ଇଲେକ୍ଟ୍ରି ବାଣ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ !

ସ୍ତ୍ରୀ ୬ ମାସର ଗର୍ଭବତୀ । ସେପଟେ ଆଜି ଭଉଣୀର ଥିଲା ବିବାହ ।ଏଭଳି ସମୟରେ ଇଲେକ୍ଟ୍ରି ବାଣ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ପୁରୀ ମଙ୍ଗଳାଘାଟ ପାଇକ ସାହିର ୧୯ ବର୍ଷୀୟା ଶ୍ରଦ୍ଧାନନ୍ଦ ମଲ୍ଲିକ ଓରଫ (ସାନୁ)। ସାନୁ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରି ବାଣ ପ୍ରସ୍ତୁତ କରୁଥିବାବେଳେ ଗତକାଲି ରାତିରେ ଘଟିଥିଲା ବିସ୍ପୋରଣ। ଏହି ବିସ୍ଫୋରଣରେ ତାଙ୍କର ଦୁଇ ହାତ ସଂପୂର୍ଣ୍ଣ ପୋଡିଯାଇଥିଲା । ତାଙ୍କୁ ତୁରନ୍ତ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସଦର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମଙ୍ଗଳାଘାଟ ପାଇକ ସାହିର ଛବି ମଲ୍ଲିକଙ୍କ ପୁଅ ସାନୁ ପୁରୀ ବେଳାଭୂମିରେ ଘୋଡ଼ା ଚଳାଇ ଜୀବିକା ନିର୍ବାହ କରିଥିଲେ।

ଗତ କିଛି ମାସ ହେବ ସେ ପ୍ରେମ ବିବାହ କରି ଘର ଛାଡ଼ି ନିଜ ସ୍ତ୍ରୀ ସୁଭଦ୍ରା ମଲ୍ଲିକଙ୍କ ସହ ମଶାଣୀଚଣ୍ଡୀ ଛକରେ ଭଡ଼ାରେ ରହୁଥିଲେ ।ଗତକାଲି ନିଜ ସ୍ତ୍ରୀଙ୍କୁ ତା ବାପା ଘରେ ଛାଡ଼ି ସାନୁ ଖଣ୍ଡିଆବନ୍ଧର ଏକ ବିବାହ ମଣ୍ଡପରେ ଇଲେକ୍ଟ୍ରି ବାଣ ପ୍ରସ୍ତୁତ ପାଇଁ ଯାଇଥିଲେ । ଭଉଣୀର ବିବାହ ଆଜି ଥିବାରୁ କିଛି ଅର୍ଥ ଉପାର୍ଜନ ପାଇଁ ସେ ଏହି କାମ ନିମନ୍ତେ ଯାଇଥିଲେ । ନିଜ ସ୍ତ୍ରୀ ସହ ଗତକାଲି ରାତି ୧୦.୩୦ ରେ ଶେଷ ଥର ପାଇଁ କଥା ହୋଇଥିଲେ।ତେବେ ହଠାତ୍ ଆଜି ପରିବାର ଲୋକେ ଖବର ପାଇଥିଲେ ତାଙ୍କ ପୁଅ ସଦର ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି ।ଖବର ପାଇ ସ୍ତ୍ରୀ ଓ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତାଙ୍କ ପୁଅକୁ କେହି ମାରି ଦେଇଥିବା ବାପା ଅଭିଯୋଗ କରୁଥିବାବେଳେ ସ୍ତ୍ରୀ କହିଛନ୍ତି ତାଙ୍କ ସ୍ବାମୀଙ୍କ ମୃତ୍ୟ ସମ୍ପର୍କରେ ତାଙ୍କୁ କେହି ଖବର ଦେଇ ନାହାନ୍ତି। ସେ ଅନ୍ୟଠୁ ଶୁଣି ଶ୍ଵଶୁର ଘରକୁ ଆସିଥିବାବେଳେ ସେମାନେ ତାଙ୍କୁ ଗାଳି ମନ୍ଦ କରି ଘଉଡ଼ାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *