ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହିତ ଏସୀୟ ବିକାଶ ବ୍ୟାଙ୍କ ପ୍ରତିନିଧିଙ୍କ ଉଚ୍ଚସ୍ତରୀୟ ବୈଠକ
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ସହଯୋଗ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରିତାରେ ସହାୟତା କରିବା ନେଇ ଏଡିବି ତରଫରୁ ପ୍ରସ୍ତାବ ଭୁବନେଶ୍ୱର, ୩୧/୦୭/୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ର ପ୍ରତିନିଧିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଡିବି ସହଯୋଗରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ସହ ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ପୂରଣ ନିମନ୍ତେ ଭବିଷ୍ୟତ ସହଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଏଡିବି ପକ୍ଷରୁ ଓଡ଼ିଶା ସହ ଭାଗୀଦାରିର ସାମଗ୍ରିକ ଚିତ୍ର ଉପସ୍ଥାପନ କରାଯାଇଥିଲା । ଦକ୍ଷତା ବିକାଶ, ସହରାଞ୍ଚଳ ଭିତ୍ତିଭୂମି, ପରିବହନ, କୃଷି, ଶକ୍ତି, ଜଳବାୟୁ ସହନଶୀଳତା ଆଦି କ୍ଷେତ୍ରରେ ଚାଲୁଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯିବା ସହ ରାଜ୍ୟର ଦୀର୍ଘମିଆଦୀ ଭିତ୍ତିଭୂମି ଓ ଆର୍ଥିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବିତ ନୂତନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଇଣ୍ଡିଆ ରେସିଡେଣ୍ଟ ମିଶନ ଅଧୀନରେ ଏଡିବି ଓଡ଼ିଶାର ବିକାଶର ଏକ ପ୍ରମୁଖ ଭାଗୀଦାର ସଂସ୍ଥା ଭାବେ ବିଭିନ୍ନ କ୍ଷେତ୍ରରେ ଋଣ ସହାୟତା, ବୈଷୟିକ ସହଯୋଗ ଏବଂ ପରାମର୍ଶ ପ୍ରଦାନ କରିଆସୁଛି । ଏହି ଅବସରରେ ୨୦୨୮-୨୦୩୨ ସମୟସୀମା ପାଇଁ ଓଡ଼ିଶା ନିମନ୍ତେ ଏଡିବିର ପ୍ରସ୍ତାବିତ ଋଣନୀତିକ ଢାଞ୍ଚା ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା । ପ୍ରସ୍ତାବିତ ସହଯୋଗ ଅଧୀନରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ, ଉତ୍ପାଦନ ବୃଦ୍ଧି, ସମାବେଶୀ ଅଭିବୃଦ୍ଧି, ମାନବ ସମ୍ବଳ ବିକାଶ, କାର୍ବନ ନିର୍ଗମନ ହ୍ରାସ, ଲିଙ୍ଗଗତ ସମାନତା, ମହିଳା ନେତୃତ୍ୱାଧୀନ ଜୀବିକା ବିକାଶ, ସାମାଜିକ ସୁରକ୍ଷା ଏବଂ ବୈଷୟିକ ଜ୍ଞାନର ଆଦାନ-ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ସହଯୋଗ ପ୍ରଯୁକ୍ତିର ଗ୍ରହୀତା ରାଷ୍ଟ୍ରରୁ ବିଶ୍ୱସ୍ତରୀୟ ନବସୃଜନର ଅଗ୍ରଣୀ ରାଷ୍ଟ୍ର ଭାବେ ଭାରତର ଆଗାମୀ ଯାତ୍ରାରେ ଓଡ଼ିଶାର ଅବଦାନକୁ ଆହୁରି ସୁଦୃଢ଼ କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରସ୍ତାବିତ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ)ର ଅଗ୍ରଗତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ନୂତନ କ୍ୟାମ୍ପସ ସ୍ଥାପନ, ଚୟନ ପୂର୍ବକ ବିଭିନ୍ନ ଆଇଟିଆଇଗୁଡ଼ିକର ଉନ୍ନତିକରଣ, ଉନ୍ନତ ପ୍ରଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ଏବଂ ଶିଳ୍ପର ଆବଶ୍ୟକତା ଅନୁରୂପ ଦକ୍ଷ ମାନବ ସମ୍ୱଳ ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ସହିତ ସହରାଞ୍ଚଳ ପରିବହନ, ପର୍ଯ୍ୟଟନ, କ୍ଲଷ୍ଟରଭିତ୍ତିକ ଉଦ୍ୟାନ କୃଷି ଓ କୃଷି ବ୍ୟବସାୟ, ଶକ୍ତି କ୍ଷେତ୍ର, ଜଳବାୟୁ ସହନଶୀଳ ଭିତ୍ତିଭୂମି ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ପରାମର୍ଶ ସହଯୋଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱପୂର୍ଣ୍ଣ ଅଗ୍ରାଧିକାର କ୍ଷେତ୍ର ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ ପ୍ରସ୍ତୁତି, ବିଭିନ୍ନ ବିଭାଗୀୟ ସମନ୍ୱୟ ଓ ଏଡିବି ସହ ନିରନ୍ତର ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଡିବି ପକ୍ଷରୁ ବୈଷୟିକ ଦକ୍ଷତା, ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଏବଂ ଆର୍ଥିକ ସହାୟତା ମାଧ୍ୟମରେ ଓଡ଼ିଶାର ବିକାଶ ଯାତ୍ରାରେ ସହଯୋଗ ଅବ୍ୟାହତ ରଖିବାକୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା । ଉଭୟ ପକ୍ଷ ରାଜ୍ୟର ସ୍ଥାୟୀ, ସମାବେଶୀ ଓ ସହନଶୀଳ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଭାଗୀଦାରିକୁ ଆହୁରି ସୁଦୃଢ଼ କରିବା ଉପରେ ସହମତି ପ୍ରକାଶ କରିଥିଲେ । ବୈଠକରେ ଏଡିବିର ଦେଶ ନିର୍ଦ୍ଦେଶକ(କଣ୍ଟ୍ରି ଡାଇରେକ୍ଟର) ମିଓ ଓକା ଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇ ପ୍ରସ୍ତାବ ଉପସ୍ଥାପନ ସହ ଆଲୋଚନା କରିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା , କ୍ରୀଡା ବିଭାଗ, ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
