ଦୁଇ ଦିନରେ ଦୁଇ ମୃତ ଡଲଫିନ!, ଉପକୂଳରେ ବଢ଼ିଲା ଚିନ୍ତା
ବାହାନଗା: ୨୫/୦୯ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବରିପଦା ପଞ୍ଚାୟତର ମହାରୁଦ୍ରପୁର ବେଳାଭୂମି ଉପକୂଳରେ ପୁଣି ଏକ ମୃତ ଡଲଫିନ ଠାବ ହୋଇଛି। ଗତକାଲି ଅପରାହ୍ନରେ ସମୁଦ୍ରକୂଳରେ ଡଲଫିନଟି ମୃତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ପ୍ରାଥମିକ ଭାବେ ମାଛଧରା ଟ୍ରଲରର ଆଘାତ ଯୋଗୁଁ ଡଲଫିନଟିର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା ହେଉଛି। ମୃତ୍ୟୁର ପ୍ରକୃତ କାରଣ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ସେହିପରି ମହାରୁଦ୍ରପୁର ବେଳାଭୂମିଠାରୁ ପ୍ରାୟ ୩ରୁ ୪ କିଲୋମିଟର ଦୂର ତାଳପଦା-ଜାମୁକା ମୁହାଣ ଅଞ୍ଚଳରୁ ଦୁଇଦିନ ତଳେ ମଧ୍ୟ ଏକ ମୃତ ଡଲଫିନ ଉଦ୍ଧାର ହୋଇଥିଲା। ଅଳ୍ପ ଦୂରତା ଓ ମାତ୍ର ଦୁଇଦିନର ବ୍ୟବଧାନରେ ଦୁଇଟି ମୃତ ଡଲଫିନ ମିଳିବା ଘଟଣା ସାମୁଦ୍ରିକ ଜୀବ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ବିଶେଷକରି ଟ୍ରଲର ଆଘାତର ଆଶଙ୍କା ଥିବାରୁ ଦୁଇ ଘଟଣାର କାରଣ ନେଇ ଯାଞ୍ଚର ଆବଶ୍ୟକତା ଦେଖାଦେଇଛି।ଡଲଫିନ ସମେତ ସମସ୍ତ ସିଟାସିଆନ୍ ପ୍ରଜାତିଙ୍କୁ ବନ୍ୟଜୀବ (ସୁରକ୍ଷା) ଆଇନ, ୧୯୭୨ର ସୂଚୀ-୧ରେ ସାମିଲ କରାଯାଇଛି।

ଏହି ପ୍ରଜାତିଗୁଡ଼ିକୁ ଆଇନଗତ ଭାବେ ସର୍ବୋଚ୍ଚ ସ୍ତରର ସୁରକ୍ଷା ମିଳିଛି।ଅନ୍ୟପକ୍ଷରେ, ଓଡ଼ିଶାର ସାମୁଦ୍ରିକ ଜଳସୀମାରେ ମାଛଧରା ନୌକା ଓ ଟ୍ରଲରର ପଞ୍ଜୀକରଣ, ଲାଇସେନ୍ସ ଏବଂ ନିୟନ୍ତ୍ରଣ ପାଇଁ Odisha Marine Fisheries Regulation Act (OMFRA), 1983 ଭଳି ବ୍ୟବସ୍ଥା ରହିଛି। ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ନିୟମ ପାଳନ ଯାଞ୍ଚ ପାଇଁ Monitoring, Control and Surveillance (MCS) ବ୍ୟବସ୍ଥା ଏବଂ Vessel Monitoring System (VMS) ଭଳି ନଜରଦାରି ବ୍ୟବସ୍ଥାର ମଧ୍ୟ ଉଲ୍ଲେଖ ରହିଛି।ଏଭଳି ଆଇନ ଓ ନଜରଦାରି ବ୍ୟବସ୍ଥା ରହିଥିବା ସତ୍ତ୍ୱେ ଉପକୂଳରେ ଅଳ୍ପ ବ୍ୟବଧାନରେ ଦୁଇଟି ମୃତ ଡଲଫିନ ମିଳିବା ଘଟଣାରେ ସମୁଦ୍ରରେ ଟ୍ରଲରଗୁଡ଼ିକର ଗତିବିଧି ଓ ନିୟମ ପାଳନ ଉପରେ ନଜରଦାରି କେତେଦୂର ହେଉଛି, ତାହା ନେଇ ପ୍ରଶ୍ନ ଉଠୁଛି। ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ତାହାର ଯାଞ୍ଚ ସହ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ନିୟମିତ ତଦାରଖ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ସମୁଦ୍ରରେ ନିୟମ ପାଳନ ଉପରେ କଡ଼ା ନଜରଦାରି କରିବା ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ କି ନାହିଁ, ଏବେ ତାହା ଉପରେ ନଜର ରହିଛି।
