ମୌସୁମୀ
          ( ରାଗ –ବିଭାସ କେଦାର )

  🖊️ କବିରତ୍ନ ନୂତନ କୁମାର ବେହେରା

ବୈଶାଖ ଓ ଜ୍ୟେଷ୍ଠ  ଗ୍ରୀଷ୍ମଋତୁ କଷ୍ଟ ,
               ଆଣେ ଯେ ସଂକଟ ଲାଗଇ ଅତିଷ୍ଠ।
ନିଦାଘ ପ୍ରବାହ ହୋଇ ଅହରହ,
                     ଦହି ଦିଏ ଦେହ ହୁଏ ଦୁର୍ବିଷହ।
ଦିବାରାତ୍ର କାଳ ବହୁଥାଏ ଝାଳ,
                     ପ୍ରାଣୀଏ ସକଳ ହୁଅନ୍ତି ବିକଳ।
ତପ୍ତ ଝାଞ୍ଜି ଖରା ଶୁଷ୍କ କରେ ଧରା,
               ମଳିନ ଚେହେରା ପରିବେଶ ସାରା।
ସୂର୍ଯ୍ୟର କିରଣ ଅସହ୍ୟ ଦାରୁଣ,
               ଆତଙ୍କିତ ପ୍ରାଣ ଖୋଜେ ପରିତ୍ରାଣ।
ଦୁଃଖ ସହି ସହି ବହୁ କଷ୍ଟେ ରହି,
            ଖୋଜେ ଶାନ୍ତ ମହୀ ପାଇବାକୁ ତ୍ରାହି।
ଦକ୍ଷିଣ ପଶ୍ଚିମ ବାୟୁ ଯେ ଅସୀମ,
                   ପ୍ରବାହେ ଉତ୍ତମ  ଘୁଞ୍ଚଇ ଗରମ।
ନାମ ତା’ ମୌସୁମୀ ଆସି ଯାଏ ଚୁମି,
               ତାପମାତ୍ରା କମି ଥଣ୍ଡା କରେ ଭୂମି।
ମୌସୁମୀ ପବନ ବହି ଘନ ଘନ
                 ମେଘରେ ମିଳନ ହୁଏ ପ୍ରତିକ୍ଷଣ।
ବାଷ୍ପ ଘନୀଭୂତ ବର୍ଷା କରେ ଜାତ,
               ହୋଇ ଅପପାତ ବରଷେ ନିର୍ଘାତ।
ମୌସୁମୀର ହେତୁ ଆସେ ବର୍ଷାଋତୁ,
                ଯେତେ ଜୀବଜନ୍ତୁ ବଞ୍ଚନ୍ତି ଉତ୍ତପ୍ତୁ।
ତା’ ବରଷାଧାରା ଅସରା ଅସରା,
           ଭେଦାଏ ଯେ ଧରା ବହେ ଜଳଧାରା।
ଜଳେ ପରିପୂର୍ଣ୍ଣ ହୁଅଇ ଭୁବନ,
                  ଗଛ ଲତାମାନ ଲଭନ୍ତି ଜୀବନ।
ଜଗତ ମଙ୍ଗଳେ ମୌସୁମୀ ଯେ ଭାଳେ,
              ତାର ଦୟା ବଳେ ରୁହନ୍ତି ସକଳେ।
ଚାଷୀ କରେ ଚାଷ କ୍ଷେତେ କରି ଆଶ,
               ଜାତିର ବିକାଶ କରି ଆଣେ ହସ।
ମୌସୁମୀର ସ୍ପର୍ଶ ଭରିଦିଏ ହର୍ଷ,
              ଜୀବନେ ଉତ୍କର୍ଷ ଆସି ଛୁଏଁ ଶୀର୍ଷ।
ନ ଆସିଲେ ସିଏ ମରୁଡ଼ି ଯେ ହୁଏ,
               ଜୀବନ କନ୍ଦାଏ ଭାରି ଦୁଃଖ ଦିଏ।
ପର୍ଣ୍ଣମୋଚୀ ଜଳ- ବାୟୁର ଅଞ୍ଚଳ,
              ମୌସୁମୀର ବଳ ପାଇ ହୁଏ ପାଳ।
ସୃଷ୍ଟିର ପ୍ରଗତି ଆଣିଇ ପ୍ରକୃତି
                ଜଳବାୟୁ ଗତି ରକ୍ଷାକରେ ସ୍ଥିତି।
ପଞ୍ଚଭୂତ ଦୀକ୍ଷା କଲେ ସର୍ବେ ଶିକ୍ଷା,
            କରି ତା’ ପ୍ରତୀକ୍ଷା ମିଳେ ପ୍ରତିରକ୍ଷା।  
ନିଘଞ୍ଚ ବନାନୀ ମୌସୁମୀକୁ ଟାଣି,
             ମର୍ତ୍ତ୍ଵେ ଥାଏ ଆଣି ବର୍ଷି ଦିଏ ପାଣି।
ମୌସୁମୀ ପ୍ରବାହେ ଧରା ଶାନ୍ତ ରହେ,
          ଜୀବନ ନିର୍ବାହେ ଖୁସି ମନ ମୋହେ।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *