ସାଇ ଆରିୟା ଅନୁଷ୍କା ନାୟକ OJEE ଓଡ଼ିଶା ଯୁକ୍ତ
ସାଇ ଆରିୟା ଅନୁଷ୍କା ନାୟକ OJEE ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷାରେ ରାଜ୍ୟ ସ୍ତରୀୟ ଟପର୍ ହାସଲ କରିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଚନ୍ଦା ଗ୍ରାମର କୃତୀ ଛାତ୍ରୀ ସାଇ ଆରିୟା ଅନୁଷ୍କା ନାୟକ ଚଳିତ ବର୍ଷର (ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା)ରେ ସେ ରାଜ୍ୟସ୍ତରରେ ରାଙ୍କ-୧ ହାସଲ କରି ଜଗତସିଂହପୁର ଜିଲ୍ଲା ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛନ୍ତି।ଇଞ୍ଜିନିୟର ବିଶ୍ୱଜିତ ନାୟକ ଓ ଉଷାରାଣୀ ନାୟକଙ୍କ ସୁକନ୍ୟା ଅନୁଷ୍କା ଛୋଟବେଳୁ ମେଧାବୀ, ଅନୁଶାସିତ ଓ ଅଧ୍ୟବସାୟୀ ଛାତ୍ରୀ ଭାବେ ପରିଚିତ। ପରିବାରର ପ୍ରେରଣା, ଜେଜେବାପା ବିଷ୍ଣୁ ପ୍ରସାଦ ନାୟକଙ୍କ ସ୍ନେହ ଏବଂ ନିଜର କଠିନ ପରିଶ୍ରମ ବଳରେ ସେ ଏହି ଅସାଧାରଣ ସଫଳତା ହାସଲ କରିପାରିଛନ୍ତି।ଚଳିତ ବର୍ଷ OJEE ପରୀକ୍ଷାରେ ପ୍ରାୟ ୧ ଲକ୍ଷ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଅନୁଷ୍କା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଏହି କୃତିତ୍ୱ କେବଳ ବ୍ୟକ୍ତିଗତ ସଫଳତାରେ ସୀମିତ ନ ରହି ସମଗ୍ର ଜଗତସିଂହପୁର ଜିଲ୍ଲା ଓ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି।ଫଳ ପ୍ରକାଶ ପାଇବା ପରେ ଅନୁଷ୍କାଙ୍କ ବାସଭବନରେ ଶୁଭେଚ୍ଛୁ, ଶିକ୍ଷାବିତ୍ ଓ ଅଞ୍ଚଳବାସୀଙ୍କ ଭିଡ଼ ଲାଗି ରହିଥିଲା। ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ତାଙ୍କ ଘରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେ କହିଥିଲେ ଯେ, ଅନୁଷ୍କାଙ୍କ ଏହି ସଫଳତା ସମଗ୍ର ପଞ୍ଚାୟତ ଓ ତିର୍ତ୍ତୋଲ ଅଞ୍ଚଳ ପାଇଁ ଗୌରବର ବିଷୟ।ସେହିପରି ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ, ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଅନୁଷ୍କାଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୁଷ୍ପଗୁଚ୍ଛ ପ୍ରଦାନ କରି ସେ ଅନୁଷ୍କାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଓଡ଼ିଶାର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଉଚ୍ଚକୁ ନେଇଯିବେ ବୋଲି ଆଶା ପ୍ରକାଶ କରିଥିଲେ।ସାଇ ଆରିୟା ଅନୁଷ୍କା ନାୟକଙ୍କ ଏହି ଐତିହାସିକ ସଫଳତା ଆଜି ଜଗତସିଂହପୁର ଜିଲ୍ଲା ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ବେଳେ ତାଙ୍କ କୃତିତ୍ୱ ଆଗାମୀ ପିଢ଼ୀର ଛାତ୍ରଛାତ୍ରୀଙ୍କ ମନରେ ନୂଆ ସ୍ୱପ୍ନ, ଆତ୍ମବିଶ୍ୱାସ ଓ ସଫଳତାର ଅଦମ୍ୟ ଆକାଂକ୍ଷା ସୃଷ୍ଟି କରିଛି।
