ରଥଯାତ୍ରା ୨୦୨୬: ସୁରକ୍ଷା ପାଇଁ ୨୪ଟି ଆଣ୍ଟି-ସାବୋଟାଜ୍ ଚେକିଂ

ରଥଯାତ୍ରା ୨୦୨୬: ସୁରକ୍ଷା ପାଇଁ ୨୪ଟି ଆଣ୍ଟି-ସାବୋଟାଜ୍ ଚେକିଂ (AS) ଟିମ୍ ଓ ୧୬ଟି ବମ୍ ସ୍କ୍ୱାଡ୍ ନିୟୋଜିତ*ରଥଯାତ୍ରା ୨୦୨୬ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଅତିଥିମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାର ଅଂଶସ୍ୱରୂପ ସମଗ୍ର ପୁରୀ ସହରରେ ୨୪ଟି ଆଣ୍ଟି-ସାବୋଟାଜ୍ ଚେକିଂ (Anti-Sabotage Checking) ଟିମ୍ ଏବଂ ୧୬ଟି ବମ୍ ସ୍କ୍ୱାଡ୍ (Bomb Squad) ନିୟୋଜିତ ହୋଇ ଦିନରାତି ସତର୍କତାର ସହ କାର୍ଯ୍ୟ କରୁଛନ୍ତି। ଏହି ୨୪ଟି ଆଣ୍ଟି-ସାବୋଟାଜ୍ ଚେକିଂ ଟିମ୍ ରଥମାର୍ଗ, ବଡ଼ଦାଣ୍ଡ, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ପରିସର, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍, ପାର୍କିଂ ସ୍ଥଳ, ଯାତ୍ରୀ ବିଶ୍ରାମସ୍ଥଳ, ଭିଆଇପି ରୁଟ୍ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ନିୟମିତ ଯାଞ୍ଚ କରୁଛନ୍ତି। ଅତ୍ୟାଧୁନିକ ଉପକରଣ ସହାୟତାରେ ପ୍ରତ୍ୟେକ ସ୍ଥାନକୁ ସାନିଟାଇଜ୍ କରାଯାଇ ସନ୍ଦିଗ୍ଧ ବସ୍ତୁ କିମ୍ବା ବିପଜ୍ଜନକ ସାମଗ୍ରୀ ଥିବାର ସମ୍ଭାବନାକୁ ପୂର୍ବରୁ ଯାଞ୍ଚ କରାଯାଉଛି। ସେହିପରି ୧୬ଟି ବମ୍ ସ୍କ୍ୱାଡ୍ ସମଗ୍ର ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟୋଜିତ ରହି ଯେକୌଣସି ସୁରକ୍ଷାଜନିତ ବିପଦର ମୁକାବିଲା ପାଇଁ

ସଦା ପ୍ରସ୍ତୁତ ଅଛନ୍ତି। ବମ୍ ସନ୍ଦେହଜନକ ବସ୍ତୁର ଯାଞ୍ଚ, ବିସ୍ଫୋରକ ସାମଗ୍ରୀ ଚିହ୍ନଟ ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ନିଷ୍କ୍ରିୟକରଣ ପାଇଁ ସେମାନେ ପ୍ରଶିକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ସିସିଟିଭି ନଜରଦାରି, ଡ୍ରୋନ୍ ମନିଟରିଂ, କଣ୍ଟ୍ରୋଲ୍ ରୁମ୍, କ୍ୱିକ୍ ରେସ୍ପନ୍ସ ଟିମ୍, ଟ୍ରାଫିକ୍ ପରିଚାଳନା ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ୨୦୨୬ ପାଇଁ ଏକ ସୁଦୃଢ଼ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି। ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛି ଯେ, କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବ୍ୟକ୍ତି ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା କଣ୍ଟ୍ରୋଲ୍ ରୁମ୍‌କୁ ସୂଚନା ଦିଅନ୍ତୁ ଏବଂ ସୁରକ୍ଷା ଯାଞ୍ଚ ସମୟରେ ପୋଲିସକୁ ସହଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *