ପୁରୀ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠାଘରର ରଙ୍ଗ ଗୋଟିଏ ପ୍ରକାରର କରାଯିବ।
ପୁରୀ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠାଘରର ରଙ୍ଗ ଗୋଟିଏ ପ୍ରକାରର କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ପୁରୀକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ ପାଇଁ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକର ରଙ୍ଗ ଗୋଟିଏ ପ୍ରକାରର କରାଯିବ। ଆସନ୍ତା ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ଶେଷ ହେବ। ଏନେଇ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ତଥା ପିକେଡିଏ ପକ୍ଷରୁ ଟେଣ୍ଡର କରାଯାଇଛି। ବର୍ତ୍ତମାନ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା କୋଠା ଗୁଡିକ ଫିକା ଗୋଲାପି ରଙ୍ଗରେ ସଜ୍ଜିତ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକୁ ଗୋଟିଏ ପ୍ରକାରର ରଙ୍ଗ କରାଯାଇଥିଲା। ଯାହାକି ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକୁ ଅନେକ ବୃଦ୍ଧି କରିଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା କୋଠା ଗୁଡ଼ିକୁ କେଉଁ ରଙ୍ଗ ଦିଆଯିବ ତାହାର ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଏନେଇ ତିନୋଟି ରଙ୍ଗ ଚିହ୍ନଟ କରି ପିକେଡିଏ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଉଛି। ବଡ଼ଦାଣ୍ଡରେ ଥିବା କୋଠା ଗୁଡିକୁ ଗୋଟିଏ ପ୍ରକାରର ୟୁନିଫର୍ମ କଲର କରାଯିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ସମସ୍ତ ସାଇନ୍ ବୋର୍ଡ ମଧ୍ୟ ସମାନ ପ୍ରକାରର ରଙ୍ଗ କରାଯିବ। ଏଥିରେ ପୁରୀ ସହରବାସୀ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ପିକେଡିଏ ସଚିବ। ପିକେଡିଏ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ ଶ୍ରୀମନ୍ଦିର ଚାରିପାଖରେ ଥିବା ସମସ୍ତ କୋଠାଘର ସମେତ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକର ମଧ୍ୟ ଗୋଟିଏ ପ୍ରକାରର ୟୁନିଫର୍ମ ରଙ୍ଗ କରାଯିବ। ସେହିପରି ମେଡିକାଲ ଛକରୁ ପୁରୀର ପ୍ରବେଶ ପଥ ଅଠରନଳା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସମସ୍ତ କୋଠା ଗୁଡ଼ିକର ଗୋଟିଏ ପ୍ରକାରର ରଙ୍ଗ କରାଯିବ। ବିଶେଷ କରି ଐତିହ୍ୟ ସମ୍ପର୍କିତ ରଙ୍ଗ କୋଠା ଗୁଡ଼ିକରେ ଲଗାଯିବ। ଏହାଦ୍ବାରା ଐତିହ୍ୟ ନଗରୀ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ଗୋଟିଏ ପ୍ରକାରର ୟୁନିଫର୍ମ ରଙ୍ଗ ଦେଖି ଏକ ନିଆରା ଅନୁଭୂତି ସାଉଁଟି ପାରିବେ।
