ଏଠି ପ୍ରଚୁର ପ୍ରତିଭା ରହିଛି । ଏତଦଭିନ୍ନ ଉତ୍ତରପୂର୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ‘ମନ୍ କି ବାତ୍’ରେ ବି ଆମେ ପ୍ରାୟତଃ ଉତ୍ତରପୂର୍ବର ଲୋକମାନଙ୍କ ଉପଲବଧି ସମ୍ପର୍କରେ ଚର୍ଚ୍ଚା କରିଆସିଛୁ । ଆଜି ସେପରି ଏକ ଉପଲବଧି ବିଷୟରେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବି, ଆଉ ତାହା ହେଉଛି – ଉତ୍ତର-ପୂର୍ବ ବାଉଁଶ ସେକ୍ଟରୁର ସଫଳତା । ବନ୍ଧୁଗଣ, ଏକଦା ଯେଉଁ ଜିନିଷକୁ ବୋଝ ବୋଲି ବିବେଚନା କରାଯାଉଥିଲା, ଆଜି ତାହା ରୋଜଗାର, କାରବାର ଓ ନବସୃଜନକୁ ନୂଆ ଗତି ପ୍ରଦାନ କରୁଛି । ଆମ ମା’ଭଉଣୀମାନେ ହେଉଛନ୍ତି ଏହାର ସବୁଠାରୁ ବଡ଼ ଲାଭାର୍ଥୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଉଁଶର ପରିଭାଷା ବଦଳିଯିବାରୁ କେତେ ବଡ଼ ପରିବର୍ତ୍ତନ ଆସିଛି । ବନ୍ଧୁଗଣ, ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଆଇନ ଅନୁସାରେ ବାଉଁଶକୁ ବୃକ୍ଷ ରୂପେ ପରିଗଣିତ କରାଯାଉଥିଲା ଓ ଏହାସହ ଜଡ଼ିତ ନିୟମ ମଧ୍ୟ ଖୁବ୍ କଠୋର ଥିଲା । କୌଣସି ଜାଗାକୁ ବାଉଁଶ ନେଇଯିବା ମଧ୍ୟ କାଠିକର ପାଠ ଥିଲା । ଏହାଦ୍ୱାରା ଏଠିକାର ଲୋକମାନେ ବାଉଁଶ ସହ ଜଡ଼ିତ କୁଟୀରଶିଳ୍ପଠାରୁ ଦୂରେଇଗଲେ । ବନ୍ଧୁଗଣ, ୨୦୧୭ ମସିହାରେ ଆଇନରେ ପରିବର୍ତ୍ତନ କରି ଆମେ ବାଉଁଶକୁ ବୃକ୍ଷ ବର୍ଗରୁ ଅଲଗା କରିଦେଲୁ । ଏହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଆଜି ସମଗ୍ର ଉତ୍ତରପୂର୍ବରେ ବାଉଁଶ କ୍ଷେତ୍ର ନିରନ୍ତର ଉନ୍ନତି କରିଚାଲିଛି । ଲୋକମାନେ ନିରନ୍ତର ନବସୃଜନ କରି ଏଥିରେ ମୂଲ୍ୟ ମିଶ୍ରଣ କରିଚାଲିଛନ୍ତି ।ବନ୍ଧୁଗଣ, ତ୍ରିପୁରାର ଗୋମତୀ ଜିଲ୍ଲାର ବିଜୟ ସୂତ୍ରଧାର ଓ ଝକ୍ଟଙ୍କଗ୍ଧଷ ତ୍ରିପୁରାର ପ୍ରଦୀପ ଚକ୍ରବର୍ତ୍ତୀଙ୍କ ବିଷୟରେ ଜାଣିବା । ଏ ଦୁହେଁ ନୂଆ ଆଇନକୁ ନିଜ ପାଇଁ ଏକ ବଡ଼ ସୁଯୋଗ ବୋଲି ବିଚାର କଲେ । ତା’ପରେ ସେମାନେ ନିଜ କାମକୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଲେ । ଆଜି ସେମାନେ ପୂର୍ବ ଅପେକ୍ଷା ଉତ୍କୃଷ୍ଟ ଓ ଅଧିକ ବାଉଁଶଜାତ ଦ୍ରବ୍ୟ ତିଆରି କରୁଛନ୍ତି ।ନାଗାଲାଣ୍ଡର ଦୀମାପୁର ଓ ତା’ ପାଖାପାଖି ଅଞ୍ଚଳରେ ଏପରି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବାଉଁଶ ସହ ଜଡ଼ିତ ଖାଦ୍ୟ ଉତ୍ପାଦରେ ମୂଲ୍ୟ ବୃଦ୍ଧି କରିଛନ୍ତି । ସେଠି ଖୋରୋଲୋ କ୍ରିଏଟିଭ୍ କ୍ରାଫ୍ଟ ଭଳି ତିମମାନେ ବି ଅଛନ୍ତି, ଯେଉଁମାନେ ବାଉଁଶର ଫର୍ନିଚର୍ ଓ ହସ୍ତଶିଳ୍ପ ଉପରେ କାମ କରୁଛନ୍ତି ।ବନ୍ଧୁଗଣ, ମିଜୋରାମର ମାମିତ ଜିଲ୍ଲାରେ ବି ଏପରି ଟିମ ଅଛନ୍ତି, ଯେଉଁମାନେ ବାଉଁଶର ଟିସୁ କଲଚର ଓ ପଲିହାଉସ୍ ପରିଚାଳନା ଉପରେ କାର୍ଯ୍ୟ କରୁଛନ୍ତି । ସିକ୍କିମର ଗ୍ୟାଙ୍ଗଟକ୍ ନିକଟବର୍ତ୍ତୀ ଲାଗାଷ୍ଟାଲ୍ ବାଉଁଶ ଏଣ୍ଟରପ୍ରାଇଜ୍ ଦଳ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି । ସେମାନେ ବାଉଁଶରୁ ହସ୍ତଶିଳ୍ପ, ଧୂପକାଠି, ଫର୍ନିଚର ଭିତର ଓ ସାଜସଜ୍ଜା ସାମଗ୍ରୀ ତିଆରି କରନ୍ତି ।ବନ୍ଧୁଗଣ, ମୁଁ ଏଠି ମାତ୍ର କିଛି ଉଦାହରଣ ଦେଇଛି । ଦେଶରେ ବାଉଁଶ କ୍ଷେତ୍ରରେ ସଫଳତାର ତାଲିକା ଖୁବ୍ ଲମ୍ବା । ମୁଁ ଆପଣମାନଙ୍କୁ ନିବେଦନ କରିବି ଯେ ଆପଣମାନେ ଉତ୍ତରପୂର୍ବର ଯେକୌଣସି ବାଉଁଶ ତିଆରି ଜିନିଷ ନିଶ୍ଚୟ କିଣନ୍ତୁ । ଆପଣମାନେ ଏହାକୁ ଗିଫ୍ଟ ରୂପରେ ମଧ୍ୟ ଦେଇପାରିବେ । ଆପଣମାନଙ୍କ ଏପରି ପ୍ରଚେଷ୍ଟା ଦ୍ୱାରା ସେହି ଲୋକମାନଙ୍କର ମନୋବଳ ବଢ଼ିବ, ଯେଉଁମାନେ ବାଉଁଶ ଉତ୍ପାଦ ତିଆରି କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।ମୋର ପ୍ରିୟ ଦେଶବାସୀଗଣ, ଦ୍ରୁତଗତିରେ ବଦଳୁଥିବା ଆଜିର ସମୟରେ ପ୍ରଯୁକ୍ତିବିଦ୍ୟା ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇସାରିଛି । ଆଜି ଆମେ ନିଜ ଅତୀତକୁ ବର୍ତ୍ତମାନ ସହ ଯୋଡ଼ିବା ଦିଗରେ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା ଦେଖିବାକୁ ପାଉ । ଏ କ୍ଷେତ୍ରରେ ବର୍ତ୍ତମାନ ଏପରି ବିକାଶ ହୋଇଛି ଯଦ୍ଦ୍ୱାରା ଶିକ୍ଷା ସହ ଜଡ଼ିତ ଓ ଇତିହାସରେ ରୁଚି ରଖୁଥିବା ଲୋକମାନେ ଖୁବ୍ ଆନନ୍ଦିତ ହେଉଛନ୍ତି । ବନ୍ଧୁଗଣ, କିଛିଦିନ ତଳେ ଭାରତୀୟ ଜାତୀୟ ଅଭିଲେଖାଗାର ଏକ ବିଶେଷ ପୋର୍ଟାଲରେ ଏକ ଅନନ୍ୟ ଡାଟାବେସ୍ ଶେୟାର କରିଛି । ଏହି ସଂସ୍ଥା ୨୦ କୋଟିରୁ ଅଧିକ ଅମୂଲ୍ୟ ଦଲିଲଗୁଡ଼ିକୁ ଡିଜିଟାଇଜ କରି ସେଗୁଡ଼ିକୁ ସାର୍ବଜନୀନ କରିଛି । ଏଗୁଡ଼ିକ ମଧ୍ୟରୁ କିଛି ଦସ୍ତାବିଜ ଖୁବ୍ ରୋଚକପୂର୍ଣ୍ଣ । ଏମାନଙ୍କ ମଧ୍ୟରେ ଭୋଜପତ୍ରରେ ଲିଖିତ ସପ୍ତମ ଶତାବ୍ଦୀର ଗିଲଗିଟ୍ ପାଣ୍ଡୁଲିପି ରହିଛି । ଏହି ପୋର୍ଟାଲରେ ଆପଣଙ୍କୁ ଅଷ୍ଟମ ଶତାବ୍ଦୀର ଏକ ରୋଚକ ଗ୍ରନ୍ଥ ଶ୍ରୀ ଭୂବାଲୟ ମଧ୍ୟ ଦେଖିବାକୁ ମିଳିବ । ଅଙ୍କ ଆଧାରିତ ଏହି ଗ୍ରନ୍ଥ ଗ୍ରିଡ୍ ରୂପରେ ଉପଲବ୍ଧ । ରାଣୀ ଲକ୍ଷ୍ମୀବାଈଙ୍କ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ଚିଠିପତ୍ର ବି ଆପଣ ଏଠାରେ ଦେଖିବାକୁ ପାଇବେ । ଏହାଦ୍ୱାରା ୧୮୫୭ ମସିହାରେ ତାଙ୍କଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼େ; ଯାହା ତାଙ୍କ ପରାକ୍ରମକୁ ସୂଚିତ କରିଥାଏ । ଯେଉଁ ଲୋକମାନେ ନେତାଜୀ ସୁଭାଷଙ୍କର ବଡ଼ ପ୍ରଶଂସକ, ସେମାନଙ୍କ ପାଇଁ ଏଠାରେ ନେତାଜୀଙ୍କ ଜୀବନ, ଆଜାଦ ହିନ୍ଦ ଫୌଜ ଓ ତାଙ୍କ ଭାଷଣ ସହ ସମ୍ପୃକ୍ତ ଅନେକ ଡକ୍ୟୁମେଣ୍ଟଗୁଡିକ ରହିଛି । ଏଠି ଆପଣଙ୍କୁ ପଣ୍ଡିତ ମଦନମୋହନ ମାଲବୀୟ ଜୀଙ୍କ ସହ ଜଡ଼ିତ ଅନେକ ଡକ୍ୟୁମେଣ୍ଟଗୁଡିକ ବି ମିଳିବ । ଏହି ଡକ୍ୟୁମେଣ୍ଟଗୁଡିକ ଭିତରେ ଭୂର ସ୍ଥାପନା ଓ ହିନ୍ଦୀ ସାହିତ୍ୟ ସମ୍ମେଳନ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ସୂଚନା ରହିଛି । ଏଠି ଆମ ସମ୍ବିଧାନ ସଭା ସହ ଜଡ଼ିତ ଅନେକ ଦୁର୍ଲଭ ଦସ୍ତାବିଜ ବି ଉପଲବ୍ଧ । ଆପଣ ସମସ୍ତଙ୍କୁ ମୋର ନିବେଦନ ଆପଣ www.abhilekh-patal.inକୁ ନିଶ୍ଚୟ ପରିଦର୍ଶନ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ ଇତିହାସ ସମ୍ପର୍କରେ ଏକ ନିଆରା ଅନୁଭବ ପ୍ରଦାନ କରିବ ।ବନ୍ଧୁଗଣ, ଟିକେ କଳ୍ପନା କରନ୍ତୁ ଆପଣ ସାରା ଦୁନିଆରେ ସବୁଠାରୁ ପ୍ରତିଭାଶାଳୀ ଲୋକଙ୍କ ମଧ୍ୟରେ ଅଛନ୍ତି । ଆପଣଙ୍କ ପାଖରେ ଗଣିତର ବହୁତ କଠିନ ପ୍ରଶ୍ନ ଅଛି । ଏଗୁଡ଼ିକୁ ସମାଧାନ କରିବା ପାଇଁ ସମୟ ଅଛି – କେବଳ ସାଢ଼େ ଚାରି ଘଣ୍ଟା । ଅର୍ଥାତ୍ ସମୟ ବହୁତ କମ୍ ଏବଂ ପ୍ରତିଯୋଗିତା ହେଉଛି ଅନ୍ତର୍ଜାତୀୟ, ବହୁତ କଠିନ । ଏଭଳି ପରିସ୍ଥିତିରେ ନର୍ଭସ୍ ହେବା ବହୁତ ସ୍ୱାଭାବିକ । କିନ୍ତୁ ଏହି ପରିସ୍ଥିତିରେ ଆମ ଝିଅମାନେ କମାଲ୍ କରିଦେଇଛନ୍ତି । ଚଳିତ ମାସର ଆରମ୍ଭରେ ଫ୍ରାନ୍ସର ବୋରୋଦୋରେ ୟୁରୋପୀୟ ବାଳିକା ଗଣିତ ଅଲମ୍ପିଆଡ୍ର ଆୟୋଜନ ହୋଇଥିଲା । ଗଣିତରେ ଗଭୀର ରୁଚି ରଖୁଥିବା ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏହା ଗୋଟିଏ ବଡ଼ ପ୍ରତିଯୋଗିତା ଥିଲା । ଏହା ଦୁନିଆର ସବୁଠାରୁ ସମ୍ମାନିତ ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା । ଏହି ଅଲମ୍ପିଆଡରେ ଆମର ଝିଅମାନେ ଏପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କଲେ । ଏହି ପ୍ରତିଭାଶାଳୀ ଦଳ ପାଇଁ ମୁଁ ବହୁତ ଗର୍ବିତ । ଏମାନଙ୍କ ମଧ୍ୟରେ ମୁମ୍ବାଇର ଶ୍ରେୟା ମୁନ୍ଧଢ଼ା, ତିରୁଅନନ୍ତପୁରମର ସଞ୍ଜନା ଚାକୋ, ଚେନ୍ନାଇର ଶିବାନୀ ଭରତକୁମାର ଏବଂ କୋଲକାତାର ଶ୍ରୀମୟୀ ବେରା ସାମିଲ ହୋଇଥିଲେ । ଏଥିରେ ଆମ ଦଳ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଲା । ଶ୍ରେୟା ସ୍ୱର୍ଣ୍ଣପଦକ ପ୍ରାପ୍ତହୋଇ ଇତିହାସ ସୃଷ୍ଟି କଲେ । ସଂଜନା ରୌପ୍ୟ ପାଇଥିଲା ବେଳେ ଶିବାନୀ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ ।ବନ୍ଧୁଗଣ, ଏହି ଅଲମ୍ପିଆଡ଼୍ ପାଇଁ ଭାରତରେ ଯେଉଁ ଚୟନ ପ୍ରକ୍ରିୟା ଅଛି ତାହା ସ୍ୱୟଂ ବହୁତ କଠିନ । ଏହାର ଏକ ବହୁସ୍ତରୀୟ ଚୟନ ପ୍ରକ୍ରିୟା ରହିଛି । ଏଥିରେ ଆଞ୍ଚଳିକ, ରାଜ୍ୟ ଏବଂ ଜାତୀୟ ସ୍ତରରେ କଠିନ ଆହ୍ୱାନକୁ ଅତିକ୍ରମ କରି ଆସିବାକୁ ପଡ଼ିଥାଏ । ଏହାପରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ଏକମାସ ପାଇଁ ଗଣିତ ପ୍ରଶିକ୍ଷଣ ଶିବିରରେ ସାମିଲ ହୁଅନ୍ତି । ଏହି ଶିବିର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ମୌଳିକ ଗବେଷଣାର ହୋମି ଭାଭା ବିଜ୍ଞାନ ଶିକ୍ଷା କେନ୍ଦ୍ରଠାରେ ଆୟୋଜିତ ହୁଏ। ଏହି ଶିବିରର ଶେଷରେ ଦଳ ଚୟନ ପାଇଁ ପରୀକ୍ଷା ହୁଏ । ଏଥିରେ ପ୍ରଦର୍ଶିତ ଦକ୍ଷତା ଅନୁସାରେ ହିଁ ଭାରତୀୟ ଦଳକୁ ଚୟନ କରାଯାଏ ।ବନ୍ଧୁଗଣ, ପ୍ରତିବର୍ଷ ସାରାଦେଶରୁ ପ୍ରାୟ ଛଅ ଲକ୍ଷ ଛାତ୍ରୀ ଏହି ଗଣିତ ଅଲମ୍ପିଆଡ୍ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ସମୟ ସହିତ ଏହି ସଂଖ୍ୟା ଲଗାତାର ବଢ଼ିଚାଲିଛି । ଅର୍ଥାତ୍ ଦେଶର ଝିଅମାନଙ୍କ ମଧ୍ୟରେ ଏହି ଅଲମ୍ପିଆଡର ସଂସ୍କୃତି ଲୋକପ୍ରିୟ ହେବାରେ ଲାଗିଛି । ଏହି ପ୍ରତିଭାଶାଳୀ ବାଳିକାମାନଙ୍କୁ ସହଯୋଗ କରୁଥିବାରୁ ମୁଁ ସେମାନଙ୍କର ପିତାମାତାଙ୍କୁ ପ୍ରଶଂସା କରୁଛି ।ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏବେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଛି ଯାହା ବିଷୟରେ ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ । ଏହା ହେଉଛି ଜନଗଣନା ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଜନଗଣନା । ବନ୍ଧୁଗଣ ଯେଉଁ ବନ୍ଧୁମାନେ ପୂର୍ବରୁ ଏହିଭଳି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏଥରର ଜନଗଣନାର ଅନୁଭବ ସେମାନଙ୍କ ପାଇଁ ଟିକେ ଅଲଗା ହେବ । ୨୦୨୭ର ଜନଗଣନାକୁ ଡିଜିଟାଲ କରାଯାଇଛି । ସମସ୍ତ ସୂଚନା ସିଧାସଳଖ ଡିଜିଟାଲ ମାଧ୍ୟମରେ ଭରାଯାଉଛି । ଘରଘର ବୁଲି କାମ କରୁଥିବା କର୍ମଚାରୀମାନଙ୍କ ପାଖରେ ମୋବାଇଲ୍ ଆପ୍ ଅଛି, ସେମାନେ ଆପଣଙ୍କ ସହିତ କଥାବାର୍ତ୍ତା କରି ସେଥିରେ ସୂଚନା ପୂରଣ କରିବେ । ବନ୍ଧୁଗଣ, ଏଥର ଜନଗଣନାରେ ଆପଣମାନଙ୍କର ଭାଗିଦାରୀକୁ ସହଜ କରାଯାଇଛି । ଆପଣ ନିଜେ ମଧ୍ୟ ଆପଣଙ୍କ ସୂଚନା ପୂରଣ କରିପାରିବେ । କର୍ମଚାରୀମାନଙ୍କ ଆସିବାର ୧୫ ଦିନ ପୂର୍ବରୁ ଆପଣଙ୍କ ପାଇଁ ଏହି ସୁବିଧା ପ୍ରାପ୍ତ ହେବ । ଆପଣ ନିଜର ସମୟ ଅନୁସାରେ ସୂଚନା ଭରିପାରନ୍ତି । ଯେତେବେଳେ ଆପଣ ଏହି ପ୍ରକ୍ରିୟାଟି ଶେଷ କରିବେ ସେତେବେଳେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ । ଏହି ଆଇଡି ଆପଣଙ୍କ ମୋବାଇଲ ବା ଇ-ମେଲରେ ମଧ୍ୟ ଆସୁଛି । ପରେ ଯେତେବେଳେ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣ ଏହି ଆଇଡି ଦେଖାଇ ସୂଚନାଗୁଡ଼ିକ ନିଶ୍ଚିତ କରିପାରିବେ । ଏହାଦ୍ୱାରା ଦୁଇଥର ସୂଚନା ଦେବାର ଆବଶ୍ୟକତା ପଡ଼ିବ ନାହିଁ । ସମୟ ବି ବଞ୍ଚିବ ଏବଂ ପ୍ରକ୍ରିୟା ମଧ୍ୟ ସହଜ ହୋଇଯିବ । ବନ୍ଧୁଗଣ ଯେଉଁ ରାଜ୍ୟରେ ସ୍ୱଗଣନାର କାମ ଶେଷ ହୋଇଗଲାଣି ସେଠାରେ ଗଣନା କର୍ମଚାରୀଙ୍କ ଦ୍ୱାରା ଘରର ସୂଚୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୨୦ ଲକ୍ଷ ପରିବାରର ଘର ସୂଚୀକରଣ କାମ ପୁରା ହୋଇଗଲାଣି । ବନ୍ଧୁଗଣ ଦେଶର ଜନଗଣନା ଖାଲି ସରକାରୀ କାମ ନୁହେଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆପଣଙ୍କର ଭାଗିଦାରୀ ବହୁତ ଆବଶ୍ୟକ । ଆପଣ ଦେଇଥିବା ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ ଏବଂ ଗୋପନ ରଖାଯାଏ, ଡିଜିଟାଲ ସୁରକ୍ଷା ସହିତ ଏଗୁଡ଼ିକୁ ସୁରକ୍ଷିତ କରାଯାଏ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ପ୍ରକ୍ରିୟାରେ ଭାଗନେବା । ୨୦୨୭ର ଜନଗଣନାକୁ ସଫଳ କରିବା ।ବନ୍ଧୁଗଣ, ଆମ ଦେଶରେ ଖାଇବା ପିଇବାର ପରମ୍ପରା ଖାଲି ସ୍ୱାଦ ପର୍ଯ୍ୟନ୍ତ ସୀମିତ ହୋଇନାହିଁ । ଏହି ପରମ୍ପରାର ଗୋଟିଏ ଚମତ୍କାର କଥା ହେଲା ଭାରତର ଚିଜ୍ । ଏହି କିଛିଦିନ ତଳେ ମୁଁ ଟ୍ୱିଟ୍ କରି ଗୋଟିଏ ସୂଚନା ଦେଇଥିଲି, ବ୍ରାଜିଲରେ ଆୟୋଜିତ ଗୋଟିଏ ଅନ୍ତର୍ଜାତୀୟ ଚିଜ୍ ପ୍ରତିଯୋଗିତାରେ ଭାରତୀୟ ଚିଜ୍ର ଦୁଇଟି ବ୍ରାଣ୍ଡକୁ ପ୍ରତିଷ୍ଠିତ ପୁରସ୍କାର ମିଳିଛି । ଏହି ଉପଲବଧିର ଚର୍ଚ୍ଚା ସାମାଜିକ ଗଣମାଧ୍ୟମରେ ବି ଖୁବ୍ ହୋଇଛି । ଅନେକ ଲୋକ ମୋତେ କହିଛନ୍ତି ଯେ Cheeseର ଯେଉଁ ବିବିଧତା ଅଛି ସେ ବିଷୟରେ ମଧ୍ୟ କଥା ହେବା ଉଚିତ୍ ।ବନ୍ଧୁଗଣ, ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସୁଛି । ଏହି କ୍ଷେତ୍ରରେ ମୂଲ୍ୟ ମିଶ୍ରଣ ହେବା ଦ୍ୱାରା ଆମର ପାରମ୍ପରିକ ସ୍ୱାଦକୁ ଏକ ନୂତନ ପରିଚୟ ମିଳିଛି । ଆଜି ଭାରତୀୟ ଚିଜ୍ ସାରା ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଜଳଖିଆ ହେଉ ବା ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରୀଭୋଜନ ସାରା ଦୁନିଆର ଥାଳିରେ ଭାରତର ସ୍ୱାଦ ପହଂଚିପାରୁଛି । ଜାମ୍ମୁ କାଶ୍ମୀରର କଲାରି ଚିଜ୍କୁ ହିଁ ନିଅନ୍ତୁ – ଏହାକୁ ‘କାଶ୍ମୀରର ମୋଜେରେଲା’ କୁହାଯାଉଛି । ଗୁଜ୍ଜର-ବକରୱାଲ ସମ୍ପ୍ରଦାୟର ଲୋକ ବଂଶାନୁକ୍ରମେ ଏହାକୁ ତିଆରି କରୁଛନ୍ତି ଏବଂ ଖାଇଆସୁଛନ୍ତି । ସେହିଭଳି ସିକ୍କିମ୍, ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ‘ଛୁର୍ପି’ ବହୁତ ପ୍ରସିଦ୍ଧ । ପାର୍ବତ୍ୟାଞ୍ଚଳର ସରଳତା ଏବଂ କୋମଳତା ଏହାର ସ୍ୱାଦରେ ଅନୁଭୂତ ହୁଏ । ଏହି ଚିଜ୍ର ମୁଖ୍ୟ କଥା ହେଲା ଏହା ଚମରୀଗାଈର ଦୁଗ୍ଧରୁ ତିଆରି ହୋଇଥାଏ ।ବନ୍ଧୁଗଣ, ମହାରାଷ୍ଟ୍ର ଓ ଗୁଜୁରାଟରେ ‘ଟୋପଲୀ ନୁ ପନିର୍’ ଯାହାକୁ ‘ସୁରତୀର Cheese’ ବୋଲି କୁହାଯାଏ; ସେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଁ ଏଠାରେ କେତୋଟି ମାତ୍ର ନାମ ଉଲ୍ଲେଖ କଲି, କିନ୍ତୁ ଆମ ଦେଶରେ ସ୍ୱାଦର ଏ ଦୁନିଆ ବହୁତ ବ୍ୟାପକ । ଆଜି ଏହି ପରମ୍ପରାକୁ ଏକ ନୂତନ ଶକ୍ତି ମିଳୁଛି । ଅନେକ ଭାରତୀୟ କମ୍ପାନୀ ଏହି କ୍ଷେତ୍ରରେ ନିବେଶ କରୁଛନ୍ତି । ଆଧୁନିକ କୌଶଳ ଆସୁଛି, ଭଲ ପ୍ୟାକିଂ ବି ହେଉଛି ଏବଂ ଆମର ଉତ୍ପାଦ ବିଶ୍ୱସ୍ତରୀୟ ହୋଇ ଆଗକୁ ବଢ଼ୁଛି । ଏହାର ପରିଣାମ ସ୍ୱରୂପ ଭାରତୀୟ ଚିଜ୍ ଏବେ ଦେଶର ସୀମା ଅତିକ୍ରମ କରି ବିଶ୍ୱ ବଜାରରେ ଏବଂ ରେସ୍ତୋରାଁ ପର୍ଯ୍ୟନ୍ତ ପହଞ୍ଚିପାରିଛି । ଆଜି ଆମେମାନେ ସ୍ଥାନୀୟରୁ ବିଶ୍ୱସ୍ତରୀୟ ପର୍ଯ୍ୟନ୍ତ କଥା ହେଉଛନ୍ତି । ସେଗୁଡ଼ିକ ଭିତରେ ଭାରତୀୟ Cheeseର ଉଦାହରଣ ଆମକୁ ଭବିଷ୍ୟତର ରାସ୍ତା ଦେଖାଉଛି । ମୋର ବିଶ୍ୱାସ ଭାରତର ସ୍ୱାଦ, ଭାରତର ପରମ୍ପରା ଏବଂ ଗୁଣବତ୍ତା ବିଶ୍ୱର ଲୋକମାନଙ୍କୁ ଏକ ନୂଆ ଅନୁଭବ ଦେବ ଏବଂ ଭାରତ ସହିତ ଗୋଟିଏ ସ୍ୱତନ୍ତ୍ର ସମ୍ପର୍କ ମଧ୍ୟ ସୃଷ୍ଟି ହେବ ।ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଦେଶର ଅନେକ ଭାଗରେ ନବବର୍ଷ ସହିତ ଅନେକ ପର୍ବପର୍ବାଣୀ ପାଳିତ ହେଲା । କିଛିଦିନ ପରେ ମେ’ ୯ ତାରିଖରେ ‘ପୋଚିଶେ ବୋଇଶାଖ’ର ଅବସରରେ ଆମେମାନେ ଗୁରୁଦେବ ଟାଗୋରଙ୍କ ଜନ୍ମଜୟନ୍ତୀ ପାଳନ କରିବା । ଗୁରୁଦେବ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ଜଣେ ମହାନ ଲେଖକ ଏବଂ ଚିନ୍ତାନାୟକ ତ ଥିଲେ; ସେ ଅନେକ ସଂସ୍ଥାନର ପ୍ରତିଷ୍ଠା ମଧ୍ୟ କରିଥିଲେ । ଗୁରୁଦେବ ଟାଗୋର ଲୋକମାନଙ୍କ ପାଇଁ ଏଭଳି ଉଦ୍ୟୋଗର ସମର୍ଥକ ଥିଲେ ଯେଉଁଥିରେ ସ୍ଥାୟୀ ରୋଜଗାର ମିଳିବା ସଙ୍ଗେସଙ୍ଗେ ଗ୍ରାମର ମଧ୍ୟ କଲ୍ୟାଣ ହେବ । ଶାନ୍ତିନିକେତନର ଯାତ୍ରା ମୋ ପାଇଁ ଅବିସ୍ମରଣୀୟ । ଏ ହେଉଛି ସେହି ଅନୁଷ୍ଠାନ ଯାହାକୁ ସେ ସମ୍ପୂର୍ଣ୍ଣ ସମର୍ପଣର ସହିତ ଗଢ଼ିଥିଲେ ଏବଂ ତା’ର ବିକାଶ ମଧ୍ୟ କରିଥିଲେ । ତାଙ୍କୁ ପୁଣିଥରେ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।ବନ୍ଧୁଗଣ, ମେ’ ମାସ ଆମକୁ ୧୮୫୭ ମସିହାର ପ୍ରଥମ ସ୍ୱାଧିନତା ସଂଗ୍ରାମ କଥା ମନେ ପକାଇଦିଏ । ମୁଁ ମା’ ଭାରତୀଙ୍କର ସମସ୍ତ ବୀର ସନ୍ତାନମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ କି ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ । ଏହି ସମୟ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟ ଛୁଟିର ସମୟ । ମୋର ଇଚ୍ଛା ସେମାନେ ଛୁଟିର ଭରପୁର ଆନନ୍ଦ ନିଅନ୍ତୁ ଏବଂ କିଛି ନୂଆ ଶିଖିବାର ପ୍ରୟାସ ମଧ୍ୟ କରନ୍ତୁ । ଏହି ଗ୍ରୀଷ୍ମଋତୁରେ ଆପଣମାନେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ପୁରା ଧ୍ୟାନ ଦିଅନ୍ତୁ । ଆସନ୍ତା ମାସରେ ପୁଣି ଆପଣମାନଙ୍କ ସହିତ ଦେଖାହେବ, କିଛି ନୂଆ ବିଷୟ ଏବଂ ଦେଶବାସୀମାନଙ୍କର କିଛି ନୂତନ ଉପଲବଧି ସହିତ । ବହୁତ ବହୁତ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *