ବିଡ଼ିଓଙ୍କ ନିର୍ଦ୍ଦେଶକୁ ଫୁ କଲେ ଅଧିକାରୀ; ରାସ୍ତା ଦୁର୍ନୀତିର କଲେନି ତଦନ୍ତ

ବିଡ଼ିଓଙ୍କ ନିର୍ଦ୍ଦେଶକୁ ଫୁ କଲେ ଅଧିକାରୀ; ରାସ୍ତା ଦୁର୍ନୀତିର କଲେନି ତଦନ୍ତ

କାକଟପୁର- ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ପାଟପୁର ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ କାକଟପୁର ବିଡିଓ ନାରାୟଣ ଦିକ୍ଷୀତ ବ୍ଳକର ୩ ଜଣ ଅଧିକାରୀଙ୍କୁ ତଦନ୍ତ ପାଇଁ ଦାୟିତ୍ବ ଦେଇଥିଲେ। କିନ୍ତୁ ୭ଦିନ ବଦଳରେ ୨ ମାସ ପାଖାପାଖି ହୋଇ ଯାଇଥିଲେ ମଧ୍ୟ ବିଡ଼ିଓଙ୍କ ନିର୍ଦ୍ଦେଶକୁ ଫୁ କରି ଅଧିକାରୀ ମାନେ କୌଣସି ତଦନ୍ତ କଲେ ନାହିଁ କି ରିପୋର୍ଟ ଦେଇ ନାହାନ୍ତି। ଯାହା ବିଡ଼ିଓଙ୍କ ନିର୍ଦ୍ଦେଶକୁ ବେଖାତିର ଓ ଅସମ୍ମାନ ବୋଲି ଦର୍ଶାଉଛି। ସୂଚନାଯୋଗ୍ୟଯେ କୁଣ୍ଢେଇ ପଞ୍ଚାୟତରେ କୈଳାସ ରାଉତ ଘର ଠାରୁ ନରେନ୍ଦ୍ର ରାଉତ ଘର ପର୍ଯ୍ୟନ୍ତ ଏକ କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ ଅବଗତ ପରେ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ। ଆବଶ୍ୟକ ମୁତାବକ କାମ ନକରି ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ ସରପଞ୍ଚଙ୍କ ସହଯୋଗୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ବିଡ଼ିଓ, ଜିଲ୍ଲାପାଳ ଓ ସଂପୃକ୍ତ ବିଭାଗକୁ ଅଭିଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଗୁରୁତର ନେଇ ବିଡ଼ିଓ ନାରାୟଣ ଦିକ୍ଷୀତ ଏକ ୩ ଜଣିଆ ଅଧିକାରୀଙ୍କ ଟିମ୍ କରି ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ୍ ପ୍ରଦାନ କରିବାକୁ ଚିଠି ନମ୍ବର୍ ୧୭୫୫ ରେ ଗତ ୧୬.୦୬.୨୦୨୬ ତାରିଖରେ ନିର୍ଦେଶ ଦେଇଥିଲେ। ଅତିରିକ୍ତ ବିଡ଼ିଓ ଜୟଶ୍ରୀ ମିଶ୍ର , ସହକାରୀ ଯନ୍ତ୍ରୀ ଇନ୍ଦିରା ସ୍ବାଇଁ ଓ ସେକ୍ସନ ଅଫିସର ନଳିନୀକାନ୍ତ ଖଟୋଇଙ୍କୁ ତଦନ୍ତ କରି ରିପୋର୍ଟ୍ ଦେବାକୁ ଦାୟିତ୍ଵ ଦେଇଥିଲେ। କିନ୍ତୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ବିଡ଼ିଓଙ୍କ ନିର୍ଦ୍ଦେଶକୁ ଅବମାନନା କରି କୌଣସି ତଦନ୍ତ କିମ୍ୱା ରିପୋର୍ଟ୍ ପ୍ରଦାନ କରି ନାହାନ୍ତି। ଏନେଇ ଅଭିଯୋଗକାରୀ ତଥା ପୂର୍ବତନ ସରପଞ୍ଚ ଶୁଭ୍ରଜିତ ମଲ୍ଲ କ୍ଷୋଭ ପ୍ରକାଶ ସହ ନିନ୍ଦା ପ୍ରକାଶ କରିଛନ୍ତି। ଯେଉଁଠି ବିଡ଼ିଓଙ୍କ ନିର୍ଦ୍ଦେଶକୁ ଅଧିକାରୀ ମାନେ ଶୁଣୁ ନାହାଁନ୍ତି ସେଠି ସାଧାରଣ ଜନତା କିପରି ନ୍ୟାୟ ପାଇବେ ବୋଲି ଚିନ୍ତା ପ୍ରକଟ କରିଛନ୍ତି। ପୁରୀ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ନଚେତ୍ ଏନେଇ ଆଗାମୀ ଦିନରେ ବ୍ଳକ ସମ୍ମୁଖରେ ଜନ ସାଧାରଣ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *