ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ଢେଙ୍କାନାଳ
ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ଢେଙ୍କାନାଳ
ଢେଙ୍କାନାଳ : ୧୦/୦୮-ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଆଜି ଉତ୍ସବମୁଖର ହୋଇଉଠିଥିଲା ଢେଙ୍କାନାଳ ସହର। ‘ହର ଘର ତିରଙ୍ଗା’ ଅଭିଯାନର ଅଂଶସ୍ୱରୂପ ଢେଙ୍କାନାଳରେ ଆୟୋଜିତ ଏକ ବିଶାଳ ତିରଙ୍ଗା ରାଲିରେ ଶତାଧିକ ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ଉତ୍ସାହର ସହ ସାମିଲ ହୋଇଥିଲେ।
ଆଜି ସକାଳ ପ୍ରାୟ ୮ଟା ସମୟରେ ବାଜିଚୌକଠାରୁ ଏହି ରାଲିକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବାଜିଚୌକଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଆୟୋଜିତ ଏହି ରାଲିରେ ଅଂଶଗ୍ରହଣକାରୀମାନେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇ ଆଗେଇ ଚାଲିଥିଲେ। ‘ହର ଘର ତିରଙ୍ଗା’ ଧ୍ୱନିରେ ରାଲି ପଥ ପ୍ରତିଧ୍ୱନିତ ହୋଇଥିଲା।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଯେ, “ତ୍ରିରଙ୍ଗା ଆମ ଦେଶର ଗୌରବ, ସ୍ୱାଧୀନତା ଓ ଜାତୀୟ ଏକତାର ପ୍ରତୀକ। ‘ହର ଘର ତିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇବା ଆମର ଲକ୍ଷ୍ୟ। ଢେଙ୍କାନାଳବାସୀଙ୍କ ଏହି ବିପୁଳ ଯୋଗଦାନ ତ୍ରିରଙ୍ଗା ପ୍ରତି ସେମାନଙ୍କର ଗର୍ବ ଓ ଦେଶ ପ୍ରତି ଅତୁଟ ଭଲପାଇବାର ପ୍ରମାଣ।”
ରାଲି ଅବସରରେ ତ୍ରିରଙ୍ଗା ଧରି ଶତାଧିକ ଲୋକଙ୍କ ଏକତ୍ର ଉପସ୍ଥିତି ସହରରେ ଏକ ଅନନ୍ୟ ଦେଶପ୍ରେମର ପରିବେଶ ସୃଷ୍ଟି କରିଥିଲା।
ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଏବଂ ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁଙ୍କ ସମେତ ବହୁ ଜନପ୍ରତିନିଧି, ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
‘ହର ଘର ତିରଙ୍ଗା’ ଅଭିଯାନ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବବୋଧ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଜନସହଭାଗିତାମୂଳକ ପଦକ୍ଷେପ। ଢେଙ୍କାନାଳବାସୀଙ୍କ ଆଜିର ବିପୁଳ ଯୋଗଦାନ ଏହି ଅଭିଯାନକୁ ଆହୁରି ସଫଳ ଓ ଅର୍ଥପୂର୍ଣ୍ଣ କରିଛି।
