ସ୍ବାର୍ଥ ପାଇଁ ସଂପର୍କ
*ସ୍ବାର୍ଥ ପାଇଁ ସଂପର୍କ – ଆଧୁନିକ ଜୀବନର ଅଦୃଶ୍ୟ ବେଦନା**ଡ. ପ୍ରେମାନନ୍ଦ ବେହେରା*ଆଜିର ଯାନ୍ତ୍ରିକ ଓ ଦ୍ରୁତଗତିଶୀଳ ଜୀବନରେ “ସଂପର୍କ” ଶବ୍ଦଟି ଯେତେ ମଧୁର ଶୁଣାଯାଏ, ତାହାର ଅନ୍ତରାଳରେ ସେତେ ଅସ୍ଥିରତା ଓ ଅସତ୍ୟର ସ୍ପର୍ଶ ଲୁଚିଥିବା ଦେଖାଯାଉଛି। ମଣିଷ ଜୀବନର ମୂଳ ଆଧାର ହେଉଛି ସମ୍ପର୍କ-ଏହା ହେଉଛି ଭାବନାର ସେତୁ, ଯାହା ହୃଦୟକୁ ହୃଦୟ ସହିତ ଯୋଡ଼ି ରଖେ । କିନ୍ତୁ ଦୁଃଖର କଥା, ଏହି ସେତୁ ଏବେ ବହୁ ସ୍ଥାନରେ ସ୍ବାର୍ଥର ଭାରରେ ଦୁର୍ବଳ ହୋଇ ଭାଙ୍ଗି ଯାଉଛି ।ପୂର୍ବରୁ ସମ୍ପର୍କର ଅର୍ଥ ଥିଲା ନିଷ୍ଠା, ତ୍ୟାଗ ଓ ନିର୍ମଳ ସ୍ନେହ । ମାତାପିତାଙ୍କର ସ୍ନେହ, ବନ୍ଧୁଙ୍କର ଭରସା, ପଡ଼ୋଶୀଙ୍କର ସହଯୋଗ-ଏହା ସବୁ ଏକ ନିଷ୍କଳଙ୍କ ଭାବନାର ଉଦାହରଣ ଥିଲା । ସେତେବେଳେ ଲୋକେ ମଣିଷକୁ ମଣିଷ ଭାବରେ ଦେଖୁଥିଲେ, ସେମାନଙ୍କର ସ୍ଥିତି, ସମ୍ପତ୍ତି ବା କ୍ଷମତାକୁ ନୁହେଁ । କିନ୍ତୁ ଆଜି ଏହି ଚିତ୍ର ପରିବର୍ତ୍ତିତ । ସଂପର୍କ ଆଜି ବହୁ ସମୟରେ ଏକ ବ୍ୟବସାୟର ରୂପ ନେଇଛି-ଯେଉଁଠାରେ ଭାବନାଠାରୁ ଅଧିକ ଗୁରୁତ୍ୱ ପାଉଛି ଲାଭ ଓ ଉପଯୋଗିତା ।ଆଜିର ମଣିଷ ସଂପର୍କ ଗଢ଼ିବା ପୂର୍ବରୁ ଭାବୁଛି-“ଏହି ବ୍ୟକ୍ତି ମୋ ପାଇଁ କେତେ ଦରକାରୀ ?” “ମୋର କାମରେ ସେ କେତେ ଉପକାରୀ ହେବ ?” ଏହି ଚିନ୍ତାଧାରା ମଣିଷକୁ ମଣିଷଠାରୁ ଦୂର କରୁଛିବ । ସଂପର୍କର ନିର୍ମଳତା ହରାଇଯାଉଛି, ଏବଂ ସେଠାରେ ଜନ୍ମ ନେଉଛି ସନ୍ଦେହ, ଅବିଶ୍ୱାସ ଓ ଅନିର୍ବାଚ୍ୟ ଶୂନ୍ୟତା ।ବିଶେଷକରି ସୋସିଆଲ ମିଡିଆ ଯୁଗରେ, ସଂପର୍କର ଏକ ନୂତନ ଚିତ୍ର ଦେଖାଯାଉଛି । ଏଠାରେ ସଂଖ୍ୟାର ମୂଲ୍ୟ ବଢ଼ିଛି-କେତେ ଫଲୋଅର, କେତେ ଲାଇକ, କେତେ କମେଣ୍ଟ । କିନ୍ତୁ ଏହି ସଂଖ୍ୟାର ଭିତରେ ଥିବା ସଂପର୍କର ଗଭୀରତା ଅନେକ ସମୟରେ ଶୂନ୍ୟ । ଲୋକେ ଏକ ଅପରାକୁ ଜାଣିବା ପୂର୍ବରୁ ତାଙ୍କର ପ୍ରଭାବକୁ ମୂଲ୍ୟ ଦେଉଛନ୍ତି । ଏହା ସଂପର୍କକୁ ଏକ ପ୍ରଦର୍ଶନୀର ବସ୍ତୁରେ ପରିଣତ କରୁଛି ।ସ୍ବାର୍ଥ ପାଇଁ ଗଢ଼ା ସଂପର୍କ ସବୁବେଳେ ଅସ୍ଥାୟୀ । ଯେପର୍ଯ୍ୟନ୍ତ ଲାଭ ଅଛି, ସେପର୍ଯ୍ୟନ୍ତ ସମ୍ପର୍କ ବଞ୍ଚିଥାଏ। ଲାଭ ଶେଷ ହେଲେ, ସ୍ବାର୍ଥ ସରିଗଲେ ସେହି ସମ୍ପର୍କ ମଧ୍ୟ ଶେଷ ହୋଇଯାଏ । ଅତି ଆବଶ୍ୟକ ପଡୁଥିବା ସମ୍ପର୍କ ଅଦରକାରୀରେ ପରିଣତ ହୋଇଯାଏ ।ଏହା ମଣିଷକୁ ମାନସିକ ସ୍ତରରେ ଦୁର୍ବଳ କରେ, ତାଙ୍କର ଭରସାକୁ ଭାଙ୍ଗିଦିଏ ଓ ଜୀବନରେ ଏକାକୀପଣର ଭାବନାକୁ ବଢ଼ାଏ।ଏହି ପରିସ୍ଥିତିରେ ଆମେ ଏକ ଗଭୀର ପ୍ରଶ୍ନ ସମ୍ମୁଖୀନ-ଆମେ କଣ ସତ୍ୟର ସଂପର୍କର ମୂଲ୍ୟ ବୁଝୁଛୁ ? ନା କି ଆମେ ସେଗୁଡ଼ିକୁ କେବଳ ଆବଶ୍ୟକତାର ଉପକରଣ ଭାବରେ ବ୍ୟବହାର କରୁଛୁ? ସତ୍ୟ ସଂପର୍କର ଆଧାର ହେଉଛି ନିଷ୍ଠା, ସମ୍ମାନ ଓ ନିର୍ଲୋଭ ସ୍ନେହ । ଏଠାରେ ନ ଥାଏ କୌଣସି ଲାଭର ହିସାବ, ନ ଥାଏ କୌଣସି ସର୍ତ୍ତ । ସେଠାରେ ଥାଏ ମାନବିକତାର ସ୍ୱର, ଯାହା ଆମକୁ ସତରେ “ମଣିଷ” କରେ। ଏପରି ସଂପର୍କ ହିଁ ଦୁଃଖର ସମୟରେ ସାଥି ହୋଇ ଦୃଢ଼ ହୁଏ, ଏବଂ ସୁଖର ସମୟରେ ଆନନ୍ଦକୁ ବହୁଗୁଣିତ କରେ । ଆମ ପାଇଁ ଆବଶ୍ୟକ—ଆମେ ସ୍ବାର୍ଥର ସୀମାକୁ ଛାଡ଼ି ଭାବନାର ଗଭୀରତାକୁ ବୁଝିବା। ଆମେ ଯଦି ଆମ ସଂପର୍କକୁ ସତ୍ୟ ଓ ନିଷ୍ଠାରେ ଗଢ଼ିବା, ତେବେ ସେଗୁଡ଼ିକ ଦୀର୍ଘସ୍ଥାୟୀ ହେବ ଓ ଜୀବନକୁ ସୁନ୍ଦର କରିବ।ଶେଷରେ, ସଂପର୍କ କେବଳ ଏକ ଆବଶ୍ୟକତା ନୁହେଁ-ଏହା ଜୀବନର ଆତ୍ମା, ହୃଦୟର ସ୍ପନ୍ଦନ। ଏହାକୁ ସ୍ବାର୍ଥର ତୁଳାରେ ମାପିଲେ ଏହାର ମୂଲ୍ୟ କମିଯାଏ। ସେହିପରି, ଆସନ୍ତୁ ଆମେ ସଂପର୍କକୁ ଲାଭର ଚକ୍ରରୁ ମୁକ୍ତ କରି, ଏହାକୁ ଭଲପାଇବା ଓ ମାନବିକତାର ପବିତ୍ର ବନ୍ଧନରେ ପରିଣତ କରିବା। ତେବେ ହିଁ ଆମ ସମାଜ ହେବ ଅଧିକ ସୁନ୍ଦର, ଅଧିକ ସୁସ୍ଥ ଓ ଅଧିକ ମାନବିକ।
