ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ
ପାଖେଇ ଆସୁଛି ବିଶ୍ୱନୀୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ସେଥିପାଇଁ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ। ରଥସଂହିତା ମୁତାବକ ରଥଖଳାରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ। ଆଜି ରଥଖଳାରେ ରଥନିର୍ମାଣର ହେଉଛି ୨୧ ଦିନ। ବର୍ତ୍ତମାନ ମଧ୍ୟ ଚକ କାର୍ଯ୍ୟ ପାଇଁ ଜନ୍ତାଗାଢରେ ଭୋଇ ସେବକ ମାନେ ସିଙ୍ଗଡା ବାଡେଇ ମହାରଣା ମାନଙ୍କୁ ଯୋଗାଉଛନ୍ତି। ତୁମ୍ଭରେ ଅର ସଂଯୋଗ ପରେ ସେଥିରେ ପହି ସଂଯୋଗ ପାଇଁ ଚାଳିରେ ବିଲେଇ ବାଡିଆ କାର୍ଯ୍ୟ ଜାରି ରହିଛି। ତେବେ ସମୁଦାୟ 42 ଗୋଟି ଚକରୁ ପ୍ରାୟ 20 ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ପାର୍ଶ୍ୱମୁହାଁଟ ଓ ଯୋଖାର କାର୍ଯ୍ୟ ଜାରି ରହିଛି। ଆସନ୍ତା ସ୍ନାନପୂର୍ଣ୍ନିମା ଦିନ ତିନିରଥର ଚାରିନାହାକା ଉଠିବାର ବିଧିବିଧାନ ଓ ପରମ୍ପରା ରହିଛି।
