ରଥଯାତ୍ରା ୨୦୨୬ ପୂର୍ବରୁ ପୁରୀ ପୋଲିସର ବଡ଼ ସାଇବର ଆକ୍ସନ

ରଥଯାତ୍ରା ୨୦୨୬ ପୂର୍ବରୁ ପୁରୀ ପୋଲିସର ବଡ଼ ସାଇବର ଆକ୍ସନ ୪୦ଟି ଫେକ୍ ହୋଟେଲ ୱେବସାଇଟ, ଇମେଲ ଟେକ୍-ଡାଉନଆଗାମୀ ପବିତ୍ର ରଥଯାତ୍ରା ୨୦୨୬ ଉପଲକ୍ଷେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ପୁରୀକୁ ଆଗମନ କରିବେ। ଏହି ପରିପ୍ରେକ୍ଷୀରେ ହୋଟେଲ ବୁକିଂ ନାମରେ ସାଇବର ଠକେଇ ବୃଦ୍ଧି ପାଇବାର ଆଶଙ୍କାକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ସାଇବର ଠକେଇ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏହି ନିରୀକ୍ଷଣ ସମୟରେ ପୁରୀ ସହରର ବିଭିନ୍ନ ହୋଟେଲ ନାମରେ ଅନେକ ଫେକ୍ ୱେବସାଇଟ ଚାଲୁ ଥିବା ଚିହ୍ନଟ କରି ସେଗୁଡିକୁ ହଟାଇଦିଆଯାଇଛି । ସାଇବର ଅପରାଧୀମାନେ ଏହି ଭୁଆ ୱେବସାଇଟ ମାଧ୍ୟମରେ ହୋଟେଲ ବୁକିଂ ନାମରେ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଠକୁଥିଲେ ଏବଂ ଅବୈଧ ଭାବରେ ଟଙ୍କା ଆଦାୟ କରୁଥିଲେ। ୪୦ଟି ଫେକ୍ ୱେବସାଇଟ, ଇମେଲ ଚାଲୁ ଥିବା ଜଣାପଡ଼ିଛି। ଏହି ସାଇଟଗୁଡ଼ିକରେ ହୋଟେଲର ନାମ, ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ଅବୈଧ ଭାବରେ ବ୍ୟବହାର କରାଯାଉଥିଲା। ଏଥିସହିତ ଭିନ୍ନ ଭିନ୍ନ ଫେକ ଇ-ମେଲ୍ ଆଇଡି ମାଧ୍ୟମରେ ଗ୍ରାହକଙ୍କ ସହ ଯୋଗାଯୋଗ କରି ଠକେଇ କରାଯାଉଥିଲା। ପୁରୀ ପୋଲିସ ପକ୍ଷରୁ ତୁରନ୍ତ କଡ଼ା ପଦକ୍ଷେପ ଗ୍ରହଣ କରାଯାଇ ସମ୍ପୃକ୍ତ ସମସ୍ତ ଫେକ୍ ୱେବସାଇଟକୁ ସଫଳତାର ସହ ଟେକ୍-ଡାଉନ କରାଯାଇଛି। ଏହା ଫଳରେ ଉକ୍ତ ୱେବସାଇଟ ମାଧ୍ୟମରେ ଆଗାମୀ ଠକେଇର ସମ୍ଭାବନାକୁ ବହୁ ପର୍ଯ୍ୟନ୍ତ ରୋକାଯାଇପାରିବ । ଏହି ଘଟଣାରେ ଏସ୍ପି ପୁରୀ ପ୍ରତୀକ ସିଂ କହିଛନ୍ତି ଯେ, ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା। ସାଇବର ଅପରାଧ ବିରୋଧରେ ପୁରୀ ପୋଲିସ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି ଏବଂ ଏପରି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୁରୀ ପୋଲିସ ସମସ୍ତ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ସଚେତନତାମୂଳକ ପରାମର୍ଶ ଯେ ହୋଟେଲ ବୁକିଂ ପୂର୍ବରୁ ୱେବସାଇଟର ସତ୍ୟତା ଯାଞ୍ଚ କରନ୍ତୁ। କେବଳ ଅଫିସିଆଲ ୱେବସାଇଟ ମାଧ୍ୟମରେ ବୁକିଂ କରନ୍ତୁ। ଅତ୍ୟଧିକ ଶସ୍ତା ଅଫର କିମ୍ବା ଅସ୍ୱାଭାବିକ ଡିସକାଉଣ୍ଟ ଦେଖି ବୁକିଂ କରନ୍ତୁ ନାହିଁ। ବୁକିଂ ପୂର୍ବରୁ ହୋଟେଲ ସହ ସିଧାସଳଖ ଯୋଗାଯୋଗ କରି ସତ୍ୟତା ଜଣନ୍ତୁ । ଅଜଣା ବ୍ୟାଙ୍କ ଆକାଉଣ୍ଟ, UPI କିମ୍ବା QR Code କୁ ଟଙ୍କା ପଠାନ୍ତୁ ନାହିଁ।ଯଦି କୌଣସି ଫେକ୍ ୱେବସାଇଟ, ଫେକ ବୁକିଂ ଲିଙ୍କ କିମ୍ବା ସନ୍ଦେହଜନକ ସାଇବର କାର୍ଯ୍ୟକଳାପ ଆପଣଙ୍କ ନଜରକୁ ଆସେ, ତେବେ ସାଇବର ହେଲ୍ପଲାଇନ୍ : 1930ପୁରୀ ସାଇବର ହେଲ୍ପଲାଇନ୍ : 82804 91300 ଯୋଗାଯୋଗ କରନ୍ତୁ। ଆଗାମୀ ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ସୁଚାରୁ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସମସ୍ତଙ୍କୁ ଅନୁରୋଧ ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସନ୍ଦେହଜନକ କୌଣସି ଘଟଣା ଦେଖିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *