ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ l ରେଳବାଇ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ର ସହ ଜଡିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀଏଥର ପଶ୍ଚିମବଙ୍ଗ ଦିବସର ଏହି ତାରିଖଟି ଆହୁରି ସ୍ୱତନ୍ତ୍ର; ସ୍ୱାଧୀନତା ପରେ ବଙ୍ଗଳାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଖାଯାଇଥିବା ସ୍ୱପ୍ନ, ବଙ୍ଗଳାର ମହାନ ବ୍ୟକ୍ତିତ୍ୱମାନେ କଳ୍ପନା କରିଥିବା ଦୃଷ୍ଟିକୋଣଗୁଡ଼ିକ ଆଜି, ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗ ଦିବସରେ ସ୍ୱପ୍ନରୁ ବାସ୍ତବତାରେ ପରିଣତ ହେଉଥିବାର ଦେଖାଯାଉଛି: ପ୍ରଧାନମନ୍ତ୍ରୀଏହି ଐତିହାସିକ ଦିନ ପଶ୍ଚିମବଙ୍ଗର ବିକାଶ ପାଇଁ ପ୍ରେରଣାଦାୟୀ ହେଉ ଏବଂ ଆମେ ମିଳିତ ଭାବେ ଏକ ନୂତନ ଓ ଗୌରବମୟ ଇତିହାସ ସୃଷ୍ଟି କରିବା: ପ୍ରଧାନମନ୍ତ୍ରୀଆଜି, ଶହ ଶହ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେଉଛି। ରେଳ, ସଡ଼କ, କୃଷି ଏବଂ ମତ୍ସ୍ୟଚାଷ କ୍ଷେତ୍ର ସହ ଜଡିତ ଏହି ପ୍ରକଳ୍ପଗୁଡ଼ିକ ବଙ୍ଗଳାର ବିକାଶକୁ ଏକ ନୂତନ ଗତି ଦେବ ଏବଂ ଏଠାକାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀବଙ୍ଗଳା ରକ୍ତପାତ ସହିଛି, ନିଜ ଲୋକଙ୍କୁ ହରାଇବା ସହିତ ନିଜ ଜନ୍ମଭୂମିର ବିଭାଜନକୁ ଦେଖିଛି କିନ୍ତୁ ବଙ୍ଗ କେବେ ନିଜର ପରିଚୟ ଓ ଆତ୍ମସମ୍ମାନକୁ ନଷ୍ଟ ହେବାକୁ ଦେଇନାହିଁ: ପ୍ରଧାନମନ୍ତ୍ରୀପଶ୍ଚିମବଙ୍ଗ ଦିବସ ପାଳନ ଅବସରରେ ଆମେ କେବଳ ଗୋଟିଏ ତାରିଖକୁ ମନେ ରଖିନାହୁଁ, ଏକ ସମ୍ପୂର୍ଣ୍ଣ ଇତିହାସକୁ ମନେ ରଖିବା ସହିତ ହଜାର ହଜାର ବର୍ଷ ପୁରୁଣା ବଙ୍ଗର ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ: ପ୍ରଧାନମନ୍ତ୍ରୀ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ଦେଶ ଅଗ୍ରସର; ବିକଶିତ ଭାରତର ଏହି ସଂକଳ୍ପର ସବୁଠାରୁ ବଡ଼ ଭିତ୍ତି ହେଉଛି ପୂର୍ବ ଭାରତର ବିକାଶ, ଏଥିପାଇଁ ଆମେ ‘ମିଶନ ପୂର୍ବୋଦୟ’ ଉପରେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍‌ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।କାର୍ଯ୍ୟକ୍ରମ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ବହୁବିଧ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ। ରେଳବାଇ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟଚାଷ ଏବଂ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ଏହି ପଦକ୍ଷେପଗୁଡ଼ିକ ଭିତ୍ତିଭୂମିକୁ ସୁଦୃଢ କରିବ, ଜୀବିକା ନିର୍ବାହରେ ଉନ୍ନତି ଆଣିବ, କୃଷକ କଲ୍ୟାଣ ବୃଦ୍ଧି କରିବ ଏବଂ ରାଜ୍ୟବ୍ୟାପୀ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)’ର ୨୩ତମ କିସ୍ତି ମଧ୍ୟ ଜାରି କରିଥିଲେ। ଏହି କିସ୍ତି ଅଧୀନରେ, ସାରା ଦେଶର ୯.୪୪ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୮,୮୮୦ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯିବ।ସମ୍ପ୍ରତି ଅନୁଷ୍ଠିତ ନିର୍ବାଚନ ଓ ନୂତନ ସରକାରଙ୍କ ଶପଥଗ୍ରହଣ ପରେ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ ଥିଲା। ଏହି ଅବସରରେ ଏକ ବିଶାଳ ଜନସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ। ପଶ୍ଚିମବଙ୍ଗ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ ଏହି ଅବସରକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ଏହା ସମଗ୍ର ରାଜ୍ୟରେ ନୂତନ ଆଶା, ଆତ୍ମବିଶ୍ୱାସ ଏବଂ ପ୍ରଗତିକୁ ନୂତନ ଭାବରେ ପ୍ରତିଫଳିତ କରୁଛି। “ପଶ୍ଚିମବଙ୍ଗ ବିକାଶ ଓ ରାଷ୍ଟ୍ର ଗଠନର ଏକ ନୂତନ ଯାତ୍ରା ଆରମ୍ଭ କରିଛି। ଲୋକମାନଙ୍କ ମଧ୍ୟରେ ଦେଖାଯାଉଥିବା ଉତ୍ସାହ ଏବଂ ସମଗ୍ର ରାଜ୍ୟର ସକାରାତ୍ମକ ପରିବେଶ ଏକ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।ପ୍ରଧାନମନ୍ତ୍ରୀ “ସ୍ୱଚ୍ଛତା ସେ ସ୍ୱାଗତ” ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନ ଓ ସ୍ଥାୟୀ ବିକାଶର ଏକ ଅବିଚ୍ଛେଦ୍ୟ ଅଂଶ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମବଙ୍ଗ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ, ଏହି ଦିବସ ସ୍ୱାଧୀନତା ଏବଂ ଦେଶ ବିଭାଜନ ପୂର୍ବର ଅଶାନ୍ତ ସମୟରେ ବଙ୍ଗଳାର ସାଂସ୍କୃତିକ ପରିଚୟ, ଐତିହ୍ୟ ଏବଂ ଭାରତରେ ଏହାର ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ଦିଆଯାଇଥିବା ବଳିଦାନକୁ ସ୍ମରଣ କରାଏ। ବଙ୍ଗର ଜନସାଧାରଣଙ୍କ ସ୍ୱାର୍ଥ ଓ ଆକାଂକ୍ଷାର ସୁରକ୍ଷା ପାଇଁ କାର୍ଯ୍ୟ କରିଥିବା ଦୂରଦର୍ଶୀ ବ୍ୟକ୍ତିତ୍ୱ, ସମାଜନେତା, ବିଦ୍ୱାନ ଓ ଜନପ୍ରତିନିଧିମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନକୁ ସ୍ମରଣ କରି କହିଥିଲେ ଯେ, ଦେଶ ବିଭାଜନ ସମୟରେ ବଙ୍ଗର ଏକ ଅଂଶ ଭାରତରେ ରହିବା ସୁନିଶ୍ଚିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ସେହି ଐତିହାସିକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ବୁଦ୍ଧିଜୀବୀ, ବିଦ୍ୱାନ, ସମାଜ ସଂସ୍କାରକ, ସମ୍ପ୍ରଦାୟ ନେତା ଏବଂ ଶିଳ୍ପପତିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅବଦାନକୁ ମଧ୍ୟ ସ୍ୱୀକାର କରିଥିଲେ। ରବୀନ୍ଦ୍ରନାଥ ଟାଗୋର, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଗଠିତ ପଶ୍ଚିମ ବଙ୍ଗର ସମୃଦ୍ଧ ଐତିହ୍ୟ ଆଜି ମଧ୍ୟ ଦେଶକୁ ପ୍ରେରଣା ଦେଇଆସୁଛି। ଭବିଷ୍ୟତ ପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଏହି ଐତିହ୍ୟକୁ ସଂରକ୍ଷଣ ଏବଂ ପାଳନ କରିବାର ଆବଶ୍ୟକତା ରହିଛି” ବୋଲି ଶ୍ରୀ ମୋଦୀ କହିଥିଲେ।