ରଥଯାତ୍ରା ୨୦୨୬ ପ୍ରସ୍ତୁତି
*ରଥଯାତ୍ରା ୨୦୨୬ ପ୍ରସ୍ତୁତି: ପୁରୀ ପୋଲିସ ପକ୍ଷରୁ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ*ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ ଅବସରରେ ସୁରକ୍ଷା, ଶୃଙ୍ଖଳା ଏବଂ ସୁଚାରୁ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ସୁନ୍ଦରା ଜଗାରେ ମାଟିମଣ୍ଡପସାହି, ଦୋଳମଣ୍ଡପ ସାହି ଏବଂ କୁଣ୍ଢେଇବେଣ୍ଟ ସାହିର ମୁରବି, ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା, ଜରୁରୀକାଳୀନ ସହାୟତା ଏବଂ ସ୍ଥାନୀୟ ଅଞ୍ଚଳରେ ସମନ୍ୱିତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ରଥଯାତ୍ରା ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥାର ମହାପର୍ବ। ଏହାକୁ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ, ପ୍ରଶାସନ, ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସକ୍ରିୟ ସହଯୋଗ ଜରୁରୀ। ବୈଠକରେ ଉପସ୍ଥିତ ମୁରବି, ସେବାୟତ ଓ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ଗଠନମୂଳକ ପରାମର୍ଶ ଦେବା ସହ ପୁରୀ ପୋଲିସର ପ୍ରସ୍ତୁତିକୁ ସ୍ୱାଗତ କରିଥିଲେ। ସେମାନେ ରଥଯାତ୍ରା ସମୟରେ ପୋଲିସ ଓ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜଣାଇଥିଲେ । ଏହି ସମନ୍ୱୟ ବୈଠକରେ ପୁରୀ ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ଶେଷରେ ପାରସ୍ପରିକ ସହଯୋଗ, ସମନ୍ୱୟ ଓ ଜନସହଭାଗିତା ମାଧ୍ୟମରେ ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ପୁରୀ ପୋଲିସ ରଥଯାତ୍ରା ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସଦା ପ୍ରତିବଦ୍ଧ।
