ଏନ୍ଆଇଟି ରାଉରକେଲାର ଦ୍ରୁତ ବିକାଶ ଗାଥା ର ମଙ୍ଗୁଆଳ – ପ୍ରଫେସର ଉମାମହେଶ୍ଵର ରାଓ.
ରାଉରକେଲା: ବେଳେବେଳେ କୌଣସି ଶିକ୍ଷାୟତନର ଯାତ୍ରାପଥରେ ଏପରି ସମୟ ଆସେ – ଗତି କଚ୍ଛପତୁଲ୍ୟ ମନ୍ଦିର ହୋଇ – ଜାଣ ଅନୁଷ୍ଠାନ ଏକ ଅଚଳାୟତନ ପରି ପ୍ରତୀୟମାନ ହୁଏ । ଏହି ଉପୀଡ଼କ ସମୟରେ ବିଜୁ-ପ୍ରେରିତ ପରି ଆସନ୍ତି ଜଣେ ଧୀମାନ୍ ଧୃତାତ୍ମା, ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷାବିତ, ଯାହାଙ୍କର ନିଷ୍ଠା, ଉତ୍ସର୍ଗୀକୃତ ଉଦ୍ୟମ ଓ ଦିଗ୍ଦର୍ଶନ ଫଳରେ ଅନୁଷ୍ଠାନ ପୁର୍ନଜନ୍ମ ପାଇ ଦ୍ରୁତ ବିକାଶର ପଥରେ ଅଗ୍ରସର ହୁଏ । ରାଉରକେଲା ଏନ୍ଆଇଟି ପାଇଁ ଏହି ରୂପାନ୍ତରକାରୀ ଶିକ୍ଷାବିତ୍ ଭାବେ ଯୋଗ ଦେଇଥିଲେ ପ୍ରଫେସର କେ ଊମା ମହେଶ୍ଵର ରାଓ ୧୮ ଫେବୃୟାରୀ ୨୦୨୨ ରେ । ତା’ଙ୍କ କାର୍ଯ୍ୟକାଳରେ ତାଙ୍କର ସୁଦକ୍ଷ ପରିଚାଳନା, ପ୍ରେରଣା ଓ ଅବିଶ୍ରାନ୍ତ ଉଦ୍ୟମ ଫଳରେ ଆମ ଶିକ୍ଷାତୀର୍ଥର ଯେପରି ରୂପାନ୍ତର ତୁଲ୍ୟ ଭଦ୍ଧାୟନ ହୋଇଛି, ରାଉରକେଲାବାସୀଙ୍କ ଅବଗତି ପାଇଁ ତାହାର ସଂକ୍ଷିପ୍ତ ବିବରଣୀ ଦେବା ଏ ଆଲେଖ୍ୟର ଅଭିପ୍ରାୟ ।ପ୍ରଗତିରେ ମୁଖ୍ୟ ଅବଦାନ ଥାଏ ରାଙ୍କିଙ୍ଗ ର । କେତୋଟି ସରକାରୀ ଓ ବେସରକାରୀ ସଂସ୍ଥା ରାଙ୍କିଙ୍ଗ୍ ପାଇଁ ସାମଗ୍ରିକ ଉଦ୍ୟମକୁ ବୃଦ୍ଧି ଭାବେ ଗ୍ରହଣ କରିଛନ୍ତି । ଏହା ଶିକ୍ଷାନୁଷ୍ଠାନ ମାନଙ୍କର ଉତ୍କର୍ଷତାର ମାନଦଣ୍ଡ, ସାମଗ୍ରିକ ସ୍ଥିତି ଓ ପ୍ରଗତିର ତୁଳନାତ୍ମକ ଚିତ୍ର । ପୃଥିବୀର ପ୍ରାୟ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନ ଏହି ରାଙ୍କିଙ୍ଗ୍ ପ୍ରକ୍ରିୟାରେ ଭାଗ ନିଅନ୍ତି । ୨୦୨୩ ଠାରୁ ଆମ ଅନୁଷ୍ଠାନ ବର୍ଷ ପରେ ବର୍ଷ ଦ୍ରୁତ ଆରୋହଣ ଫଳରେ ଏ ବର୍ଷ ଗୋଟିଏ ବେସରକାରୀ ସଂସ୍ଥାର ଆକଳନରେ ସମଗ୍ର ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଅଷ୍ଟମ ଏବଂ କେବଳ ଏନ୍ଆଇଟି ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସରକାରୀ NIRF-2025 ଇଂଜିନିୟରିଂ ରାଙ୍କିଙ୍ଗ୍ରେ ସର୍ବଭାରତୀୟ ସ୍ତରରେ ତ୍ରୟୋଦଶ (୧୩ତମ) ସ୍ଥାନ ଅଧିକାର କରିଛି ।ଦ୍ଵିତୀୟରେ ଗବେଷଣା ଆନୁସଙ୍ଗିକ ପ୍ରୟାସ :…ସାରା ପୃଥିବୀରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଗବେଷଣାକୁ ସର୍ବୋଚ୍ଚ ମୂଲ୍ୟ ଦିଆଯାଏ ଓ ଶ୍ରେଷ୍ଠ ଗବେଷକ ମାନେ ଅନୁଷ୍ଠାନର ମୁକୁଟରେ ଅମୂଲ୍ୟ ରତ୍ନ ଭାବେ ଶୋଭା ପାଉଥାନ୍ତି । ପ୍ରିନସ୍ଟନ୍ ବିଶ୍ଵବିଦ୍ୟାଳୟ ଆଇନ୍ଷ୍ଟାଇନ୍ଙ୍କ ଗବେଷଣା ପାଇଁ ବିଶ୍ଵବିଶ୍ରୁତି ହୋଇଛି । ପ୍ରଫେସର ରାଓଙ୍କ ପ୍ରେରଣାରେ ଉତ୍ସାହିତ ଅଧ୍ୟାପକ ଓ ଛାତ୍ର ଗବେଷକ ମାନେ ଗବେଷଣା ପ୍ରୟାସକୁ ପୂର୍ବ ସମୟ ତୁଳନାରେ ବହୁଗୁଣିତ କରିଛନ୍ତି । ପ୍ରତି ସପ୍ତାହରେ ପେଟେଟ ଲାଭ କରିବା ସମ୍ବାଦ ପ୍ରକାଶିତ ହେଉଛି ।

ଆମ ପ୍ରତିଷ୍ଠାନ ଏହି କାଳଖଣ୍ଡରେ ଶହେରୁ ଉର୍ଦ୍ଧ୍ବ ଉପଯୋଗୀ ପ୍ୟାଟେଟ ଦେଶବାସୀଙ୍କୁ ଦାନ କରିବାର ଗୌରବ ଲାଭ କରିଛି । ୩୩ଜଣ ଅଧ୍ୟାପକ ଓ ଦୁଇ ଜଣ ଶିକ୍ଷାର୍ଥୀ ଗବେଷକ ବିଶ୍ଵବିଷ୍କୃତ ଷ୍ଟାନ୍ଫୋର୍ଡ୍ ବିଶ୍ଵବିଦ୍ୟାଳୟର ଆକଳନରେ ପୃଥିବୀର ଶତକଡ଼ା ଦୁଇ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସ୍ଥାବର ସମ୍ପତ୍ତି (Infrastructure) : ଆମ ସମୟରେ ସମୁଦାୟ ଛାତ୍ର ସଂଖ୍ୟା ପ୍ରାୟ ତେର ଶହ, ଯହିଁରୁ ମାତ୍ର୫/୬ଜଣ ଛାତ୍ରୀ ଥିଲେ । ଏବେ ଛାତ୍ରଛାତ୍ରୀ ସଂଖ୍ୟା ଆଠ ହଜାରରୁ ଉର୍ଦ୍ଧ୍ବ, ଯହିଁରୁ ୨୫୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ, ହଷ୍ଟେଲ୍ ଅଭାବରୁ ସେମାନେ ଭୟଙ୍କର ଅସୁବିଧାରେ ଥିଲେ । ସରକାରୀ ଅନୁଦାନ ନ ମିଳିବାରୁ ଆଜୀବନ ମାଇନିଂ ପ୍ରଫେସର ଭାବେ ଅଧ୍ୟାପନା ଓ ଗବେଷଣା କରିଥିବା ପ୍ରଫେସର ରାଓ ମହାନଦୀ କୋଲ ଫିଲ୍ମ ଠାରୁ ଗୋଟିଏ ୫୦୦ ଶଯ୍ୟା ବିଶିଷ୍ଟ ମହିଳା ହଷ୍ଟେଲ୍ ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ୪୦ କୋଟିରୁ ଉର୍ଦ୍ଧ୍ବ ଅନୁଦାନ ସଂଗ୍ରହ କରିଛନ୍ତି । ଛାତ୍ରାବାସର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଗ୍ରୀଷ୍ମ ଛୁଟି ପରେ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଗୃହକୁ ସ୍ଥାନାନ୍ତରିତ ହୋଇଛି । ପ୍ରଫେସର ରାଓଙ୍କ ଏହି ଉଦ୍ୟମ ଅକଳ୍ପନୀୟ ଓ ଅତୀବ ପ୍ରଶଂସନୀୟ ।ନୂତନ ଉଦ୍ଭାବନ ତୁଲ୍ୟ ଷ୍ଟାର୍ଟ ଅପ୍ ପ୍ରୟାସରେ ମଧ୍ୟ ପ୍ରଶଂସନୀୟ ଉଦ୍ୟମ ଅବାରିତ ରହିଛି । ପ୍ରତିଷ୍ଠାନର ସହଯୋଗରେ ପ୍ରାକ୍ତନ ଛାତ୍ର ପରିଚାଳିତ କ୍ରୋସିଆ ଟେକ୍ନୋଲୋଜି ଭାରତୀୟ ନୌସେନାଠାରୁ ୬୬ କୋଟି ଟଙ୍କାର ଅର୍ଡର (ବିକ୍ରୟ ଚୁକ୍ତି) ପାଇଛି । ଅନୁଷ୍ଠାନର ଇନ୍କ୍ୟୁବେସନ୍, ସେଂଟର ‘୨୦୨୫ ର ଭାରତର ଇନ୍କ୍ୟୁବେସନ୍’ ପୁରସ୍କାର ପାଇଛି ।ଏତଦ୍ ବ୍ୟତୀତ ବହୁ ଆନୁସଙ୍ଗିକ ବିଭାଗରେ ପ୍ରଗତି ସହ ସାମଗ୍ରିକ ଭାବେ ଏନ୍ଆଇଟିଆର ଚାରିବର୍ଷ ଭିତରେ ଏକ ବିଶାଳ ପଦକ୍ଷେପ ନେଇ ପାରିଛି ।ପ୍ରଫେସର ରାଓ ଜଣେ ସର୍ବଦା ହର୍ଷ ମୁଖ, ଶାନ୍ତ, ଭଦ୍ର, ଉତ୍ତମ ବିଦ୍ଧ ପୁରୁଷ । ମୌଳିକ ଭାବନାରେ ସମୃଦ୍ଧ, ସେ ଜଣେ ଆଦର୍ଶ ଶିକ୍ଷକ ଓ ଚିନ୍ତକ । ତାଙ୍କର ପ୍ରତ୍ୟେକ ଭାଷଣରେ ଥାଏ ନୂତନ ଭାବନା ଓ ସ୍ନେହପୂର୍ଣ ଉଦ୍ବୋଧନ, କିଛି ଭଲ କରିବା ପାଇଁ, କିଛି ହେବା ପାଇଁ ଆହ୍ୱାନ । ତା’ଙ୍କ କାର୍ଯ୍ୟକାଳ ଆଉ ଆଠମାସ ପରେ ସେ ରାଉରକେଲାରୁ ବିଦାୟ ନେଇଯିବେ । ଦିନ ଯାଏ ଚିହ୍ନ ରହେ । ସେ ଆମ ଶିକ୍ଷାଦାତ୍ରୀ ଅନୁଷ୍ଠାନର ପୁନର୍ଜାଗରଣ ପାଇଁ ଯେଉଁ ଚିହ୍ନ ଛାଡ଼ି ଦେଇଯିବେ ତାହା ଚିରକାଳ ଅଲିଭା ରହିବ । ତାଙ୍କର ମଧୁର ବ୍ୟବହାର, ମିଷ୍ଟ ସ୍ଵର, ଅନୁଷ୍ଠାନର ପ୍ରଗତି ପାଇଁ ଅବିଶ୍ରାନ୍ତ ଉଦ୍ୟମ ଉତ୍ତର ପୁରୁଷଙ୍କ ପାଇଁ ପ୍ରେରଣା ହୋଇ ରହିବ । ଅନୁଷ୍ଠାନର କର୍ମୀ, ପୁରାତନ ଛାତ୍ରଛାତ୍ରୀ, ରାଉରକେଲାକୁ ଭଲ ପାଉଥିବା ନାଗରିକମାନଙ୍କ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ଏହି ସଂକ୍ଷିପ୍ତ ଲେଖା ମାଧ୍ୟମରେ ଆମେ ପ୍ରଫେସର ରାଓଙ୍କୁ ଗଭୀର ଅନ୍ତରରୁ ନିଃସୃତ କୃତଜ୍ଞତା ଓ ଶୁଭେଚ୍ଛା ସହ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ପୟରରେ ତା’ଙ୍କ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା ନିବେଦନ କରୁଛୁ ।