ଶ୍ରୀ ମୋଦୀ କହିଥିଲେ ଯେ, ନୂତନ ସରକାର ଦଶନ୍ଧି ଧରି ଅଟକି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ଆରମ୍ଭ କରିଛନ୍ତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ସେ କହିଥିଲେ ଯେ, ରାଜ୍ୟର ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଦ୍ରୁତ ଗତିରେ ନିଷ୍ପତ୍ତି ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ରେଳ, ସଡକ, କୃଷି ଏବଂ ମତ୍ସ୍ୟଚାଷ ସହିତ ଜଡିତ ଶହ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବ, ସଂଯୋଗୀକରଣରେ ଉନ୍ନତି ଆଣିବ, ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହିତ ନିଯୁକ୍ତି ଓ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ” ବୋଲି ଶ୍ରୀ ମୋଦୀ କହିଥିଲେ।ପ୍ରଧାନମନ୍ତ୍ରୀ ଦେଶର ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତରିତ ହୋଇଥିବା ପିଏମ୍‌-କିଷାନ ଯୋଜନାର ୨୩ତମ କିସ୍ତିର ଉଲ୍ଲେଖ କରିଥିଲେ। ସେ ସମସ୍ତ ଲାଭାର୍ଥୀ ଚାଷୀ ପରିବାରକୁ ଶୁଭକାମନା ଜଣାଇଥିଲେ। ରାଜ୍ୟର ଇତିହାସରୁ ପ୍ରେରଣା ନେବାକୁ ନାଗରିକମାନଙ୍କୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମବଙ୍ଗରେ ବିଶାଳ ସାଂସ୍କୃତିକ, ବୌଦ୍ଧିକ ଏବଂ ଆର୍ଥିକ ଶକ୍ତି ରହିଛି ଏବଂ ଏହା ପୁଣି ଥରେ ଭାରତର ବିକାଶ ଯାତ୍ରାରେ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ଉଭା ହୋଇପାରିବ। “ପଶ୍ଚିମବଙ୍ଗ ଦିବସ କେବଳ ଇତିହାସକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ବିକାଶ, ପ୍ରଗତି ଏବଂ ଜାତୀୟ ଏକତା ପ୍ରତି ଏକ ନୂତନ ପ୍ରତିବଦ୍ଧତା ଭାବରେ କାର୍ଯ୍ୟ କରିବା ଉଚିତ। ରାଜ୍ୟର ଲୋକମାନେ ଏକ ଶକ୍ତିଶାଳୀ ଏବଂ ଅଧିକ ସମୃଦ୍ଧ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ” ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ନିର୍ବାଚନ ସମୟରେ ପଶ୍ଚିମବଙ୍ଗର ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରାଯାଉଛି। ସେ ଘୋଷଣା କରିଥିଲେ ଯେ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ଗରିବ ପରିବାର ଏବେ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଉପକୃତ ହେବେ। ସେ ଅନ୍ନପୂର୍ଣ୍ଣା ଯୋଜନାର କାର୍ଯ୍ୟକାରୀତା, ଜଳ ଜୀବନ ମିଶନ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ବିସ୍ତାର, ସରକାରୀ ଚାକିରିରେ ବୟସ ସୀମା କୋହଳ ଏବଂ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଉପରେ ମଧ୍ୟ ଆଲୋକପାତ କରିଥିଲେ। “ବର୍ଷ ବର୍ଷ ଧରି ଅଟକି ରହିଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ବର୍ତ୍ତମାନ ଜନସମ୍ପର୍କ ଶିବିର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଉଛି, ଯାହା ଫଳରେ ସ୍ୱଚ୍ଛତା, ଦକ୍ଷତା ଏବଂ ମଧ୍ୟସ୍ଥମାନଙ୍କର ସମ୍ପୂର୍ଣ୍ଣ ଉଚ୍ଛେଦ ସୁନିଶ୍ଚିତ ହେଉଛି,” ବୋଲି ଶ୍ରୀ ମୋଦୀ କହିଥିଲେ।ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଅନେକ ଦୀର୍ଘକାଳୀନ ପ୍ରକଳ୍ପ ବର୍ତ୍ତମାନ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଥିରେ ଚିଙ୍ଗ୍ରିଘାଟା କ୍ରସିଂଠାରେ କୋଲକାତା ମେଟ୍ରୋର ଅରେଞ୍ଜ ଲାଇନ କାର୍ଯ୍ୟ ସମାପ୍ତ ହେବା, ହାୱଡାରେ ଏକ ନୂତନ ଡିଭିଜନାଲ ରେଳ ହସ୍ପିଟାଲର ଶିଳାନ୍ୟାସ, ପୂର୍ବ ମେଦିନୀପୁରରେ ରାସ୍ତା ଓଭରବ୍ରିଜ୍ ଏବଂ ସାଙ୍କ୍ରାଲ-ସାନ୍ତ୍ରାଗାଛି ରେଳ ଲିଙ୍କ ପ୍ରକଳ୍ପ ସାମିଲ ରହିଛି। କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ। ଯାହା ଚାଷୀମାନଙ୍କୁ ଫସଲ କ୍ଷତି ପୂରଣ ଭାବରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବ। ସେ ରାଜ୍ୟକୁ ‘ଡିଜିଟାଲ କୃଷି ମିଶନ’ ସହ ଯୋଡିବାର ଘୋଷଣା ମଧ୍ୟ କରିଥିଲେ, ଯାହା ଚାଷୀ ପଞ୍ଜୀକରଣ, ଡିଜିଟାଲ ଜମି ରେକର୍ଡ ଏବଂ କୃଷି ସେବା ଓ ସୁବିଧାର ଉନ୍ନତ ବିତରଣକୁ ସକ୍ଷମ କରିବ। “ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅଧୀନରେ, ପଶ୍ଚିମବଙ୍ଗର ଚାରୋଟି ଜିଲ୍ଲା – ପୁରୁଲିଆ, ଦାର୍ଜିଲିଂ, ଆଲିପୁରଦୁଆର ଏବଂ ଝାରଗ୍ରାମକୁ କୃଷି ଉତ୍ପାଦକତା ବୃଦ୍ଧି, ସଂରକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଋଣ ଉପଲବ୍ଧତାକୁ ଉନ୍ନତ କରିବା ପାଇଁ ବିଶେଷ ସହାୟତା ମିଳିବ” ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।ରାଜ୍ୟର ଅର୍ଥନୀତିରେ ମତ୍ସ୍ୟଚାଷର ଗୁରୁତ୍ୱକୁ ସ୍ୱୀକାର କରି, ଶ୍ରୀ ମୋଦୀ ଦକ୍ଷିଣ ୨୪ ପରଗଣାର ଫ୍ରେଜରଗଞ୍ଜ ମାଛଧରା ବନ୍ଦରର ସମ୍ପ୍ରସାରଣ ଏବଂ ବୀରଭୂମିରେ ଏକ ଆଧୁନିକ ମାଛ ବଜାରର ବିକାଶ ଉପରେ ଆଲୋକପାତ କରିଥିଲେ। ଏହା ଜୀବିକା ବୃଦ୍ଧି କରିବ ଏବଂ ମତ୍ସ୍ୟଚାଷ କ୍ଷେତ୍ରକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଚାଷୀମାନଙ୍କୁ ସରକାରଙ୍କ “କ୍ଷେତ ବଚାଓ ଅଭିଯାନ”ରେ ଅଂଶଗ୍ରହଣ କରିବାକୁ ମଧ୍ୟ ନିବେଦନ କରିଥିଲେ, ଯାହା ମାଟି ସ୍ୱାସ୍ଥ୍ୟ, ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପ୍ରାକୃତିକ କୃଷି ପଦ୍ଧତି ଗ୍ରହଣକୁ ପ୍ରୋତ୍ସାହିତ କରିଥାଏ।୨୦୪୭ ସୁଦ୍ଧା ସରକାରଙ୍କ ‘ବିକଶିତ ଭାରତ’ ଗଠନ ଦୃଷ୍ଟିକୋଣକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ ଜୋର ଦେଇଥିଲେ ଯେ, ‘ପୂର୍ବୋଦୟ ପଦକ୍ଷେପ’ ଅଧୀନରେ ପୂର୍ବ ଭାରତର ବିକାଶ ଏହି ମିଶନର କେନ୍ଦ୍ରବିନ୍ଦୁ ହୋଇ ରହିଛି ଏବଂ ପଶ୍ଚିମବଙ୍ଗ ଏଥିରେ ଆଞ୍ଚଳିକ ଏବଂ ଜାତୀୟ ଅଭିବୃଦ୍ଧିକୁ ଆଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। “ସ୍ଥାୟୀ ବିକାଶ ସହ ଶାନ୍ତି, ସାମାଜିକ ସଦ୍‌ଭାବ ଓ ସାଂସ୍କୃତିକ ସୁରକ୍ଷା ମଧ୍ୟ ଜଡିତ ହେବା ଆବଶ୍ୟକ। ସାମୂହିକ ପ୍ରଗତି ପାଇଁ ଏକାଠି କାମ କରିବା ସହିତ ବଙ୍ଗର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମାଜିକ ଗଠନକୁ ସୁଦୃଢ କରିବା ଉଚିତ” ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ। ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ‘ସ୍ୱାମୀ ବିବେକାନନ୍ଦ’ ଏବଂ ‘ଶ୍ରୀ ଅରବିନ୍ଦ’ଙ୍କ ଭୂମି ପୁଣି ଥରେ ଯୋଗ, ସୁସ୍ଥତା ଏବଂ ମାନବ ଏକତାର ବାର୍ତ୍ତା ମାଧ୍ୟମରେ ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିବ।

Leave a Reply

Your email address will not be published. Required fields are marked *