ପୁରୀ ଜିଲ୍ଲା ଆମ୍ ଆଦ୍ମୀ ପାର୍ଟିର ସାଙ୍ଗଠନିକ ନିର୍ବାଚନ
ପୁରୀ ଜିଲ୍ଲା ଆମ୍ ଆଦ୍ମୀ ପାର୍ଟିର ସାଙ୍ଗଠନିକ ନିର୍ବାଚନ ସମ୍ପନ୍ନ; ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ଏବଂ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ଭାବେ ନିର୍ବାଚିତ* ଆଜି (୩୧/୦୭/୨୦୨୬) ପୁରୀ ବଳଭଦ୍ର ଜାଗା ଯୁବକ ସଂଘ, ହରିଜନ ସାହି, ମାର୍କଣ୍ଡ ସାହି ପରିସରରେ ଆମ୍ ଆଦ୍ମୀ ପାର୍ଟିର ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ସମ୍ବିଧାନିକ ନିୟମ ଅନୁଯାୟୀ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପ୍ରତି ତିନି ବର୍ଷରେ ଥରେ ଏହି ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥାଏ।ଏହି ନିର୍ବାଚନରେ ପୁରୀ ଜିଲ୍ଲାରେ ପ୍ରଥମ ଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ହୋଇଥିବାବେଳେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମ ଅନୁଯାୟୀ ଜିଲ୍ଲା ସଭାପତି ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥାନ୍ତି। ଏହିପରି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।ନିର୍ବାଚନ ପ୍ରକ୍ରିୟାକୁ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ପର୍ଯ୍ୟବେକ୍ଷକ ଭାବେ ପରିଚାଳନା କରିଥିଲେ।

ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମକୁ ଜିଲ୍ଲା ଆବାହକ ପଦ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଶ୍ରୀଯୁକ୍ତ ଭାଗବତ ବେହେରା ସେହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ।ନିର୍ବାଚିତ ହେବା ପରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା ରଖି ଦାୟିତ୍ୱ ପ୍ରଦାନ କରିଥିଲେ ଏବଂ ଏବେ ପୁରୀ ଜିଲ୍ଲା ଆମ୍ ଆଦ୍ମୀ ପାର୍ଟି ପରିବାର ତାଙ୍କୁ ଗଣତାନ୍ତ୍ରିକ ଭାବେ ନିର୍ବାଚିତ କରିଛନ୍ତି। ଏହି ଆସ୍ଥା ଓ ବିଶ୍ୱାସକୁ ସମ୍ମାନ ଜଣାଇ ସେ ସମସ୍ତ କର୍ମୀଙ୍କୁ ସାଥିରେ ନେଇ ପୁରୀ ଜିଲ୍ଲାରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ।ସେ ଆହୁରି କହିଥିଲେ ଯେ, ଆମ୍ ଆଦ୍ମୀ ପାର୍ଟି ଆଗାମୀ ଦିନରେ ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟାରେ ସେମାନଙ୍କ ସହ ଦୃଢ଼ ଭାବେ ଛିଡ଼ା ହେବା ସହ ସେହି ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବ।
