ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ l ଆସାମରେ ଯାହା ଏକଦା ଜଳାଶୟ ପାଇଁ ସମସ୍ୟା ଭାବେ ପରିଗଣିତ ହେଉଥିଲା, ତାହା ଏବେ ଗ୍ରାମୀଣ ମହିଳାମାନଙ୍କ ପାଇଁ ଜୀବିକାର ଏକ ନୂଆ ସୁଯୋଗରେ ପରିଣତ ହେଉଛି। ପୋଖରୀ ଓ ଅନ୍ୟାନ୍ୟ ଜଳାଶୟରେ ବ୍ୟାପକ ଭାବେ ଦେଖାଯାଉଥିବା ପାଣି ଦଳ, ଯାହାକୁ ସ୍ଥାନୀୟ ଭାବେ ‘ପାଣି ମେଟେକା’ ବା ‘ମେଟେକା’ କୁହାଯାଏ, ତାହାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଗୁଡ଼ିକ ଉପଯୋଗ କରି ବିଭିନ୍ନ ମୂଲ୍ୟବାନ ହସ୍ତଶିଳ୍ପ ସାମଗ୍ରୀରେ ପରିଣତ କରୁଛନ୍ତି।ଆସାମ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ସହାୟତାରେ ଗ୍ରାମାଞ୍ଚଳର ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ପ୍ରକାର ସୃଜନଶୀଳତାକୁ ବ୍ୟବସାୟରେ ପରିଣତ କରିଛନ୍ତି। ପୋଖରୀରୁ ପାଣି ମେଟକା କାଣ୍ଡକୁ ସଂଗ୍ରହ କରି ତାହାକୁ ସେମାନେ ଭଲ ଭାବେ ଶୁଖାଇ ଦିଅନ୍ତି। ପରେ ମହିଳାମାନେ ଅନେକ ଶୁଖିଲା କାଣ୍ଡକୁ ଦଉଡ଼ି ଆକୃତିରେ ବୁଣିଥାନ୍ତି। ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଦେଖି ସେମାନେ ଏଥିରୁ ଝୁଡ଼ି, ହ୍ୟାଣ୍ଡବ୍ୟାଗ୍, ସ୍ଲିଙ୍ଗ୍ ବ୍ୟାଗ୍, ଟେବୁଲ୍ ମ୍ୟାଟ୍, କୋଷ୍ଟର, ଟିସୁ ବାକ୍ସ, ଲ୍ୟାମ୍ପ୍ ସେଡ୍ ଏବଂ ଅନ୍ୟାନ୍ୟ ଗୃହ ସଜ୍ଜା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କରିଥାଆନ୍ତି। ପ୍ରକୃତିକ, ହାତତିଆରି, ପରିବେଶ ଯୋଗ୍ୟ ଏବଂ ଆକର୍ଷଣୀୟ ହୋଇଥିବାରୁ ଏପ୍ରକାର ସାମଗ୍ରୀର ଚାହିଦା ଦିନକୁ ଦିନ ବଢ଼ୁଛି। ଆଉ ପାଣିମେଟକା ଆସାମର ମହିଳା ତଥା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏକ ସ୍ଥାୟୀ ଜୀବିକା ଭାବେ ବିକାଶିତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍‍ଇଡିଏଫଆଇ ବୈଷୟିକ ସହାୟତାରେ ଛଅଟି କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମକୁ ପାଇଲଟ୍ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା, ଯାହା ଦକ୍ଷତା ବିକାଶ ତାଲିମ ସହିତ କଞ୍ଚାମାଲ ସହାୟତା, ପ୍ରକ୍ରିୟାକରଣ, ଏକତ୍ରୀକରଣ ଏବଂ ଉତ୍ପାଦନ ପାଇଁ କମନ୍ ଫ୍ୟାସିଲିଟି ସେଣ୍ଟରର ସୁବିଧା ଯୋଗାଉଥିଲା। ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ଏହି ପଦକ୍ଷେପ ସାଧାରଣ ଗ୍ରାମୀଣ ମହିଳାମାନଙ୍କ ପାଇଁ ଜୀବିକା ସୃଷ୍ଟି ସହ ପରିବେଶ ପରିଚାଳନା ମଧ୍ୟରେ ଏକ ସୁଯୋଗ ସୃଷ୍ଟି କରୁଛି। ପାଣିମେଟକାର ଘନ ଆସ୍ତରଣ ପୋଖରୀରୁ ନିୟମିତ କଢ଼ାଯିବା ଦ୍ୱାରା ଏବେ ପୋଖରୀ ଭିତରକୁ ସୂର୍ଯ୍ୟକିରଣ ପ୍ରବେଶ ହୋଇପାରୁଛି। ଅର୍ଥାତ୍‍ ଜଳରେ ଅମ୍ଳଜାନର ସ୍ତର ବଜାୟ ରଖିବାରେ ଏପ୍ରକାର ଉଦ୍ୟମ ପରୋକ୍ଷରେ ସହାୟକ ହୋଇଛି। ଫଳରେ ଗଭୀର ପୁଷ୍କରିଣୀରେ ଜୈବସମ୍ପଦ ବୃଦ୍ଧିରେ ଏହା ସହାୟକ ହେଉଛି। ଏହି ମଡେଲର ବ୍ୟାପକ ଜୀବିକା ଓ ଆଞ୍ଚଳିକ ଗୁରୁତ୍ୱକୁ ଅନୁଧ୍ୟାନ କରିବା ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ନେତୃତ୍ୱରେ ଏକ ମିଡିଆ ପ୍ରତିନିଧିମଣ୍ଡଳୀ ଏହି ପଦକ୍ଷେପକୁ ପ୍ରତ୍ୟକ୍ଷ ଭାବେ ବୁଝିବା ପାଇଁ ପରିଦର୍ଶନ କରିଥିଲେ। ସାମ୍ବାଦିକମାନେ ମହିଳା ଏସଏଚଜି ସଦସ୍ୟା, କାରିଗର ଓ ସମ୍ପୃକ୍ତ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ସହିତ ପାଣି ମେଟକା ସଂଗ୍ରହଠାରୁ ଆରମ୍ଭ କରି ସେଥିରୁ ପ୍ରସ୍ତୁତ ହେଉଥିବା ହସ୍ତଶିଳ୍ପ ସାମଗ୍ରୀ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ତିନସୁକିଆସ୍ଥିତ ASRLMର DMMUର ଜିଲ୍ଲା କାର୍ଯ୍ୟକ୍ଷେତ୍ର ବିଶେଷଜ୍ଞ (ଅଣ-କୃଷି ଜୀବିକା) ଶ୍ରୀମତୀ ପ୍ରିୟଙ୍କା ମୋହନ ବରୁଆ ‘ଉଇଡ୍-ଟୁ-ୱେଲ୍ଥ’ ପଦକ୍ଷେପ ସମ୍ପର୍କରେ ମିଡିଆ ପ୍ରତିନିଧିମଣ୍ଡଳୀକୁ ବିସ୍ତୃତ ସୂଚନା ଦେଇଥିଲେ। ସମବାୟ ସମିତିର ସଭାପତି ଶ୍ରୀମତୀ ସଙ୍ଗୀତା ବୁରାଗୋହାଇନ୍ ଏବଂ ସମ୍ପାଦିକା ଶ୍ରୀମତୀ ପୁଷ୍ପା ଦେଓରୀ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପାଣି ମେଟକା ସଂଗ୍ରହ, ହସ୍ତଶିଳ୍ପ ଉତ୍ପାଦନ ଏବଂ ଏହି ପଦକ୍ଷେପ ମାଧ୍ୟମରେ ସୃଷ୍ଟି ହୋଇଥିବା ଜୀବିକା ସୁଯୋଗ ସମ୍ପର୍କରେ ନିଜ ଅଭିଜ୍ଞତା ମିଡିଆ ପ୍ରତିନିଧିମାନଙ୍କ ସହ ବାଣ୍ଟିଥିଲେ।

Leave a Reply

Your email address will not be published. Required fields are marked *