ଜୀବନ ରଥର ନାଥ ହେ ଜଗନ୍ନାଥ            

        ଜୀବନ ରଥର ନାଥ ହେ ଜଗନ୍ନାଥ
             ( ରାଗ — ଚିନ୍ତାଦେଶାକ୍ଷ )

  🔹କବିରତ୍ନ ନୂତନ କୁମାର ବେହେରା

ଜୀବନ ରଥର ନାଥ’ ହେ ଜଗନ୍ନାଥ’
        ସଂକଟୁ ଉଦ୍ଧାର କରି’ ଦେଖାଅ ପଥ’ ।
ନୀଳାଦ୍ରି ନୀଳମାଧବ ହେ ନୀଳମଣି,
        ନୀଳାଚଳ ଧାମେ ରହି ଚାହଁ ଚାହାଁଣି ।
ମୁରଲୀ ଫୁଙ୍କା ଅଧରେ ହସ ମଧୁର,
     ଚକା ନୟନେ ଦେଖୁଛ ସାରା ସଂସାର ।
କାହାର ଦୁଃଖ ପାହାଡ଼ ରହେ ଅଟଳ,
          କାହା ଆଖି ଲୁହ ନଈ ସମ ଅଥଳ ।
ତୁମେ ତ କରୁଣାକର ଜୀବ ଜୀବନ,
          ଘୁଞ୍ଚାଇବାକୁ ଏ ଦୁଃଖ କର ବିଧାନ ।
ଶ୍ରୀମନ୍ଦିର ପରି ଶିରୀ ଦିଅ ହେ ଭରି,
         ଘର ପରିବାର ହେଉ ସରଗ ପୁରୀ ।
ଦୀନ ଅକିଞ୍ଚନେ ରଖ ହେ ଦୀନବନ୍ଧୁ,
       କୃପା କର ଆର୍ତ୍ତଜନେ ହେ ଆର୍ତ୍ତବନ୍ଧୁ ।
କରି କରାଅ ସବୁ ତ ଦେଇ ଶକତି,
        ତୁମ ବିନା ପାଏ ନାହିଁ କେହି ମୁକତି ।
ହୃଦୟେ ଭକତି ଦିଅ ରଖି ଶରଣେ,
        ପୂଜା ଫୁଲ କରି ରଖ ତୁମ ଚରଣେ ।
ମାଗୁଣି ମାଗୁଛି ଶୁଣ ହେ ଜଗନ୍ନାଥ,
         ସୁପଥେ ଜଳାଇ ନିଅ ଜୀବନ ରଥ ।

        ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *