ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ .
ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ରବ ଜେଟେନଙ୍କ ସହିତ, ନେଦରଲ୍ୟାଣ୍ଡର ପ୍ରତୀକାତ୍ମକ ଜଳ ପରିଚାଳନା ସରଞ୍ଚନା ଆଫସ୍ଲୁଇଟଡିଜକ୍ ପରିଦର୍ଶନ କରିଛନ୍ତି।ଏହି ଗସ୍ତ ଦୁଇ ଦେଶର ଅଭିନବ ଜଳ ପରିଚାଳନା ସମାଧାନ, ଜଳବାୟୁ ସ୍ଥିରତା ଏବଂ ସ୍ଥାୟୀ ଭିତ୍ତିଭୂମି ପ୍ରତି ସମାନ ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଛି। ୩୨ କିଲୋମିଟର ଲମ୍ବା ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ଏବଂ ଏହା ସହିତ ଜଡିତ ସେତୁ ବନ୍ୟା ନିୟନ୍ତ୍ରଣ ଏବଂ ଭୂମି ପୁନରୁଦ୍ଧାରର ଏକ ବିଶ୍ୱବ୍ୟାପୀ ଉଦାହରଣ। ଏହି ଡ୍ୟାମ୍ ନେଦରଲ୍ୟାଣ୍ଡର ଏକ ବଡ଼ ଅଂଶକୁ ଉତ୍ତର ସାଗରରୁ ରକ୍ଷା କରେ ଏବଂ ମଧୁର ଜଳ ସଂରକ୍ଷଣକୁ ମଧ୍ୟ ସକ୍ଷମ କରିଥାଏ।ଏହି ଡ୍ୟାମ୍ ପରିଦର୍ଶନ ଆଫସ୍ଲୁଇଟଡିଜକ୍ ଏବଂ ଭାରତର ଗୁଜରାଟ ରାଜ୍ୟରେ ବର୍ତ୍ତମାନ ଚାଲିଥିବା ମହତ୍ୱାକାଂକ୍ଷୀ ‘କଳ୍ପସାର ପ୍ରକଳ୍ପ’ ମଧ୍ୟରେ ସମାନତା ଉପରେ ଆଲୋକପାତ କରେ। କଳ୍ପସାର ପ୍ରକଳ୍ପର ଲକ୍ଷ୍ୟ ହେଉଛି ଖମ୍ବାଟ ଉପସାଗରରେ ଏକ ମଧୁର ଜଳଭଣ୍ଡାର ସୃଷ୍ଟି କରିବା, ଯାହା ଜୁଆର ଶକ୍ତି ଉତ୍ପାଦନ, ଜଳସେଚନ ଏବଂ ପରିବହନ ଭିତ୍ତିଭୂମିକୁ ସମନ୍ୱିତ କରିବ। ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ଭାରତର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ନେଦରଲ୍ୟାଣ୍ଡର ଭିତ୍ତିଭୂମି ଏବଂ ଜଳ ପରିଚାଳନା ମନ୍ତ୍ରଣାଳୟ ମଧ୍ୟରେ କଳ୍ପସାର ପ୍ରକଳ୍ପରେ ବୈଷୟିକ ସହଯୋଗ ସମ୍ପର୍କରେ ଏକ ‘ଉଦ୍ଦେଶ୍ୟ ପତ୍ର’ ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।ଉଭୟ ନେତା ଉଲ୍ଲେଖ କରିଛନ୍ତି ଯେ , ହାଇଡ୍ରୋଲିକ୍ ଇଞ୍ଜିନିୟରିଂରେ ନେଦରଲ୍ୟାଣ୍ଡର ବିଶେଷଜ୍ଞତା ଏବଂ ଭାରତରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବ୍ୟାପକ ବ୍ୟବସ୍ଥା ଦୁଇ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ଲାଭଦାୟକ ସହଭାଗୀତା ପାଇଁ ସୁଯୋଗ ପ୍ରଦାନ କରେ। ଏହି ଗସ୍ତ ‘ଜଳ କ୍ଷେତ୍ରରେ ଭାରତ-ନେଦରଲ୍ୟାଣ୍ଡ ରଣନୈତିକ ସହଭାଗୀତା’କୁ ପରିଭାଷିତ କରେ। ଏହା ସହିତ ନବସୃଜନ ଏବଂ ସ୍ଥାୟୀତ୍ୱ ପ୍ରତି ଉଭୟ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ।
